ବିଜୟ ଆମର, ପରାଜୟ ତୁମର! ରାଫେଲ ପାଇଁ ବାହାରି ଆସିଲେ, କିନ୍ତୁ ନିର୍ବାଚନ ହାରିବା ବେଳେ ଦେଖା ମିଳିଲାନି ।

380

କନକ ବ୍ୟୁରୋ : ଜିତିଲେ ଆମେ, ହାରିଲେ ତୁମେ । ଜିତିଲେ ମୋଦି ହାୱା, ହାରିଲେ ସରକାର ବିରୋଧୀ ହାୱା । ଏଭଳି ଏକ କଥା ଏଥିପାଇଁ ଉଠୁଛି କାରଣ ବିଜେପି ଶାସିତ ୩ଟି ରାଜ୍ୟରେ ପଦ୍ମ ଝାଉଁଳି ପଡିବା ପରେ ଏବେ ବିଜେପି ଶିବିରରେ ଅସମ୍ଭବ ନୀରବତା ଖେଳିଯାଇଛି । ବିଜେପି ହାତରୁ ହିନ୍ଦୀ ହାର୍ଟଲାଇନ ଯିବା ପରେ ସତେ ଯେମିତି ଚୁପ୍ ହୋଇଯାଇଛନ୍ତି ବିଜେପି ଚାଣକ୍ୟ । ପ୍ରତିଦିନ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷୁଥିବା ଅମିତଙ୍କର ମୁହଁ ବନ୍ଦ କରି ଦେଇଛି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ । ନିର୍ବାଚନ ଫଳାଫଳ ଆସିବାର ୨ ଦିନ ବିତିଗଲାଣି କିନ୍ତୁ ଶାହାଙ୍କ ମୁହଁରୁ ଏଯାଏଁ ଫଳାଫଳ ବାବଦରେ ପଦୁଟିଏ କଥା ବାହାରିନି । ଅଥାର୍ତ ପରାଜୟ ପରେ ବିଜେପି ଅଧ୍ୟକ୍ଷଙ୍କ ପାଟି ଚୁପ୍ ହୋଇଯାଇଛି ।

୩ଟି ରାଜ୍ୟରେ ବିଜେପିର ପରାଜୟକୁ ନେଇ ମୁହଁ ଖୋଲୁନଥିବା ଅମିତ୍ କିନ୍ତୁ ଆଜି ରାଫେଲ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିବାକୁ ଭୁଲିନାହାନ୍ତି । କାରଣ ରାଫେଲ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିଜେପି ପାଇଁ ଏକ ନୈତିକ ବିଜୟ ଭାବେ ଉଭା ହୋଇଛି । ଆଉ ଏହି ବିଜୟ ୩ଟି ରାଜ୍ୟର ପରାଜୟର ଦୁଃଖ ଠାରୁ ମଧ୍ୟ ବିଜେପି ଚାଣକ୍ୟଙ୍କ ପାଇଁ ଅଧିକ ଖୁସି ଆଣି ଦେଇଛି । ୩ ଦିନ ହେବ ଗଣମାଧ୍ୟମରୁ ଗାଏବ ହୋଇଯାଇଥିବା ଅମିତଙ୍କୁ ଆଜି ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା କ୍ଷଣି ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଏପରିକି ରାଫେଲକୁ ନେଇ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ସେଥିପାଇଁ କ୍ଷମା ମାଗୁ ବୋଲି କହିଥିଲେ ଅମିତ ।

କେବଳ ଅମିତ ନୁହଁନ୍ତି ବିଜେପିର ହେଭିୱେଟ ଅରୁଣ ଜେଟଲୀ ଓ ନିର୍ମଳା ସୀତାରମଣ ମଧ୍ୟ ରାଫେଲ ରାୟ ଆସିବା ପରେ ତତକ୍ଷଣାତ ସାମ୍ବାଦିକ ସମ୍ମିଳନୀ କରିବାକୁ ପଛାଇ ନାହାନ୍ତି । କିନ୍ତୁ ୩ଟି ରାଜ୍ୟର ପରାଜୟ ନେଇ ବିଜେପିର କୌଣସି ହେଭିୱେଟ ନେତା ଏଯାଏଁ ତୁଣ୍ଡ ଖୋଲିନାହାନ୍ତି । ବରଂ ବିଜେପି ଶାସିତ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ପରାଜୟକୁ ସ୍ୱୀକାର କରିବା ସହ ଏହାର କାରଣ କ୍ୟାମେରା ଆଗରେ ବଖାଣିଛନ୍ତି । ଗୋଟିଏ ପଟେ ଯେତେବେଳେ ନିର୍ବାଚନ ପରାଜୟକୁ ନେଇ ବିଜେପିର ପାୱାରଫୁଲ କୋଟେରୀ ମୁହଁ ଖୋଲୁ ନାହାନ୍ତି ସେତେବେଳେ ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏହାକୁ ନୈତିକ ବିଜୟ ଭାବେ ଧରିନେଇ ଏହି ପାୱାରଫୁଲ କୋଟେରୀ କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଛନ୍ତି ।

