ନିର୍ବାଚନ ପୂର୍ବରୁ ଅଙ୍କକଷା! ବିଜେଡିର୧୨୩ , ବିଜେପି ୧୨୦

34

କନକ ବ୍ୟୁରୋ : ଓଡିଶାରେ କିଏ ଗଢ଼ିବ ସରକାର । କିଏ ପାଇବ ସଂଖ୍ୟା ଗରିଷ୍ଠତା । କାହା ମୁଣ୍ଡରେ ଭୋଟର ଢ଼ାଳିବେ ସୁନା କଳସ । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ୧୨୦ପ୍ଲସ ସିଟ ପାଇବା ନେଇ ବାରମ୍ବାର ଦାବୀ କରି ଆସୁଥିବା ବେଳେ ଆଜି ବିଜୁ ଜନତା ଦଳ ଆଉ ପାଦେ ଆଗକୁ ଯାଇ କହିଛି ୧୨୩ ସିଟ ହାତେଇ ନେବ । ଯାହା ଏବେ ରାଜେନ÷ତିକ ମହଲରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ବିଜେପିର ୧୨୦ପ୍ଲସକୁ ଟକ୍କର ଦେବ ବିଜେଡିର ୧୨୩ ପ୍ଲସ । ମାନେ ଓଡିଶାରେ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢ଼ିବା ପାଇଁ ପ୍ରତିଦ୍ୱନ୍ଦିତା ଚାଲିଛି ବିଜେପି ଓ ବିଜେଡି ମଧ୍ୟରେ । ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୧୨୦ ଗୁଗଲୀ ଫିଙ୍ଗି ରାଜନୈତିକ ଚର୍ଚ୍ଚା ଆରମ୍ଭ କରିଥିବା ବେଳେ ଆଜି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଉ ପାଦେ ଆଗେଇ ଯାଇଛନ୍ତି । କହିଛନ୍ତି ବିଜେପି ଯେତେ ନେଉଛି ନେଉ ହେଲେ ବିଜେଡି ୧୨୩ ସିଟ ନେବା ଥୟ । ଖାଲି ସୂର୍ଯ୍ୟ ନୁହଁନ୍ତି ବରିଷ୍ଠ ନେତା ଦାମୋଦର ରାଉତ ବି ସମାନ ଅଙ୍କ କଷିଛନ୍ତି । ହେଲେ ବିଜେପି ନଛୋଡ ବନ୍ଧା । ଦଳର ଜଣେ ଜଣେ ନେତା ସିଧା ସିଧା କହିଛନ୍ତି ଶାହା ଗଣିତ ଭୁଲ ହୁଏନି ।

୨୦୧୯ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ସ୍ଥିତିରେ ଅଛନ୍ତିି । ଗାଁ ଗାଁରେ ବୈଠକ ପରେ ବୈଠକ କରି ଲୋକମତ ହାତେଇବାକୁ ଉଭୟେ ଚଲାଇଛନ୍ତି ପ୍ରୟାସ । ବିଜେପି ଆପଣାଇଛି ମୋ ବୁଥ ସବୁଠୁ ମଜବୁତ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳ ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛି । ସବୁ ବୁଥରୁ କିଛି କିଛି ଅନ୍ୟଦଳର କର୍ମୀଙ୍କୁ ନିଜ ଦଳରେ ମିଶାଇବାକୁ ବି ଉଦ୍ୟମ ହେଉଛି । ଗାଁ ଗାଁରେ ପହଂଚି ଲୋକଙ୍କ ସୁଖଦୁଃଖ ବୁଝିବାର ସୁଯୋଗକୁ ଆଦୌ ହାତଛଡା କରିବାକୁ ଚାହୁଁନାହାଁନ୍ତି ଦଳୀୟ ନେତା । ଜିଲ୍ଲାସ୍ତରୀୟ ନେତା ବି ସବୁ କାର୍ଯ୍ୟକ୍ରମରେ ପହଂଚି କର୍ମୀଙ୍କ ମନୋବଳ ବଢ଼ାଉଥିବା କହିଛି ଦଳ ।

ସେପଟେ ବିଜେପିର ଏହି କାର୍ଯ୍ୟକ୍ରମର ଅନୁରୂପ ଭାବେ ଏକ କାର୍ଯ୍ୟକ୍ରମ ହାତକୁ ନେଇଛି । ଯାହାର ନାଁ ରହିଛି ଆମ ଗାଁ ଆମ ବିକାଶ । ଏହି କାର୍ଯ୍ୟକ୍ରମ ସହ ଗାଁରେ ପହଂଚୁଛନ୍ତିି ଦଳୀୟ ନେତା । କେନ୍ଦ୍ରୀୟ ଅବହେଳା ଆଉ ରାଜ୍ୟ ସରକାରଙ୍କ ଉପଲବ୍ଧିର ଖବର ପହଂଚାଉଛନ୍ତି ଲୋକଙ୍କ ପାଖରେ । ଏଥିପାଇଁ ଦଳ ବିଭିନ୍ନ ବ୍ଲକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି । ଯେଉଁମାନଙ୍କୁ ଭୁବନେଶ୍ୱରରେ ଦୁଇଦିନିଆ ପ୍ରଶିକ୍ଷଣ ବି ଦିଆଯାଇଛି । ବୁଥ ନୁହେଁ ବରଂ ୱାର୍ଡ ଜଗିବାକୁ ବାହାରିଛି ବିଜେଡି ।

