ବିଜେପି ଏଜେଣ୍ଡାରେ ନାହିଁ ଇତିଶ୍ରୀ ପ୍ରସଙ୍ଗ! ଜୟରାମ ପାଙ୍ଗୀଙ୍କ ପାଇଁ ଇତିଶ୍ରୀଙ୍କୁ ଇତିହାସ କରିଦେଲା କି ବିଜେପି? 

359

କନକ ବ୍ୟୁରୋ : ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବା ଅଭିଯୋଗ ଆଣି ଆଜି ବିଜେପି କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ନାଲି ଚୁଡ଼ି ଧରି ବାହାରିଥିଲେ ହଜାର ହଜାର ମହିଳା ମୋର୍ଚ୍ଚାର କର୍ମୀ । ଏହି ଆନ୍ଦୋଳନ ମାଧ୍ୟମରେ ମହିଳା ମାନଙ୍କ ପ୍ରତି ରାଜ୍ୟରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛି ବିଜେପି । ପିପିଲି ପୀଡିତା ଓ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବାକୁ ବିଜେପିର ମହିଳା ମୋର୍ଚ୍ଚାର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଂଶସାଯୋଗ୍ୟ । କିନ୍ତୁ ମହିଳାଙ୍କୁ ନ୍ୟାୟ ଦେବାକୁ କହି ବିଜେପିର ମହିଳା ମୋର୍ଚ୍ଚା ଯେତେବେଳେ ନାଲି ଚୁଡି ଧରି ରାଜରାସ୍ତାକୁ ଓହ୍ଲାଉଛି ସେତେବେଳେ ଟିକିରିର ଇତିଶ୍ରୀଙ୍କ କଥା ଭୁଲି ଯାଉଛନ୍ତି କିପରି । ଇତିଶ୍ରୀ ମଧ୍ୟ ସବୁଦିନ ପାଇଁ ଆଖି ବୁଜିବା ପୂର୍ବରୁ ନ୍ୟାୟ ଭିକ୍ଷା କରିଛି । ଇତିଶ୍ରୀର ସ୍ୱର କଣ ବିଜେପିର ମହିଳା ମୋର୍ଚ୍ଚା ଶିବିରରେ ପହଞ୍ଚି ପାରିନି ।

ପିପିଲି ପୀଡିତାଙ୍କ ସର୍ମ୍ପକରେ ରାୟ ଆସିବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପିର ମହିଳା ମୋର୍ଚ୍ଚା । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା କଥା ଉଠାଇବା ପରେ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । କିନ୍ତୁ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଥିବା ଟିକିରି ଇତିଶ୍ରୀଙ୍କୁ ନ୍ୟାୟ ଦେବା ପ୍ରସଙ୍ଗରେ ବିଜେପିର ମହିଳା ମୋର୍ଚ୍ଚା କାହିଁକି ଚୁପ ବସିଛି । ଇତିଶ୍ରୀଙ୍କ ପାଇଁ କଣ ବିଜେପିର ଟିକିଏ ବି ଦରଦ ନାହିଁ । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ କାହିଁକି ପଛଘୁଞ୍ଚା ଦେଉଛି ବିଜେପି । ଓଡିଶାବାସୀ ଭାବେ ଏଭଳି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ । ତେବେ ପିପିଲି ଓ କୁନ୍ଦୁଲି ପୀଡିତାଙ୍କ ପାଇଁ ବିଜେପିର ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ହଲାପଟା କରୁଥିବା ବେଳେ  ଇତିଶ୍ରୀଙ୍କ ପ୍ରସଙ୍ଗରେ ଚୁପ୍ ରହିବା ପଛରେ ଏକ ବଡ କାରଣ ମଧ୍ୟ ଲୁଚି ରହିଛି ।

jayaram pangiସିବିଆଇ କ୍ଲୋଜର ରିପୋର୍ଟ ଦେବା ପରେ ଇତିଶ୍ରୀ ମାମଲାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।  ଆଉ ସୁପ୍ରିମକୋର୍ଟଙ୍କ ଏହି ଅନୁମତି ପରେ  ଇତିଶ୍ରୀ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ମାନେ ବେଶ ଖୁସିରେ ନିଶ୍ୱାସ ମାରିଛନ୍ତି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଇତିଶ୍ରୀ ମୃତ୍ୟୁକୁ ନେଇ ବିଜେପି ପୂର୍ବରୁ ବିଜେଡିରେ ଥିବା ଜୟରାମ ପାଙ୍ଗୀଙ୍କୁ ଟାର୍ଗେଟ କରି ଆସୁଥିଲା । ଯାହାଙ୍କୁ ବିରୋଧ କରି ରାଜ୍ୟପାଳଙ୍କ ନିକଟରେ ବିଜେପି ଫେରାଦ ହୋଇଥିଲା । ସେହି ବ୍ୟକ୍ତିଙ୍କୁ ସମୟ ବିତିବା ସହ ବିଜେପି ନିଜ ଦଳକୁ କୋଳେଇ ନେଇଥିଲା । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ହତ୍ୟା ଘଟଣାରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀକୁ ବିରୋଧ କରି କାଠଗଡାରେ ଠିଆ କରାଇଥିଲା ବିଜେପି । କିନ୍ତୁ ଏବେ ତାଙ୍କୁ ପାଛୋଟି ନେଇଛି ନିଜ ଦଳକୁ । ସମୟଚକ୍ରରେ ଶତ୍ରୁ ବନିଯାଇଛି ମିତ୍ର । ସମୟ ସହ ବଦଳିଯାଇଛି ଚରିତ୍ରର ଚିତ୍ର । କିନ୍ତୁ ଏହି ରାଜନୈତିକ ମିତ୍ରତା ଭିତରେ କଣ ବିଜେପି ଭୁଲିଯାଇଛି ଇତିଶ୍ରୀଙ୍କ କଥା ।

୨୦୧୩ ମସିହାରେ ଟିକିରିର ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲା ବିଜେପି । ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲା ଦଳ । ଏବେ ବିଜେଡିରୁ ବିଦା ହୋଇଥିବା ସେହି ନେତାକୁ ଆପଣେଇ ନେଇଛି ବିଜେପି । ଏହା ସହ ବଦଳିଛି ଦଳର ଆଭିମୁଖ୍ୟ । ଆଜି ଯିଏ ଶତ୍ରୁ, କାଲି ସେ ମିତ୍ର । ଏହା ରାଜନୀତିର ଏକ ମହାମନ୍ତ୍ର  । ଏହା ପୁଣି ପ୍ରମାଣିତ ହୋଇଛି ।ଆଉ ଏସବୁ ଭିତରେ ବିଜେପି ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଦଳୀୟ ବନ୍ଧୁଙ୍କ ପାଇଁ ଇତିଶ୍ରୀଙ୍କୁ ଭୁଲି ଯାଇନି ତ ତାହା ଏବେ ସବୁଠୁ ପ୍ରଶ୍ନ ଭାବେ ଉଭା ହୋଇଛି ।