ଯିଏ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ଛାତିରେ ଛନକା ଭରିଥିଲେ, ଇସ୍ରାଏଲର ପରମ ଶତ୍ରୁ ବୋଲାଉଥିଲେ । ଯାହାଙ୍କୁ କୁହାଯାଉଥିଲା ଇରାନର ବାହୁବଳୀ ।

3,460

କନକ ବ୍ୟୁରୋ: ଜେନେରାଲ କାସିମ ସୁଲେମାନି । ଇରାନର ବାହୁବଳୀ । ଆମେରିକା – ଇସ୍ରାଏଲର ପରମ ଶତ୍ରୁ । ଆମେରିକା ବାୟୁସେନାର ଆକ୍ରମଣରେ ଇରାନ ଅଲ କୁଦସ ଫୋର୍ସର ଟପ୍ କମାଣ୍ଡର ଜେନେରାଲ କାସିମ ସୁଲେମାନି ନିହତ ହୋଇଛି । ଏହାପରେ ଇରାନ ଓ ଆମେରିକା ମଧ୍ୟରେ ଉତେଜନା ଚରମ ସୀମାରେ ପହଂଚିଛି । ଜେନେରାଲ ସୁଲେମାନିର ମୃତ୍ୟୁରେ ଇରାନରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

୧୯୯୮ରେ ସୁଲେମାନିକୁ ଇରାନ ବିପ୍ଲବୀ ସୁରକ୍ଷାର ବିଦେଶୀ ଶାଖା କୁଦସ ଫୋର୍ସର ମୁଖ୍ୟ ପଦବୀ ମିଳିଥିଲା । ସିରିୟା ଓ ଇରାକରେ ହେଉଥିବା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଜେନେରାଲ ସୁଲେମାନି ଜଣାଶୁଣା । ଗୋଟିଏପଟେ ସାଉଦି ଆରବ ଓ ଇସ୍ରାଏଲ, ଇରାନକୁ ମିଡିଲ ଇଷ୍ଟ ଅର୍ଥାତ ମଧ୍ୟ-ପୂର୍ବାଂଚଳରେ ଆଗକୁ ବଢିବାରେ କଂଟା ସାଜିଛନ୍ତି । ଅପରପକ୍ଷରେ ଆମେରିକା, ଇରାନ ଉପରେ ଲଗାତର ଆକ୍ରମଣ କରିଚାଲିଛି । ଏହାସତ୍ୱେ ମଧ୍ୟ-ପୂର୍ବାଂଚଳରେ ଇରାନର ପ୍ରଭାବ ବିସ୍ତାର କରିବାରେ ମେଜର ଜେନେରାଲ ସୁଲେମାନିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏଥିପାଇଁ ଆମେରିକା ଓ ଇସ୍ରାଏଲର ପରମ ଶତ୍ରୁ ପାଲଟି ଯାଇଥିଲା ସୁଲେମାନି ।

ଗତ ୨୦ବର୍ଷରେ ଆମେରିକା, ଇସ୍ରାଏଲ ଓ ସାଉଦୀ ଏଜେନ୍ସି ଗୁଡିକ ସୁଲେମାନିକୁ ହତ୍ୟା କରିବା ପାଇଁ ବାରମ୍ବାର ପ୍ରୟାସ କରିିଥିଲେ । କିନ୍ତୁ ପ୍ରତିଥର ସେ ଖସିଯିବାରେ ସଫଳ ହେଉଥିଲା । ସୁଲେମାନି ନେତୃତ୍ୱରେ କୁଦସ ଫୋର୍ସ ଇରାନ ସୀମା ବାହାରେ ଆର୍ଥିକ, ରାଜନୈତିକ ଓ ଗୁଇନ୍ଦା ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲା । ଏପରିକି ବର୍ତମାନର ପରିସ୍ଥିତିରେ ଇରାନ ମୁଖ୍ୟ ସେନାକୁ ବାଦ୍ ଦେଇ କୁଦସ ଫୋର୍ସକୁ ଅଧିକ ଶକ୍ତିଶାଳୀ ମନେ କରାଯାଏ ।

୨୦୧୧ରେ ଯେତେବେଳେ ସିରିୟା ରାଷ୍ଟ୍ରପତି ବସର୍ ଅଲ୍ ଅସଦ୍ ଗୃହ ଯୁଦ୍ଧରେ ପରାସ୍ତ ଦ୍ୱାରରେ ପହଂଚିଯାଇଥିଲେ ସେହି ସମୟରେ ସୁଲେମାନିର କୁଦସ ଫୋର୍ସ ତାଙ୍କ ସପକ୍ଷରେ ସମର୍ଥନ ଯୋଗଡ କରିଥିଲା । ଏପରିକି ଇରାକରେ ଇସଲାମିକ ଷ୍ଟେଟକୁ ପରାସ୍ତ କରିବା ପାଇଁ ସଶସ୍ତ୍ର ସେନାର ସହାୟତା କରିଥିଲ ସୁଲେମାନି ।

ପୂର୍ବ ଇରାନରେ ରହୁଥିବା ସୁଲେମାନିକୁ ପରିବାର ଚଳାଇବା ପାଇଁ ୧୩ ବର୍ଷ ବୟସରୁ କାମ କରିବାକୁ ପଡିଥିଲା । ଏଥିସହ ଇରାନର ମୁଖ୍ୟ ନେତା ଖମେନଇର ଭାଷଣ ଶୁଣି ସେଠାରୁ ପ୍ରଭାବିତ ହୋଇଥିଲା ସୁଲେମାନି । ୧୯୭୯ରେ ଇରାନ କ୍ରାନ୍ତି ସମୟରେ ୬ ସପ୍ତାହର ତାଲିମ ନେଇ ଅଜରବୈଜାନ ପ୍ରାନ୍ତରେ ପ୍ରଥମ ଥର ପାଇଁ ଲଢେଇ କରିିଥିଲା ସୁଲେମାନି । ଏବଂ ଇରାନ-ଇରାକ ଯୁଦ୍ଧ ପରେ ସୁଲେମାନିକୁ ରାଷ୍ଟ୍ରୀୟ ହିରୋର ମର୍ଯ୍ୟାଦା ମିଳିଥିଲା । ୨୦୧୯ରେ ସୁଲେମାନିକୁ ଦେଶର ସର୍ବୋଚ୍ଚ ସୈନ୍ୟ ସମ୍ମାନରେ ସମ୍ମାନିତ କରିଥିଲେ ଖମନେଇ । ଏହାପରେ ତାର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ବିଷୟରେ ସାରା ବିଶ୍ୱ ଜାଣିଲା । ଆମେରିକା ଗତବର୍ଷ କୁଦସ ଫୋର୍ସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା । ଏପରିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂର୍ବରୁ ଧମକ ମଧ୍ୟ ଦେଇଥିଲେ ଜେନେରାଲ ସୁଲେମାନି ।