୨୦୧୪ ନିର୍ବାଚନରେ ୧୧୭ ଆସନରେ ବିଜୟୀ ହୋଇଥିଲା ବିଜେଡି । ଆଉ ୧୬ଟି ଆସନ ପାଇ ଦ୍ୱିତୀୟରେ ରହିଥିଲା କଂଗ୍ରେସ । ୧୦ ଆସନ ସହ ତୃତୀୟ ସ୍ଥାନ ଦଖଲ କରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ଏହାରି ଭିତରେ ବଦଳିିଯାଇଛି ରାଜନୈତିକ ଚିତ୍ର । ପଞ୍ଚାୟତ ନିର୍ବାଚନରେ ପଦ୍ମଫୁଟିଛି ଅନେକ ସ୍ଥାନରେ । ଯାହା ଶାସକ ଦଳର ଚିନ୍ତା ବଢ଼ାଇ ଦେଇଛି । ୧୭ବର୍ଷ ଧରି ନିରବଚ୍ଛିନ୍ନ ଶାସନ କ୍ଷମତା ଦଖଲ କରି ରଖିଥିବା ବିଜେଡି ପାଇଁ ବିଜେପିର ଶକ୍ତିବୃଦ୍ଧିକୁ ରୋକିବା ଏକପ୍ରକାର ଟାସ୍କ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି । ଅନ୍ୟପଟେ ଅଙ୍କ ଖେଳ ନୁହେଁ ବରଂ ଲୋକମତ ହିଁ ଶେଷ ଅଙ୍କ ବୋଲି ମତ ପ୍ରକାଶ ପାଇଛି ।

ବିଜେଡିର ଯୁକ୍ତି, ୧୯୯୦ରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳ ପାଇଥିଲା ୧୨୩ ଆସନ । ସେତେବେଳେ ୧୩୯ଟି ଆସନରେ ପ୍ରାର୍ଥୀ ଦେଇ ୧୨୩ ସିଟରେ ବିଜୟୀ ହୋଇ ରେକର୍ଡ କରିଥିଲେ ବିଜୁ । ଆଉ କଂଗ୍ରେସ ପାଇଥିଲା ମାତ୍ର ୧୦ଟି ସିଟ । ତେଣୁ ୨୦୧୯ରେ ଆଉଥରେ ୧୯୯୦ର ପୁନରାବୃତ୍ତି ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ଦଳ ।

ଦଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ବିଜେପି ଯେତେ ଆସନ ନେଉ ହେଲେ ବିଜେଡି ୧୨୩ ଆସନ ପାଇବା ଥୟ । ୧୪୭ ଆସନ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ଥିବା ବିଜେଡି ଅତିକମରେ ୧୨୩ ଆସନ ପାଇବ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।

ରାଜ୍ୟ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବାରୁ ଲୋକେ ପୁଣିଥରେ ଦଳକୁ ଶାସନ କରିବାର ସୁଯୋଗ ଦେବେ । ଅନ୍ୟପଟେ ପ୍ରଶିକ୍ଷିତ ପର୍ଯ୍ୟବେକ୍ଷକ ପଞ୍ଚାୟତକୁ ଯାଇ ସବୁ ଗାଁର ଲୋକଙ୍କୁ ଭେଟିବେ । ପ୍ରତି ପଂଚାୟତରେ ୨୦ ଜଣଙ୍କୁ ବାଛି ସେମାନଙ୍କର ନାଁ ଗାଁ ଠିକଣା ସହ ଯୋଗାଯୋଗ ନମ୍ବର ଆଣି ରାଜ୍ୟ କାର୍ଯ୍ୟାଳୟରେ ଦେବେ । ଗାଁ ଓ ପଂଚାୟତର ବିକାଶର ହିସାବ କିତାବ ସେହି ଲୋକଙ୍କ ଠାରୁ ବୁଝିବ ଦଳ । ତେଣୁ ଏହାଦ୍ୱାରା ଅଧିକ ଲୋକ ସିଧାସଳଖ ବିଜେଡି ସହ ଯୋଡିହେବେ ବୋଲି କହିଛନ୍ତି ସୂର୍ଯ୍ୟ ।

