କାହିଁକି ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲାନି ବିଜେଡି ! ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବା ପାଇଁ ବ୍ଲୁପ୍ରିଣ୍ଟ କରୁଛନ୍ତି କି ସୁପ୍ରିମୋ ?

594

କନକ ବ୍ୟୁରୋ : ନବୀନଙ୍କ ୯ ଟି କନଫ୍ୟୁଜନ୍ । ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ବିଜୁ ଜନତା ଦଳ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ୯ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ର ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ୬୩ଟି ବିଧାନସଭା ଆସନରୁ ୫୪ଟିରେ ପ୍ରାର୍ଥୀ ଘୋଷଣା କରିଯାଇଥିବାବେଳେ ବାକି ରହିଛି ୯ଟି ଆସନ । ଯାହାକୁ ନେଇ ବିଜେଡିରେ ବଡ ଦ୍ୱନ୍ଦ୍ୱ ରହିଥିବା କୁହାଯାଉଛି । ପ୍ରଥମେ ଦେଖିନିଅନ୍ତୁ କେଉଁ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ଦଳ ।

ନାଁ ଘୋଷଣା ହୋଇନଥିବା ବିଧାନସଭା ଆସନ :

ବଲାଙ୍ଗୀର

ଲୋଇସିଂହା

ମାଲକାନଗିରି

ଝରିଗାଁ

ବୀରମିତ୍ରପୁର

ବ୍ରଜରାଜ ନଗର

ପଟ୍ଟାଙ୍ଗୀ

ଫୁଲବାଣୀ

ଲାଞ୍ଜିଗଡ

ସାନପୁଅ ଅର୍କେଶ ନାରାୟଣ ସିଂଦେଓଙ୍କ ପାଇଁ ଲବି କରୁଛନ୍ତି ବଲାଙ୍ଗିର ରାଜ ପରିବାରର ବରିଷ୍ଠ ସଦସ୍ୟ ତଥା ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ । ହେଲେ ବିଜେଡିର ବଲାଙ୍ଗିର କନଫ୍ୟୁଜନ୍ ପଛରେ ରହିଛି ୨୦୧୪ର ତିକ୍ତ ଅନୁଭୂତି । ମନେ ପକାନ୍ତୁ ୨୦୧୪ରେ ପ୍ରଥମେ ବଲାଙ୍ଗିର ବିଧାନସଭା କ୍ଷେତ୍ରରୁ ହରେକୃଷ୍ଣ ଷଡଙ୍ଗୀଙ୍କ ନାଁ ଘୋଷଣା କରିଥିଲା ବିଜେଡି । ହେଲେ କଂଗ୍ରେସରୁ ନରସିଂହ ମିଶ୍ର ମୈଦାନକୁ ଓହ୍ଲାଇବା ପରେ ପୁଣି ପ୍ରତିଯୋଗିତାକୁ ଓହ୍ଲାଇ ପରାଜିତ ହୋଇଥିଲେ ଅନଙ୍ଗ ଉଦୟ । ତେଣୁ ବୋଧହୁଏ ବଲାଙ୍ଗିରରେ ପ୍ରତିପକ୍ଷଙ୍କ ରଣନୀତିକୁ ଅନୁଧ୍ୟାନ କରୁଛନ୍ତି ବିଜେଡି ସୁପ୍ରିମୋ । ଏହି ରେସରେ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ନାଁ ବି ଚର୍ଚ୍ଚା ହେଉଛି । ସେହିପରି ଯୋଗେନ୍ଦ୍ର ବେହେରା ସକ୍ରିୟ ରାଜନୀତିରୁ ସନ୍ୟାସ ନେଇ, ତାଙ୍କ ନିର୍ବାଚନ କ୍ଷେତ୍ରରୁ ପୁଅକୁ ଉତାରିବାକୁ ଚାହୁଁଛନ୍ତି । ଆଉ ନିହାର ବେହେରାଙ୍କ ଉପରେ ବାଜି ଖେଳିବାକୁ ବର୍ତମାନ ପ୍ରସ୍ତୁତ ନୁହନ୍ତି ବିଜେଡି ସୁପ୍ରିମୋ ।

ମାଲକାନଗିରିରେ ମାନସ ମାଡକାମୀଙ୍କୁ ବଦଳାଇବାକୁ ଚାହୁଁଛି ବିଜେଡି । ମନ୍ତ୍ରୀ ରମେଶ ମାଝୀଙ୍କୁ ଝରିଗାଁରୁ ଆଣି ବଳଭଦ୍ର ମାଝୀଙ୍କ ସ୍ଥାନରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ କରାଯାଇଛି । ତେଣୁ ଝରିଗାଁରେ ଆଦିବାସୀ ନେତା ରମେଶ ମାଝୀଙ୍କ ରିପ୍ଲେସମେଂଟ ଖୋଜୁଥାଇପାରନ୍ତି ବିଜେଡି ସୁପ୍ରିମୋ । ବୀରମିତ୍ରପୁର ଆସନରୁ ୨୦୧୪ରେ ଜିତିଥିବା ଜର୍ଜ ତିର୍କୀ ଏବେ କଂଗ୍ରେସ କ୍ୟାମ୍ପରେ । ତେଣୁ ଏହି ଆସନ ପାଇଁ ଜଗିରଖି ଗୋଟି ଚାଳନା କରୁଛନ୍ତି ନବୀନ ।

ଝାରସୁଗୁଡାରେ ନବ ଦାସଙ୍କୁ ସୁଯୋଗ ମିଳିବା ପରେ କିଶୋର ମହାନ୍ତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରିବାକୁ ଚିନ୍ତା କରାଯାଉଛି । ହେଲେ କଂଗ୍ରେସୀ ନେତା ଅନୁପ ସାଏଙ୍କୁ ୨୦୧୪ରେ ଏହି ଆସନରୁ ସୁଯୋଗ ଦେଇଥିଲା ଦଳ । ବିଜେଡି ଟିକେଟରେ ଲଢି ଏହି ଆସନରୁ ହାରିଥିଲେ ବି ଖୁବ ପ୍ରଭାବୀ ନେତା ଅନୁପ ସାଏଙ୍କୁ ମଧ୍ୟ ବାଦ ଦେବା ଦଳ ପାଇଁ ଅଡୁଆ । ଯାହା ବ୍ରଜରାଜନଗରରେ ବିଜେଡିର ଦ୍ୱନ୍ଦ୍ୱ ବଢାଇ ଦେଇଛି ।

ପଟ୍ଟାଙ୍ଗୀରେ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଝୁଲାଇ ରଖିବାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଦ୍ୱନ୍ଦ୍ୱରେ ରହିଥିବା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବିଧାନସଭା କ୍ଷେତ୍ର ପାଇଁ କି କାର୍ଡ ଖେଳିବେ ନବୀନ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ୫୪ଟି ବିଧାନସଭା ଆସନରେ ୧୦ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଥିବାରୁ ଏସବୁ ଆସନରେ ମହିଳାଙ୍କୁ ସୁଯୋଗ ମିଳିବା ନେଇ ସମ୍ଭାବନା ବଢିଯାଇଛି ।