ଟିକେଟ ଦେଲେ, ପ୍ରାର୍ଥୀଙ୍କ ଭଲ ଗୁଣ କହିଲେ ନବୀନ । ଜାଣନ୍ତୁ ଆପଣଙ୍କ ଅଞ୍ଚଳର ନେତାଙ୍କ କେଉଁ ଗୁଣ ବିଜେଡି ସୁପ୍ରିମୋଙ୍କୁ କରିଥିଲା ପ୍ରଭାବିତ

1,347

କନକ ବ୍ୟୁରୋ : କେଉଁ ନେତା, କେଉଁ ଆଧାରରେ ଟିକେଟ୍ ପାଆନ୍ତି ତାକୁ ନେଇ ସାଧାରଣରେ ଯେତିକି ଉକ୍ରଣ୍ଠା ଥାଏ, ନେତାଙ୍କ ମଧ୍ୟରେ ବି ଏହି ପ୍ରଶ୍ନର ଉତର ଜାଣିବା ନେଇ ଆକାଂକ୍ଷା ଥାଏ । ଆଉ ଏହି ଆଧାର ସଂପର୍କରେ ସମ୍ୟକ୍ ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ବିଜେଡିର ୯ଟି ଲୋକସଭାର ପ୍ରାର୍ଥୀଙ୍କ ସଫଳତା ଏବଂ କୃତିତ୍ୱ ସଂପର୍କରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ଜଣନ୍ତୁ ଆପଣଙ୍କ ଅଂଚଳର ନେତାଙ୍କ କେଉଁ ଗୁଣ ବା ଯୋଗ୍ୟତା ବିଜେଡି ସୁପ୍ରିମୋଙ୍କୁ ପ୍ରଭାବିତ କରିଛି ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ – ଅରୁପ ପଟ୍ଟନାୟକ । କାହିିଁକି ଅରୂପଙ୍କୁ ବାଛିଥିଲେ ନବୀନ । ଏହାର କାରଣ ନିଜେ କହିଛନ୍ତି ବିଜେଡି ସୁପ୍ରିମୋ । ଅରୂପ  ପ୍ରଥମ ଓଡ଼ିଆ ଯିଏ ମୁମ୍ବାଇ ପୁଲିସ୍ କମିଶନର ହୋଇଥିଲେ । ତାଙ୍କ କାର୍ଯ୍ୟଶୈଳୀ ପୁଲିସ୍ ସେବା କ୍ଷେତ୍ରରେ ଏକ ବଡ ଉଦାହରଣ ବୋଲି କହିଛନ୍ତି ନବୀନ । ଓଡ଼ିଶାରୁ ମୁମ୍ବାଇ ଯାଉଥିବା ଲୋକଙ୍କୁ ସହଯୋଗ କରୁଥିଲେ ଅରୂପ । କ୍ୟାନସର ଚିକିତ୍ସା ପାଇଁ ଯାଉଥିବା ଲୋକଙ୍କୁ ସହାୟତା ଯୋଗାଇ ଦେଉଥିଲେ । ଆଉ ଏଭଳି ବ୍ୟକ୍ତିତ୍ୱଙ୍କୁ ସେ ସାଂସଦ ପ୍ରାର୍ଥୀ ଭାବେ ବାଛିଥିବା କହିଛନ୍ତି ନବୀନ ।

କେନ୍ଦ୍ରାପଡ଼ା ଲୋକସଭାର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି । ଅନୁଭବ ମହାନ୍ତିଙ୍କ ସଂପର୍କରେ ନବୀନ କହିଛନ୍ତି ସେ ଜଣେ ଭଲ ବକ୍ତା । ମହିଳାଙ୍କୁ ୩୩% ସଂରକ୍ଷଣ, ମହାନଦୀ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ସଂସଦରେ ଶାଣିତ ଯୁକ୍ତି ଉପସ୍ଥାପନ କରିଛନ୍ତି । ନିଜ ଆୟ ସଂପର୍କରେ ସତ୍ୟପାଠରେ ଲୁଚାଇବା ଭଳି କିଛି ନାହିଁ । ନିସ୍ୱାର୍ଥପର ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି । ତେଣୁ ତାଙ୍କୁ ନିଜର ସିପାହୀ ଭାବେ ବାଛିଛନ୍ତି ନବୀନ ।

ଜଗତସିଂହପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ -ରାଜଶ୍ରୀ ମଲ୍ଲିକ । ଜଣେ ଉତ୍ସର୍ଗୀକୃତ ଡାକ୍ତର ଭାବେ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରଶଂସା କରିଛନ୍ତି ବିଜେଡି ସୁପ୍ରିମୋ । ମଝି ଆକାଶରେ ବିମାନ ଭିତରେ ଜଣେ ରୋଗୀଙ୍କୁ ଜୀବନ ବଂଚାଇବା ଭଳି ମହତ କାର୍ଯ୍ୟକରି ଚର୍ଚ୍ଚାକୁ ଆସିଥିଲେ ରାଜଶ୍ରୀ । ରୋଗୀ ସେବା ବ୍ୟତୀତ ଜଣେ ସଂଗଠକ ଭାବରେ ରାଜଶ୍ରୀ ଜଗତସିଂହପୁର ଜିଲ୍ଲାରେ ପରିଚିତ ବୋଲି କହିଛନ୍ତି ନବୀନ । ଯାହା ତାଙ୍କୁ ବିଜେଡି ଟିକେଟ ଦେଇଛି ।

ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ । ଜଣେ ଦକ୍ଷ ଅଧିକାରୀ ଭାବେ ନଳିନୀ ପ୍ରଧାନଙ୍କୁ ବର୍ଣ୍ଣନା କରିଛନ୍ତି ନବୀନ । ଗୁରୁପ୍ରିୟା ସେତୁ, ବିଜୁ ଏକ୍ସପ୍ରେସ୍ ୱେ ସମେତ ରାଜ୍ୟର ଅନେକ ବଡ଼ ବଡ଼ ସେତୁ ଓ ସଡ଼କ ନିର୍ମାଣ ଦିଗରେ ନଳିନୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ବିଜେଡି ସୁପ୍ରିମୋ ।

ମୟୂରଭଞ୍ଜ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି । ଜଣେ ଡାକ୍ତର ଭାବରେ ରୋଗୀ କରି ମୟୁରଭଞ୍ଜ ଜିଲ୍ଲାରେ ସମାଜସେବା କ୍ଷେତ୍ରରେ ଏକ ନୂଆ ଛବି ତିଆରି କରିଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ଅନବରତ ପ୍ରୟାସ କରିଛନ୍ତି । ଏବଂ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଆଦିବାସୀଙ୍କ ବିକାଶ ପାଇଁ ଉଦ୍ୟମ ଜାରିରଖିଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ତାଙ୍କୁ ୨୦୧୯ ନିର୍ବାଚନ ମହାଲଢେଇ ପାଇଁ ମୟୂରଭଞ୍ଜର ସିପାହୀ ବାଛିଛନ୍ତି ନବୀନ ।

ଯାଜପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ । ନବୀନ କହିଛନ୍ତି, ଚାକିରି କାଳରେ ଜଣେ କର୍ତବ୍ୟନିଷ୍ଠ ଅଧିକାରୀ ଭାବେ ପରିଚିତ ଶର୍ମିଷ୍ଠା । ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ ଥିବା ବେଳେ ଦାୟିତ୍ୱପୂର୍ଣ୍ଣ ଅଧିକାରୀ ଭାବେ କାର୍ଯ୍ୟ କରି ଆସିଛନ୍ତି ।

ଭଦ୍ରକ ଲୋକସଭା ଆସନର ବିଜେଡି ପ୍ରାର୍ଥୀ  ମଂଜୁଲତା ମଣ୍ଡଳ । ମହିଳା ସଶକ୍ତିକରଣର ମଂଜୁଲତା ମଣ୍ଡଳ ଅନନ୍ୟ ଉଦାହରଣ କହିଛନ୍ତି ନବୀନ । ବିଭିନ୍ନ ମହିଳା ସଂଗଠନ ସହ ଜଡ଼ିତ ଥିବା ମଂଜୁଳତା ଅନେକ ସାମାଜିକ ସଂସ୍କାର ପାଇଁ ବାହାରି ଆସିଛନ୍ତି । ଏବଂ ଲୋକଙ୍କୁ ଏକାଠି କରି ପରିବର୍ତନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ସେହିପରି ଅନେକ ନ୍ୟାୟିକ ମାମଲାରେ ରାଜ୍ୟର ସ୍ୱାର୍ଥ ପାଇଁ ଛିଡ଼ା ହେଉଥିବା ଆଇନଜୀବୀ ପିନାକୀ ମିଶ୍ରଙ୍କୁ ପୁରୀ ଲୋକସଭା ଏବଂ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିବା ରବୀନ୍ଦ୍ର ଜେନାଙ୍କୁ ବାଲେଶ୍ୱର ଲୋକସଭା ପାଇଁ ଟିକେଟ୍ ଦେଇଥିବା କହିଛନ୍ତି ବିଜେଡି ସୁପ୍ରିମୋ ।