ସମ୍ବର୍ଦ୍ଧନା ସଭାକୁ ଆସିଲେନି ଅପରାଜିତା । ଭୁବନେଶ୍ୱରରେ ସଭା ହେଉଥିଲେ ମଧ୍ୟ ଅନୁପସ୍ଥିତ ରହିଲେ ଭୁବନେଶ୍ୱର ସାଂସଦ, ହେଲେ କାହିଁକି?

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଖାଲି ଅପରାଜିତା ନୁହଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ସାଂସଦ ସୁରେଶ ପୂଜାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ବୋଲି ଜଣାପଡିଛି ।

3,473

କନକ ବ୍ୟୁରୋ: ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ପୂରା ବିଜେପିର ରାଜ୍ୟ ୟୁନିଟ ଏକାଠି ହୋଇଥିଲା । ପ୍ରଦର୍ଶନୀ ପଡିଆରେ କାର୍ଯ୍ୟକ୍ରମ ଆୟୋଜନ ସହ ଭବ୍ୟ ସ୍ୱାଗତ କରାଯାଇଥିଲା ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର । ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡିଶା ଆସିଥିବା ଏହି ଦୁଇ ନେତାଙ୍କୁ ନେଇ ଚଳଚଂଚଳ ଥିଲା ରାଜ୍ୟ ବିଜେପି । ଦଳର ବରିଷ୍ଠ ନେତା, ବିଧାୟକ, ପ୍ରଭାରୀ, ସାଂସଦ ସମସ୍ତେ ଉପସ୍ଥିତ ଥିଲେ ।

ହେଲେ ଏହି ପୁରା ପ୍ରକରଣ ଭିତରେ ଗୋଟିଏ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଖାଲି ଅପରାଜିତା ନୁହଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ସାଂସଦ ସୁରେଶ ପୂଜାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ବୋଲି ଜଣାପଡିଛି ।

ବଡ ପ୍ରଶ୍ନ ହେଉଛି, ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲେ ମଧ୍ୟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କାହିଁକି କାର୍ଯ୍ୟକ୍ରମରୁ ଦୂରେଇ ରହିଲେ? ଏହାପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି କି? ପୂର୍ବ ନିର୍ଦ୍ଧାରିତ କିଛି କାର୍ଯ୍ୟକ୍ରମ ପାଇଁ ଅପରାଜିତା ଷଡଙ୍ଗୀ ଆସିଲେ ନାହିଁ ନା ଏହା ପଛରେ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ବାର୍ତ୍ତା ରହିଛି? ଏହି ପ୍ରଶ୍ନ ଏବେ ରାଜନୈତିକ ଅଳିନ୍ଦରେ ଘୁରି ବୁଲୁଛି ।

ଭୁବନେଶ୍ୱରରେ ପହଁଚିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଯେତେବେଳେ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା, ସେଠାରେ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ । ହେଲେ ଅପରାହ୍ନରେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ସେଠାରେ ଅପରାଜିତାଙ୍କ ଦେଖା ମିଳିନଥିଲା । ହେଲେ ଏହା ପଛରେ କଣ ନିର୍ଦ୍ଧିଷ୍ଟ କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ସମ୍ବର୍ଦ୍ଧନା ସଭା ସ୍ଥଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସେହିଭଳି ସୁରେଶ ପୂଜାରୀ, ଶୀତଳ ଷଷ୍ଠୀ ପାଇଁ ଆସିପାରିନଥିବା ଜଣାପଡିଥିବା ବେଳେ ଜୁଏଲ ଓରାମଙ୍କ ପାଇଁ ସୁନ୍ଦରଗଡରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିବାରୁ ସେ ଆସିନଥିବା ସୂଚନା ମିଳିଛି । ହେଲେ ଅପରାଜିତା ଷଡଙ୍ଗୀ କାହିଁକି ଅପରାହ୍ନରେ ହୋଇଥିବା ସମ୍ବର୍ଦ୍ଧନା ସଭାକୁ ଆସିନଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ପୂର୍ବରୁ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଦଳ ଭିତରେ ଚାପା ଗୁଂଜରଣ ଶୁଣିବାକୁ ମିଳିଥିଲା । ଦଳର ଆଭିମୁଖ୍ୟ ସହ ତାଳମେଳ ରହୁନଥିବାରୁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିବା ଯଦିଓ ଅନୁମାନ କରାଯାଉଥିଲା, ହେଲେ ଏହାକୁ ନେଇ ସେଭଳି କୈାଣସି ପ୍ରତିକ୍ରିୟା ସାମ୍ନାକୁ ଆସିନଥିଲା ।

ତେବେ ସମ୍ବର୍ଦ୍ଧନା ସଭାରେ ଅପରାଜିତା ଅନୁପସ୍ଥିତ ରହିବା ଘଟଣାକୁ ନେଇ ରାଜନୈତିକ ମହଲରେ ଢେର ଚର୍ଚ୍ଚା ଚାଲିଛି । ଉଭୟ କ୍ୟାମ୍ପ ଭିତରେ ସବୁକିଛି ଠିକ ଚାଲିଛି ନା କିଛି ମନୋମାଳିନ୍ୟ ରହିଛି, ତାକୁ ନେଇ ଏବେ ଚାଲିଛି ତର୍ଜମା । ଏନେଇ ଦଳୀୟ ମହଲରୁ ମଧ୍ୟ କୈାଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।