ଅଥାର୍ତ ବିଜେପିର ଏହି ପାୱରଫୁଲ ଥିଙ୍କଟ୍ୟାଙ୍କକୁ ବିଜୟ ଛଡା ପରାଜୟ ସହଜରେ ଗ୍ରହଣ ହୁଏନି । ଦଳ ଯେତେବେଳେ ବିଜୟ ହାସଲ କରେ ସେତେବେଳେ ଏହାର ଶ୍ରେୟ ନେବାକୁ ଆଗେଇ ଆସନ୍ତି ଏହି ପାୱରଫୁଲ କୋଟେରୀ । ଏପରିକି ନିଜକୁ ବିଜୟ ପଛର ନାୟକ ଭାବେ ଚିତ୍ରଣ କରିବାର ମଉକା ଆଦୌ ହାତଛଡା କରନ୍ତି ନାହିଁ । ମୋଦିଙ୍କ ମ୍ୟାଜିକ ଓ ଶାହାଙ୍କ ଷ୍ଟ୍ରାଟେଜୀ ହିଁ ବିଜୟର ପ୍ରମୁଖ ଏଭଳି ଏକ ସନ୍ଦେଶ କର୍ମୀଙ୍କ ମନରେ ଭରି ଦେଇଥାନ୍ତି । ଯାହାର ଉଦାହରଣ ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ଦିନ ଦେଖିବାକୁ ମିଳିଥିଲା । ଯେତେବେଳେ ସରକାର ଗଢିବାକୁ ମ୍ୟାଜିକ ନମ୍ବର କୌଣସି ଦଳ ହାସଲ କରିନଥିଲେ ସେତେବେଳେ ଚୁପ ବସିନଥିଲେ ଶାହା । ପ୍ରେସମିଟ କରି ଗୋଆରେ ବିଜେପି ସରକାର ଗଢିବ ବୋଲି କହିଥିଲେ । ଏପରିକି ପରବର୍ତ୍ତୀ ସମୟରେ ଯେତେବେଳେ ଗୋଆରେ ସରକାର ଗଢିବାକୁ ବିଜେପି ସକ୍ଷମ ହେଲା ସେତେବେଳେ ଅମିତ୍ ଶାହାଙ୍କୁ ଏହା ପଛର ମୁଖ୍ୟ ନାୟକ ଭାବେ ଧାରଣା ସୃଷ୍ଟି କରାଗଲା ।

କିନ୍ତୁ ଏବେ ଯେତେବେଳେ ୩ଟି ରାଜ୍ୟରେ ବିଜେପି ପରାଜୟବରଣ କରିଛି ସେତେବେଳେ ଏହାର ବୋଝ ମୁଣ୍ଡାଇବାକୁ ସତେ ଯେମିତି ବିଜେପି ଚାଣକ୍ୟ ନାରାଜ । ରାଫେଲ ରାୟର କିଛି ଘଣ୍ଟା ମଧ୍ୟରେ ଯେତେବେଳେ ଅମିତ୍ ପ୍ରେସମିଟ୍ କରି କଂଗ୍ରେସକୁ ଟାର୍ଗେଟ କରୁଛନ୍ତି ସେତେବେଳେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ୨ ଦିନ ବିତି ଯାଇଥିଲେ ମଧ୍ୟ ନେଇ ଶାହା କାହିଁକି ଚୁପ୍ ରହିଛନ୍ତି  । କଣ କେବଳ ବିଜେପିର ବିଜୟ ହେଲେ ଏହି ପାୱରଫୁଲ କୋଟେରୀ କ୍ରେଡିଟ ନେବେ ଆଉ ପରାଜୟ ପାଇଁ ଏମାନେ କଣ ଦାୟୀ ନୁହଁନ୍ତି । ନା ଭାବମୂର୍ତ୍ତିରେ ଆଞ୍ଚ ନ ଆସିବାକୁ ଚୁପ୍ ରହିବାକୁ ଶ୍ରେୟସ୍କର ମଣୁଛନ୍ତି ବିଜେପି ଷ୍ଟ୍ରାଟେଜିଷ୍ଟ ।