୪ ଦିନିଆ ଭାରତ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ! ପରଂପରା ଭାଙ୍ଗି ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

39

କନକ ବ୍ୟୁରୋ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୪ ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଦିଲ୍ଲୀ ସ୍ଥିତ ଆଇଜି ବିମାନ ବନ୍ଦରରେ ଆଜି ହସିନା ପହଂଚିବା ପରେ ପରଂପରା ଭାଙ୍ଗି ତାଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରୋଟୋକଲ ଛାଡି ମୋଦି ଶେଖ ହସିନାଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟ ଆସିଥିଲେ । ଏପରିକି କୌଣସି ରୁଟ ରେଷ୍ଟ୍ରିକସନ ନ କରି ନର୍ମାଲ ଟ୍ରାଫିକରେ ପ୍ରଧାନମନ୍ତ୍ରୀ ମୋଦି ଏୟାରପୋର୍ଟ ପହଂଚିଥିବା ପିଏମଓ ସୂତ୍ରରୁ ସୂଚନା ମିଳିଛି ।

ଆସନ୍ତାକାଲି ବାଂଲାଦେଶ ପ୍ରାଇମିନିଷ୍ଟର ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଏଥିରେ ସାମରିକ ସହାୟଦତା ପାଇଁ ଭାରତ-ବାଂଲାଦେଶ ମଧ୍ୟାରେ ୫ଶହ ମିଲିୟନ ଡଲାରର ଚୁକ୍ତି ହେବା ସମ୍ଭାବନା ରହିଛି । ଏହାଛଡା ଦୁଇ ଦେଶ ମଧ୍ୟରେ ୨୫ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଜଣାପଡିଛି । ଏହାପରେ ଶେଖ ହସିନା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ବିରୋଧୀ ଦଳର ନେତ୍ରୀ ସୋନିଆ ଗାନ୍ଧିଙ୍କୁ ମଧ୍ୟ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ରବିବାର ଦିନ ଆଜମେର ଯିବେ ଶେଖ ହସିନା ଓ ସେଠାରେ ଭାରତୀୟ ବ୍ୟବସାୟୀଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟ ପୁଂଜି ନିବେଶ ଉପରେ ଆଲୋଚନା କରିବେ ।

ସେହିପରି ସେ ମାନେକସ ସେଂଟରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ଯୋଗ ଦେବେ । ସେଠାରେ ୧୯୭୧ ମସିହା ବାଂଲାଦେଶ ମୁକ୍ତି ଆନ୍ଦୋଳନରେ ପ୍ରାଣ ହରାଇଥିବା ଭାରତୀୟ ସୈନ୍ୟଙ୍କ ପରିବାର ଲୋକଙ୍କୁ ସମ୍ମାନୀତ କରାଯିବ । ତେବେ ଶେଖ ହସିନାଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସଂପର୍କରେ ସୁଦୃଢତା ଆଣିବ । ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟିକ ସଂପର୍କ ଏକ ଉଚ୍ଚ ସୋପାନକୁ ଯିବ ବୋଲି ଉଭୟ ପକ୍ଷ ଆଶାବାଦୀ ଅଛନ୍ତି ।