ଭାରତ- ଋଷ ଭାଇ ଭାଇ । ପୂରା ଦୁନିଆ ଦେଖିଲା ଭାରତ ଓ ଋଷର ବନ୍ଧୁତା

402

କନକ ବ୍ୟୁରୋ : ଦୁନିଆ ଦେଖିଲା ଭାରତ ଓ ଋଷର ବନ୍ଧୁତା । ୨ ଦିନିଆ ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ଲାଦିବୋସ୍ତକରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବାବେଳେ ଦୁଇ ଦେଶର ବନ୍ଧୁତା କେତେ ନିବିଡ ତାହା ଦେଖିବାକୁ ମିଳିଛି । ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ନିଆରା ବନ୍ଧୁତା ଦେଖିବାକୁ ମିଳିଛି । ଆଜି ସକାଳେ ଭେଟିବା ବେଳେ ପୁତିନ ପ୍ରଥମେ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ତାପରେ ଦୁଇ ନେତା କିଛି ସମୟ ପାଇଁ ନୌକା ବିହାର କରିଥିଲେ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ନେତା ।

ମିତ୍ରତାର ନୂଆ ସଂଜ୍ଞା ତିଆରି କରିବାକୁ ରୁଷିଆରେ ମୋଦି । ବୁଧବାର ସକାଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ଆଲିଙ୍ଗନ କରି ଭ୍ଲାଦିବୋସ୍ତୋରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି ପୁଟିନ୍ । ମୋଦି ପହଂଚିବା ପୂର୍ବରୁ ଏଠାରେ ପହଂଚି ଯାଇଥିଲେ ପୁଟିନ୍ । ଏହାପରେ ଜାହାଜରେ ବସି ଦୁଇନେତା ସିପ୍ ବିଲ୍ଡିଂ କମ୍ପେ୍ଲକ୍ସ ଅଭିମୁଖେ ଯାତ୍ରା କରିଥିଲେ । ବିଶ୍ୱ ନେତାଙ୍କ ସହ ବ୍ୟକ୍ତିଗତ କେମିଷ୍ଟ୍ରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରୁଷିଆରେ ମଧ୍ୟ ବୁଧବାର ଏହାର ଝଲକ ଦେଖିବାକୁ ମିଳିଛି ।

ପୂର୍ବରୁ ‘ସୋଚି’ରେ ମଧ୍ୟ ଏକାଠି ନୌକା ବିହାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ୍ । ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ଦୁଇ ନେତାଙ୍କ ଭିତରେ ଥିବା ବନ୍ଧୁତାର ନିବିଡତା ସାମ୍ନାକୁ ଆସିିଥିଲା । ଜାହାଜରେ ଯାତ୍ରା ସମୟରେ ଦୁଇନେତା ବିଶେଷ କରି ଜାହାଜ ନିର୍ମାଣ କ୍ଷେତ୍ରରେ ପରସ୍ପର ସହଭାଗିତାରେ କାମ କରିବାକୁ ଆଲୋଚନା କରିଥିଲେ । ଭେଦା ସିପ୍ ବିଲ୍ଡିଂ କଂମ୍ପେ୍ଲକ୍ସରେ ପହଂଚିବା ପରେ ବିଭିନ୍ନ ପ୍ରକଳ୍ପ ବାବଦରେ ମୋଦିଙ୍କୁ ବୁଝାଇଥିଲେ ପୁଟିନ୍ । ମୋଦି ମଧ୍ୟ ଟ୍ୱିଟ କରି ସିପିଂ ୟାର୍ଡରେ କିଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ହେଉଛି ସେ ବାବଦରେ ସୂଚନା ଦେଇଥିଲେ । ରୁଷିଆରୁ ଉତ୍ପାଦିତ ତେଲ ଓ ପ୍ରାକୃତିକ ବାସ୍ପକୁ ଭାରତ ସମେତ ସମଗ୍ର ବିଶ୍ୱବାଜରରେ ପହଂଚାଇବାରେ ପ୍ରମୁଖ ଭୂମିକା ନେବ ଏହି ସିଂପିଂ ୟାର୍ଡ ।

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ରୁଷିଆର ଫାର ଇଷ୍ଟ ରିଜିଅନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁଇ ଦିନିଆ ରୁଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ମୁଖ୍ୟ ଅତିଥି ଅଛନ୍ତି । ଭାରତର ଶକ୍ତି ଆବଶ୍ୟକତାକୁ ଦେଖି ରୁଷିଆର ଫାର ଇଷ୍ଟରେ ଭାରତୀୟ କମ୍ପାନିଗୁଡିକ ପାଇଁ ଅନେକ ସମ୍ଭାବନା ରହିଛି । ଆକାରରେ ଭାରତଠାରୁ ଦୁଇଗୁଣା ବଡ ଏହି ଅଂଚଳରେ ରହିଛି ପର୍ଯ୍ୟାପ୍ତ ପ୍ରାକୃତିକ ସଂପଦ । ହେଲେ ଏଠାକାର ଜନସଂଖ୍ୟା ମାତ୍ର ୮ ମିଲିଅନ୍ । ତେଣୁ ଭାରତର କୁଶଳୀ ମାନବସମ୍ବଳକୁ ଉପଯୋଗ କରି ଏହି କ୍ଷେତ୍ରର ବିକାଶ କରିବାକୁ ଚାହୁଁଛନ୍ତି ପୁଟିନ୍ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଦ୍ୱିପାକ୍ଷିକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛନ୍ତି ।