ଷ୍ଟାଡିୟମରେ କାହିିଁକି ଭୋ ଭୋ ହୋଇ କାନ୍ଦିଲେ ଟିମ ଇଣ୍ଡିଆର କୁନି ପ୍ରଂଶସକ! ବୁଝାଇବାକୁ ଭୁବନେଶ୍ୱର କୁମାର ଫୋନ କଲେ, ରସିଦ ଖାନ ଫଟୋ ନେଲେ । ଦେଖନ୍ତୁ ସେହି ସମୟର ଭିଡିଓ

67

ଏସିଆ କପ ଟାଇଟଲ ପାଇଁ ଆଜି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଭାରତ-ବାଂଲାଦେଶ । ଭାରତ ଟସ୍ ଜିତି ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ତେବେ ଏସବୁ ଭିତରେ ଭାରତ-ଆଫଗାନିସ୍ତାନ ସୁପର-୪ ମ୍ୟାଚର ରୋମାଞ୍ଚକର ମୁକାବିଲାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ କୁନି ଭାରତୀୟ କ୍ରିକେଟ ଫ୍ୟାନଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଛି । ଆଉ ଏହି କୁନି ଫ୍ୟାନ ଏବେ ସୋସିଆଲ ମିଡିଆର ନୂଆ ସେନସେସନ ପାଲଟି ଯାଇଛନ୍ତି ।


୨୬ ସେପ୍ଟେମ୍ବର । ଏସିଆ କପର ସୁପର-୪ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ-ଆଫଗାନିସ୍ତାନ । ତେବେ ଏହି ମ୍ୟାଚରେ ଆଫଗାନିସ୍ତାନ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତ ସହ ମ୍ୟାଚ ଟାଇ କରିବାକୁ ସକ୍ଷମ ହୋଇଥିଲେ । ଆଫଗାନିସ୍ତାନର ୨୫୨ ରନ ଜବାବରେ ଭାରତ ମଧ୍ୟ ସମସ୍ତ ୱିକେଟ ହରାଇ ୨୫୨ ହିଁ କରିବାକୁ ସକ୍ଷମ ହୋଇଥିଲା । ତେବେ ଶେଷ ଓଭରରେ ରବୀନ୍ଦ୍ର ଜାଡେଜା ଆଉଟ ହେବା କ୍ଷଣି ଗ୍ୟାଲେରୀରେ ବସିଥିବା ଏକ କୁନି ଭାରତୀୟ ଫ୍ୟାନ ଅର୍ଜନ ସିଂହ ଭୋ ଭୋ ହୋଇ କାନ୍ଦିଥିଲେ । କୁନି ପ୍ରଂଶସକକୁ ଲାଗିଥିଲା କି ଭାରତ ଏହି ମ୍ୟାଚ୍ ହାରିଗଲା । ଆଉ ଏହି ସମୟରେ କୁନି ପ୍ରଂଶସକ କାନ୍ଦୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା । ଆଉ ଏହା ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ପୂରା ଦୁନିଆ ଏହି କୁନି କ୍ରିକେଟପ୍ରେମୀଙ୍କ କ୍ରିକେଟପ୍ରେମକୁ ଦେଖି ଆଶ୍ଚଯ୍ୟ ହୋଇଯାଇଥିଲା । ତେବେ ସେ ଗ୍ୟାଲେରୀରେ କାହିଁକି କାନ୍ଦୁଥିଲେ ତାହାର କାରଣ କହିଛନ୍ତି ଅର୍ଜନ ।


ଅର୍ଜନ କହିଛନ୍ତି, ମୁଁ ଶେଷ ପର୍ଯ୍ୟନ୍ତ ମ୍ୟାଚର ମଜା ନେଇଥିଲି । ଏପରିକି ଯେତେବେଳେ ଜିତିବାକୁ ମାତ୍ର ୧ ରନ ଆବଶ୍ୟକ ଥିଲା ସେତେବେଳେ ଜାଡେଜା ଏକ ବଡ ସଟ ଖେଳିଥିଲେ । କିଛି ସମୟ ପାଇଁ ଲାଗିଥିଲା ଯେ ବଲଟି ବାଉଣ୍ଡରୀ ଲାଇନ ପାର କରିବା ସହ ଛକା ହୋଇଯିବ । କିନ୍ତୁ ଏହି ସଟ ଖେଳିବା ପ୍ରୟାସରେ ନିଜ ୱିକେଟ ହରାଇଥିଲେ ଜାଡେଜା । ଆଉ ଏହାସହ ଟାଇରେ ଶେଷ ହୋଇଥିଲା ମ୍ୟାଚ୍ । ଏହାସହ ଅର୍ଜନ କହିଛନ୍ତି, ସେ ଚାହୁଁନଥିଲେ କି ଅଧିନାୟକ ଭାବେ ଧୋନି ନିଜର ଶେଷ ଦିନିକିଆ ହାରନ୍ତୁ । ସେଥିପାଇଁ ସେ କାନ୍ଦିଥିଲେ ।


କାନ୍ଦିବା ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଷ୍ଟାର ପାଲଟି ଯାଇଥିଲେ ଅର୍ଜନ । ଏପରିକି ତାଙ୍କୁ ହରଭଜନ ମଧ୍ୟ ବୁଝାଇଥିଲେ ଯେ, ଫାଇନାଲ ମ୍ୟାଚରେ ଭାରତ ଜିତିବ । ଏହାଛଡା ଏହି କୁନି ଫ୍ୟାନଙ୍କୁ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫୋନ କରି ମଧ୍ୟ ବୁଝାଇଥିଲେ । ଖେଳ ଶେଷରେ ଆଫଗାନିସ୍ତାନର ଷ୍ଟାର ବୋଲର ରଶିଦ ଖାନ ମଧ୍ୟ ଅର୍ଜନଙ୍କ ସହ ଫଟୋ ଉଠାଇଥିଲେ । ଆଉ ଏସବୁ ଭିତରେ ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଦେଖିବାକୁ ମଧ୍ୟ ଷ୍ଟାଡିୟମରେ ପହଞ୍ଚିଛନ୍ତି ଅର୍ଜନ ।