ସେବା ପାଇଁ ସଲାମ କରନ୍ତୁ… କରୋନା ମୁକାବିଲା ପାଇଁ ସେବା ଯୋଗାଉଥିବା ଲୋକଙ୍କୁ ଧନ୍ୟବାଦ ଦେବ ସାରା ଦେଶ । ୨୨ ସନ୍ଧ୍ୟାରେ ତାଳି ବାଜିବ, ସମ୍ମାନ ଜଣାଯିବ…

598

କନକ ବ୍ୟୁରୋ: କରୋନା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ । ଦେଶବାସୀଙ୍କୁ କରୋନା ସଂକ୍ରମଣ ଏବଂ ତାହାର କେମିତି ମୁକାବିଲା କରିହେବ ସେନେଇ ବିସ୍ତୃତ ବୀବରଣୀ ଦେଇଛନ୍ତି ମୋଦି । ବିଶ୍ୱମହାମାରୀର ମୁକାବିଲା କରୁଥିବା ସମସ୍ତଙ୍କ ପାଖେ ସେ କୃତଜ୍ଞ ବୋଲି କହିଥିବା ବେଳେ ସେମାନଙ୍କୁ ପୂରା ଦେଶ ସଲାମ ଜଣାଉ, ସେମାନଙ୍କ କାମ ଓ ସେବାକୁ ସମ୍ମାନ ଦେଉ ବୋଲି ମୋଦି ଆହ୍ୱାନ ଦେଇଛନ୍ତି । ତେଣୁ ସେବା କରୁଥିବା ଲୋକଙ୍କ ପାଇଁ ଦେଶବାସୀ ୫ ମିନିଟ ଧନ୍ୟବାଦ ଦେବାକୁ ସମୟ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ।

ତେବେ କୋରନା ପୂରା ମାନବ ଜାତି ପାଇଁ ସଙ୍କଟ ସାଜିଛି । ପ୍ରଥମ ବିଶ୍ୱ ଯୁଦ୍ଧରେ ବି ଏତେ ଦେଶ ପ୍ରଭାବିତ ହୋଇ ନଥିଲେ ତେଣୁ ସମସ୍ତେ ସତର୍କ ଏବଂ ସଜାଗ ରହି କରୋନା ଠାରୁ ବଞ୍ଚିବାର ବେଳ ଆସିଛି ବୋଲି ମୋଦି କହିଛନ୍ତି । ସକଳ୍ପ ଏବଂ ସଂଯମ ହେଲେ ମହାମାରୀର ମୁକାବିଲା କରିପାରିବା ବୋଲି ମୋଦି ପରାମର୍ଶ ଦେଇଥିବା ବେଳେ ଆସନ୍ତା ୨୨ ତାରିଖ ରବିବାର ସାରା ଦେଶ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ।

୨୨ ମାର୍ଚ୍ଚ ଦିନ ଦେଶବାସୀଙ୍କୁ ଘରୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି ମୋଦି । ଆଉ ସେହି ଦିନ ସନ୍ଧ୍ୟାରେ ସମସ୍ତେ କରୋନା ମୁକାବିଲା କରୁଥିବା ଲୋକଙ୍କୁ ଧନ୍ୟବାଦ ଦେବେ, ସାଲ୍ୟୁଟ୍ କରିବେ ।

ତେବେ ଡାକ୍ତର, ଗଣମାଧ୍ୟମ ସଦସ୍ୟ, ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ, ନର୍ସ ଯେଉଁମାନେ ବି ମୁକାବିଲା କରିବାରେ ନିଜକୁ ସାମିଲ କରିଛନ୍ତି, ସେବା ଯୋଗାଇ ଆସୁଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବାର ବେଳ ଉପନିତ ହୋଇଛି ବୋଲି ମୋଦି କହିଥିଲେ । ଆଉ ରବିବାର ଦିନ ନିଜ ଘରେ ରହି ସନ୍ଧ୍ୟା ୫ଟାରେ ୫ ମିନିଟ ପାଇଁ ତାଳି ମାରି, ଘଣ୍ଟା ବଜାଇ, ଥାଳି ବଜାଇ ଧନ୍ୟବାଦ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଖାଲି ଜନତା କାହିଁକି ପ୍ରତ୍ୟେକ ରାଜ୍ୟର ସରକାର ବି ଜନତା କର୍ଫ୍ୟୁକୁ ସଫଳ କରିବା ସହ ପ୍ରଶାସନ ସାଇରନ ବଜାଇ ଲୋକଙ୍କୁ ସୂଚନା ଦେଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।