ଜଗନ୍ନାଥ ମନ୍ଦିରକୁ ଜଗିିବ ୧୦୧ଟି ସିସିଟିଭି ! ସେବାୟତଙ୍କ ଦାନ ଗ୍ରହଣ ଉପରେ ରଖିବ ନଜର

27

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ଦାନ ଗ୍ରହଣ ଉପରେ ନଜର ରଖିବାକୁ ଲାଗିବ ଆହୁରି ୨୩ ଟି କ୍ୟାମେରା । ବିଶେଷ କରି ମନ୍ଦିର ପରିସରରେ ଥିବା ବିଭିନ୍ନ ପାଶ୍ୱର୍ ମନ୍ଦିର ରହିବ ଏହି ସିସିଟିଭି ସ୍କାନରରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ଦାନ ଗ୍ରହଣ ନେଇ କଡାକଡି ହେବ କଟକଣା । ମନ୍ଦିର ଭିତର ଓ ପରିସରରେ ଲାଗିବ ଆହୁରି ୨୩ଟି ସିସିଟିଭି । ମନ୍ଦିରର ପ୍ରତିଟି ସ୍ଥାନର ଟିକିନିଖ୍ ଦୃଶ୍ୟ କଏଦ ହେବ କ୍ୟାମେରାରେ । ବିଶେଷ କରି ଯେଉଁଠି ପର୍ଯ୍ୟଟକଙ୍କଠାରୁ ସେବାୟତ ଦାନ ନେଉଥିବା ଅଭିଯୋଗ ହେଉଛି, ସେସବୁ ସ୍ଥାନକୁ ଜଗିବ ସିସିଟିଭି । ଶ୍ରଦ୍ଧାଳୁଙ୍କ ଦର୍ଶନଠାରୁ ପରିସରରେ ଥିବା ଅନ୍ୟାନ୍ୟ ମନ୍ଦିର ଓ ଆନନ୍ଦ ବଜାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିବ ସିସିଟିଭି ସ୍କାନରରେ ।

ଠିକ୍ ମାସ ତଳେ, ମହାରାଷ୍ଟ୍ରର ଜଣେ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକାଠ ନିକଟରେ ମାଡ ମାରି ଲହୁଲୁହାଣ କରିପକାଇଥିଲେ ସେବାୟତ । ଶ୍ରୀମନ୍ଦିରରେ ଏଭଳି ବିଶୃଙ୍ଖଳା ପରେ ଭକ୍ତଙ୍କ ଠାରୁ ସେବାୟତ, ଦାନ ଗ୍ରହଣ ନକରିବାକୁ ସୁପ୍ରିମକୋର୍ଟ କଡା ନିର୍ଦେଶ ଦେଇଥିଲେ । ଏହାପରେ ମନ୍ଦିରର ଚାରି ଦ୍ୱାରରେ ସୂଚନା ଫଳକ ଲଗାଇଥିଲା ପ୍ରଶାସନ ।

ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା ପୂର୍ବରୁ ବସିଥିବା ମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ସରକାରଙ୍କ ନ୍ୟାୟିକ ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ପୂର୍ବରୁ ଶ୍ରୀମନ୍ଦିରରେ ୭୮ଟି ସିସିଟିଭି ଲଗାଯାଇଛି । ତେବେ ଏହି ୨୩ଟି ସିସିଟିଭି ଲଗାଯିବା ପରେ ଶ୍ରୀମନ୍ଦିରରେ ମୋଟ ୧୦୧ଟି ସିସିଟିଭି ଭକ୍ତ ଓ ସେବାୟତଙ୍କ ଉପରେ ନଜର ରଖିବ । କିନ୍ତୁ ବଡ଼ କଥା ହେଉଛି ଏତେ ସଂଖ୍ୟକ ସିସିଟିଭି ଲଗାଯିବା ପରେ ସେବାୟତଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆସୁଛି ନା ନାହିଁ ତାହା ଦେଖିବା ବାକି ରହିଲା ।