କେତେ ସୁରକ୍ଷିତ ଭୁବନେଶ୍ୱର ବିମାନବନ୍ଦର ? କାହିଁକି ଭୁଶୁଡିଲା ନିର୍ମାଣଧୀନ ଛାତ ? ଘଟଣାରେ ଠିକା ସଂସ୍ଥା ମୁଖ୍ୟ ଦିଲ୍ଲୀପଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ ।

230

କନକ ବ୍ୟୁରୋ : ଗତକାଲି ରାତିରେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମଣାଧୀନ ଛାତ ଭୁଷୁଡିବା ପରେ ଆଜି ଦିନ ତମାମ ଏନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ସେପଟେ ମେଡିକାଲରେ ଜଣେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ହେଲେ ଏସବୁ ଭିତରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି କାହିଁକି ଭୁଶୁଡିଲା ନିର୍ମାଣଧୀନ ଛାତ । ଏନେଇ ସମ୍ପୃକ୍ତ କନଷ୍ଟ୍ରକ୍ସନର ମାଲିକ ଓ ଇଞ୍ଜିନିୟରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି କମିସନରେଟ ପୁଲିସ ।

କାହିଁକି ଭୁଶୁଡ଼ିଲା ଛାତ ? କେତେ ସୁରକ୍ଷିତ ଭୁବନେଶ୍ୱର ବିମାନବନ୍ଦର ? ଭୁବନେଶ୍ୱର ବିମାନବନ୍ଦରରେ ବିଦେଶକୁ ସିଧା ବିମାନ ଉଡ଼ାଣ ପାଇଁ ସ୍ୱପ୍ନ ଦେଖୁଛନ୍ତି ସରକାର । ଆନ୍ତର୍ଜାତୀୟ ସ୍ତରର ସୁବିଧା ଯୋଗାଇଦେବା ପାଇଁ ଏରୋବ୍ରିଜ, ସପିଂମଲ ସହ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଚାଲିଛି । ଆଉ ଠିକ ଏତିକି ବେଳେ ଆସିଛି ଅଘଟଣର ଭୟଙ୍କର ଚିତ୍ର ।

ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ମିନିଟରେ ବିମାନବନ୍ଦର ପରିସରରେ ନିର୍ମାଣାଧିନ ଛାତ ଭୁଷୁଡିବା ଯୋଗୁଁ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଖବର, ଏ ସବୁଥିରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇଙ୍କୁ ପଚରାଉଚରା କରି ଗିରଫ କରିଛି କମିସନରେଟ୍ ପୋଲିସ । ଏହି ଘଟଣାରେ ଦିଲ୍ଲୀପଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ଛାତ ଭୁଷୁଡିବା ପରେ କଡା ସୁରକ୍ଷାବଳୟରେ ରହୁଥିବା ଭୁବନେଶ୍ୱର ବିମାନବନ୍ଦର କେତେ ସୁରକ୍ଷିତ ସେନେଇ ଉଠିଛି ବଡ ପ୍ରଶ୍ନ । ଅତି ବେପରୁଆ ଭାବେ ସମ୍ପୃକ୍ତ ଠିକା ସଂସ୍ଥାର ମୁଖ୍ୟ, ଶ୍ରମିକଙ୍କ ଉପରେ ସବୁ ଦୋଷ ଲଦି ଦେଉଥିବା ବେଳେ ସାମ୍ନାକୁ ଆସିଛି ଅବହେଳା ଓ ନିମ୍ନମାନ କାର୍ଯ୍ୟର ସାଙ୍ଘାତିକ ଅଭିଯୋଗ । କାଠ ବଲ୍ଲାରେ ଏତେ ବଡ ଛାତକୁ ଲୋଡ୍ ଦେଇ କାର୍ଯ୍ୟ କରୁଥିଲା ଦିଲ୍ଲୀପ କନଷ୍ଟ୍ରକ୍ସନ । ଏମିତିକି ସେଟ୍ରିଂ ଓ ଡିଜାଇନିଂରେ ତ୍ରୁଟି ଥିବା ନେଇ ବି ସନ୍ଦେହ କରିଛନ୍ତି ଅଭିଜ୍ଞ ଠିକାଦାର ଓ ଇଞ୍ଜିନିୟର ।

ଭୁଷୁଡିଥିବା ଛାତର ନିର୍ମାଣ କରୁଥିବା ଦିଲ୍ଲୀପ କନଷ୍ଟ୍ରକ୍ସନକୁ ୫୬କୋଟିର କାର୍ଯ୍ୟ ଦେଇଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ । ଯେଉଁ ବିମାନବନ୍ଦରରେ ସବୁବେଳେ କଡାକଡି ସୁରକ୍ଷା ଥାଏ ଓ ଭିଆଇପି ଭିଭିଆଇପିଙ୍କ ଯିବା ଆସିବା ଲାଗି ରହିଥାଏ, ସେଠି କିନ୍ତୁ ନିର୍ମାଣ ବେଳେ ଚରମ ଅବହେଳାର ଅଗିଯୋଗ ହେଉଛି । ଆଉ ଅଘଟଣ ପରେ ଉଭୟ ବିମାନବନ୍ଦର କର୍ତ୍ତୃପକ୍ଷ ଓ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ଦିଲ୍ଲୀପ କନଷ୍ଟ୍ରକ୍ସନ ଏହାରି ଭିତରେ ବିମାନବନ୍ଦର ପରିସରରେ ପ୍ରାୟ ୩କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଶେଷ କରିସାରିଛି । ଆଉ ଏହ ନିର୍ମାଣାଧିନ ଛାତ ଭୁଷୁଡିବା ପରେ ବିମାନ ବନ୍ଦର କେତେ ସୁରକ୍ଷିତ ସେନେଇ ବଡ ପ୍ରଶ୍ନ ଛିଡା ହୋଇଛି ।