ମୋଦିଙ୍କ ସମାବେଶରେ ବିଜୟ ଓ ଦିଲ୍ଲୀପଙ୍କର ମିଳିଲାନି ଦେଖା ! କଣ ରହିଛି ଏହା ପଛର ରହସ୍ୟ

42

କଟକ ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ସଫଳତା ଉତ୍ସବ ପାଳନ କରିଛନ୍ତି । କଟକରେ ଆୟୋଜିତ ହୋଇଥିବା ଜନକଲ୍ୟାଣ ସମାବେଶ ବିଜେପି ୪ ବର୍ଷରେ କଣ ସବୁ ସଫଳତା ହାସଲ କରିଛି ତାର ହିସାବ ନିକାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବଂ ଏହି ଜନକଲ୍ୟାଣ ସମାବେଶ ପାଇଁ ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତାମାନେ ମୋଦିଙ୍କ ସ୍ୱାଗତ ପାଇଁ ଦିନ ରାତି ଏକ କରିଦେଇଥିଲେ । ତେବେ ଏହି ଗସ୍ତର ମୂଳ ଲକ୍ଷ୍ୟ ହେଉଛି କିଭଳି ପୂର୍ବଭାରତରେ ମୋଦି ମ୍ୟାଜିକ ଲହରରେ ନବୀନଙ୍କ ଗଡକୁ ଦଖଲ କରିବ ବିଜେପି । କିନ୍ତୁ ଓଡିଶାକୁ ବିକାଶର ପ୍ରୟୋଗ ଶାଳା କରିବାକୁ ବାରମ୍ବାର ମୋଦି କହୁଥିବା ବେଳେ ରାଜ୍ୟ ବିଜେପିର କ୍ୟାମ୍ପ ଭିତରେ ଏକତା ନାହିଁ । କାରଣ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଜନକଲ୍ୟାଣ ସମାବେଶକୁ ରାଜ୍ୟ ବିଜେପିର କେନ୍ଦ୍ରମନ୍ତ୍ରୀ ଗଣ, ସମସ୍ତ ବରିଷ୍ଠ ନେତାଙ୍କ ସହ ଦଳୀୟ କର୍ମୀଙ୍କ ଉପସ୍ଥିତି ଥିବାବେଳେ କିନ୍ତୁ ଦଳ ପ୍ରମୁଖ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ଏହି ଜନକଲ୍ୟାଣ ସଭାରେ ଯୋଗ ଦେଇ ନାହାଁନ୍ତି ।

bijayତେବେ ବିଜେପିର ଏହି ଦୁଇ ହେଭିୱେଟ ନେତା କାହିଁକି ଏହି ସଭାରେ ଯୋଗଦେଲେନି ତାହା ଓଡିଶାବାସୀଙ୍କ ମନକୁ ଅନ୍ଦୋଳିତ କରୁଥିବ ନିଶ୍ଚିତ । ସଭାକୁ ଦୁହିଁକୁ ଡ଼କାଯାଇଛି ନା ନାହିଁ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଯଦି ଡ଼କାଯାଇଛି ତେବେ କାହିଁକି ଉଭୟ ନେତା ମୋଦିଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ । ଏଭଳି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଆପଣଙ୍କୁ ମନେ ପକାଇ ଦେଉଛୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାଉରକେଲାରେ ସୁପର ସ୍ପେଶାଲିଟି ଡାକ୍ତରଖାନା ପ୍ରତିଷ୍ଠାକୁ ନେଇ ଦିଲ୍ଲୀପ ରାୟ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିଥିବା ଅନେକ ସମୟରେ ଦେଖାଯାଇଛି । ସେହିଭଳି ଗତ କିଛିମାସ ତଳେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରକୁ ବାରମ୍ବାର ପାଲଟା ପ୍ରଶ୍ନ କରି ଦଳର କୋଣଠେସା ନେତାଭାବେ ଗଣତି ହେଉଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ଏଭଳି ସମୟରେ ମୋଦି ଦେଖୁଥିବା ପୂର୍ବଭାରତର ସ୍ୱପ୍ନ ଅଧୁରା ରହିଯିବନି ତ? ଦଳରେ ଥିବା ଏଭଳି ମନ ମତାନ୍ତର ଓ ଅର୍ନ୍ତକନ୍ଦଳର ଫାଇଦା ଅନ୍ୟ ଦଳ ଉଠାଇବ କି ? ନାଁ ବାରମ୍ବାର ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉ ନଥିବା ଦୁଇ ନେତା ଆଗକୁ କିଛି ବଡ ନିଷ୍ପତି ନେବେ କି ଏଭଳି ତମାମ ପ୍ରଶ୍ନର ଉତ୍ତର ୨୦୧୯ ନିର୍ବାଚନ ପୂର୍ବରୁ ହିଁ ଲୋକସମ୍ମୁଖକୁ ଆସିଯିବ ବୋଲି ଜଣାପଡୁଛି ।