ଅନୀଲଙ୍କ ପାଇଁ ଅମିତାଭଙ୍କୁ ନା ! ଜାଣନ୍ତୁ କାହିଁକି ବିଗ୍ ବିଙ୍କ ସହ ଏକାଠି ଅଭିନୟ କରୁନାହାଁନ୍ତି ମାଧୁରୀ ଦୀକ୍ଷିତ୍

47

ବଲିଉଡର ମେଗାଷ୍ଟାର୍ ଅମିତାଭ୍ ବଚ୍ଚନ । ଅଭିନୟର ଚିତ୍ର ଚରିତ୍ରର ଜଣେ ମାଇଲଖୁଂଟ । ଯାହାଙ୍କ ଅନେକ ସଫଳତା ଓ ଅନେକ ଯଶ । ସାରା ବିଶ୍ୱରେ ତାଙ୍କର ନାଁ ହିଁ ତାଙ୍କର ପରିଚୟ । ବିଗ୍ ବିଙ୍କ ସହ କାମ କରିବାକୁ କିଏ ବା ନ ଚାହିଁବ । ଆଜି ବି ତାଙ୍କ ସହ କରିବାକୁ ନାୟିକା ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ । କିନ୍ତୁ ବି ଟାଉନର ଜଣେ ମାତ୍ର ଅଭିନେତୀ ବିଗ୍ ବିଙ୍କ ସହ କାମ କରିବାର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ସିଏ ହେଉଛନ୍ତି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ ।

ସମୟ ହେଉଛି ୮୦ ଏବଂ ୯୦ ଦଶକର । ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ଦେଇ ବଲିଉଡର ସୁପରଷ୍ଟାର୍ ପାଲଟିଯାଇଥିଲେ ଅମିତାଭ୍ । ହେଲେ ମାଧୁରୀଙ୍କ ସହ ଗୋଟିଏ ବି ସିନେମାରେ ଅଭିନୟ କରିନଥିଲେ ବିଗ୍ ବି । ଏପରିକି ନିଜେ ଅମିତାଭ୍ ମଧ୍ୟ ଅନେକ ଥର ମାଧୁରୀଙ୍କୁ ଏକାଠି ଅଭିନୟ ପାଇଁ ଅଫର୍ ଦେଇଥିଲେ । କିନ୍ତୁ ସବୁଥର ମାଧୁରୀ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

ଜାଣି ଆଶ୍ଚର୍ଯ୍ୟ ହେବେ ମାଧୁରୀଙ୍କ ଏହି ନିଷ୍ପତି ପଛର କାରଣ ହେଉଛନ୍ତି ଅନୀଲ୍ କପୁର୍ । କାରଣ ସେ ସମୟରେ ଅମିତାଭ୍ ଏବଂ ଅନୀଲ୍ କପୁର ପରସ୍ପରର ପ୍ରତିଦ୍ୱନ୍ଦୀ ଥିଲେ । ତେଣୁ ଅନୀଲ୍ କପୁର୍ କେବେ ବି ଚାହୁଁ ନଥିଲେ ଅମିତାଭଙ୍କ ସହ ମାଧୁରୀ ଦୀକ୍ଷିତ୍ କାମ କରନ୍ତୁ ବୋଲି । ତେବେ ଡେଭିଡ୍ ଧୱନ୍ ମାତ୍ର ଥରୁଟିଏ ମାଧୁରୀ ଏବଂ ଅମିତାଭଙ୍କୁ ଏକାଠି ରୂପେଲି ପରଦାରେ ଆଣିବାରେ ସଫଳ ହୋଇଥିଲେ । ସିନେମା ‘ବଡେ ମିୟାଁ ଛୋଟେ ମିୟାଁ’ରେ ଉଭୟ ଗୋଟିଏ ଗୀତରେ ନଜର ଆସିଥିଲେ ।

ତେବେ ଅନୀଲ୍ କପୁରଙ୍କ କଥା ମାନି ମାଧୁରୀ ଦୀକ୍ଷିତ୍ ବିଗ୍ ବିଙ୍କ ସହ କାମ ନକରିବାର କାରଣ ମଧ୍ୟ ରହିଛି । ଯେତେବେଳେ ବଲିଉଡରେ ନିଜ ପରିଚୟ ସୃଷ୍ଟି କରିବା ପାଇଁ ମାଧୁରୀ ସଂଘର୍ଷ କରୁଥିଲେ ସେତେବେଳେ ଅନୀଲ୍ କପୁର୍ ତାଙ୍କୁ ସାହାଯ୍ୟ କରିଥିଲେ । ଏହି ଯୋଡି ଦର୍ଶକଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି । ତା ମଧ୍ୟରେ ରହିଛି ତେଜାବ୍, ରାମ୍ ଲକ୍ଷନ୍, କିଷନ୍ କହ୍ନେୟା, ବେଟା ଏବଂ ପୁକାର୍ ଭଳି ଅନେକ ବ୍ଲକ୍ ବଷ୍ଟର୍ ସିନେମା ।

ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ । ଅନୀଲଙ୍କ ସହ ଏବଂ ଅନୀଲଙ୍କ ପାଇଁ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ମାଧୁରୀ ଦୀକ୍ଷିତ୍ । ନିଜ କ୍ୟାରିୟର୍ ପାଇଁ ସେ ଅନୀଲଙ୍କୁ ଖୁବ୍ ସ୍ପେଶାଲ୍ ବୋଲି ମାନନ୍ତି । ତେଣୁ ଏହି କାରଣରୁ ଆଜି ଯାଏଁ ସେ ଅନୀଲଙ୍କ ବିପକ୍ଷରେ ଯାଇ କୌଣସୀ କାମ କରି ନାହାଁନ୍ତି ।

ଏହା ଭିତରେ ଉଭୟଙ୍କୁ ନେଇ ବି ଟାଉନରେ ଅନେକ କାହାଣୀ ଶୁଣିବାକୁ ମିଳୁଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା । କିନ୍ତୁ ଏନେଇ କେବେ ସେମାନେ ମୁହଁ ଖୋଲି ନାହାଁନ୍ତି । ଇଣ୍ଡଷ୍ଟ୍ରିରେ ସେଲିବ୍ରିଟିମାନେ ଅନେକ ସମୟରେ ପରସ୍ପରର ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ କାମ ସରିବା ପରେ ନିଜ ନିଜ ବାଟ ଦେଖି ଚାଲିଯାଆନ୍ତି । ହେଲେ ମାଧୁରୀ ଏହି ମାମଲାରେ ଅନ୍ୟମାନଙ୍କଠାରୁ ଅଲଗା । ଯେଉଁଠି ବଲିଉଡ୍ ଶେହେନଶାହାଙ୍କ ସହ କାମ କରିବାକୁ କଳାକାରମାନେ ପରସ୍ପର ସହ ଏକ ପ୍ରକାର ପ୍ରତିଯୋଗୀତା କରିଥାନ୍ତି , ସେଠି କିନ୍ତୁ ଅନୀଲଙ୍କ ଇଚ୍ଛାକୁ ସମ୍ନାନ ଦେବାକୁ ଯାଇ ବିଗ୍ ବିଙ୍କ ସହ ସ୍କ୍ରିନ୍ ସେୟାର୍ କରିବାକୁ ମନା କରିଥିଲେ ମାଧୁରୀ ।