ସେପଟେ ସମାନ ଅଙ୍କ କଷିଛନ୍ତି ଦଳର ଆଉ ଜଣେ ବରିଷ୍ଠ ନେତା ତଥା କୃଷିମନ୍ତ୍ରୀ ଦାମୋଦର ରାଉତ । ଏକ ଦଳୀୟ ସମାରେ ସେ କହିଛନ୍ତି ବିଜେଡି ଗଣିତ ବି ଭୁଲ ହୁଏନି । ୧୨୩ ଆସନ ବିଜେଡି ଖାତାକୁ ଆସିବା ନିଶ୍ଚିତ ବୋଲି କହିଛନ୍ତି ଦାମ ।

ଅନ୍ୟପଟେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ଶାହା ଅଙ୍କ ଭୁଲ ହେବାର ପ୍ରଶ୍ନ ଉଠୁନି । ଯେୁଁ ରାଜ୍ୟରେ ଯେଉଁ ଟାର୍ଗେଟ ଦିଅନ୍ତିି ତାହା ସଫଳ ହୁଏ । ତେଣୁ ଓଡିଶାରେ ମଧ୍ୟ ଶାହାଙ୍କ ମିଶନ ୧୨୦ ସଫଳ ହେବ । ୧୯୯୦ ଆଉ ୨୦୧୯ ଭିତରେ ପାର୍ଥକ୍ୟ ଅଛି । ସମୟ ବଦଳିଛି । ପଂଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ଆସନ ହାତେଇ ବିଜେଡିକୁ ଚେକମେଟ ଦେଇଥିବା ଦଳ ପରିବର୍ତ୍ତନର ମଂଜି ବୁଣିଛି । ଓଡିଶା ପ୍ରତି କେନ୍ଦ୍ରୀୟ ଅନୁଦାନ ବଢ଼ିବା ଓ ଗରୀବ କଲ୍ୟାଣ ଯୋଜନାକୁ ଲୋକେ ଆପଣାଉଛନ୍ତିି । ତେଣୁ ୨୦୧୯ରେ ଦଳ ରାଜ୍ୟରେ ୧୨୦ ସିଟରେ ଜିତିବ ।

ଏସବୁ ଭିତରେ ଆସନ୍ତା ୬ ତାରିଖରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସଂପୂର୍ଣ୍ଣ ସାଂଗଠାନିକ ଆଲୋଚନା ପାଇଁ ଶାହା ଓଡିଶା ଆସୁଥିବା ବେଳେ ଗତ ଥର ଦେଇଥିବା ଟାସ୍କକୁ ଆଦାୟ କରିବେ ବୋଲି କୁହାଯାଉଛି । ସେପଟେ ରାଷ୍ଟ୍ରପାହ୍ୟାରୁ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯାହା ନବୀନଙ୍କ ସାମ୍ନାରେ ବିଜେପିକୁ ଶକ୍ତିଶାଳୀ କରିବ ବୋଲି ଅନୁମାନ କରାଯାଉଛି ।

ତେବେ ଯଦି ୨୦୧୮ରେ ଆଗୁଆ ନିର୍ବାଚନ ହୁଏ ତେବେ ଓଡିଶାରେ ଏହାର ପ୍ରତିଫଳନ କଣ ଦେଖିବାକୁ ମିଳିବ ତାକୁ ନେଇ ବି ପ୍ରତିକ୍ରିିୟା ପ୍ରକାଶ ପାଇଛି । ଏମିତି ଏକ ଚିତ୍ର ୨୦୦୪ରେ ଦେଖିବାକୁ ମିଳିଥିଲା । ତେଣୁ ୨୦୧୯ ବଦଳରେ ୨୦୧୮ରେ ଆଗୁଆ ନିର୍ବାଚନ ନେଇ ପଦକ୍ଷେପ ନେଇ ପାରନ୍ତି ରାଜ୍ୟ ସରକାର । ଓଡିଶା ରାଜନୈତିକ ମାନଚିତ୍ରରେ କିଛି ପରିବର୍ତ୍ତନ ହୋଇଛି । ଗତ ପଂଚାୟତ ନିର୍ବାଚନରେ ବିଜେପିର ନିଜର କାୟା ବୃଦ୍ଧି କରିଛି ।

ମୋଟାମୋଟି ଭାବେ ବାରମ୍ବାର ସଂଖ୍ୟା ଗରିଷ୍ଠତା ପାଇ ଆସୁଥିବା ବିଜେଡି ସାମ୍ନାରେ ଏକ ବୃହତ ବିରୋଧୀଦଳ ଭାବେ ଉଭା ହୋଇଛି । ତେଣୁ ରାଜ୍ୟରେ ୬ମାସ ପୂର୍ବରୁ ଆଗୁଆ ନିର୍ବାଚନ କରାଇ ରାଜନୈତିକ ଫାଇଦା ନେବାକୁ ବିଜେଡି ବି ପ୍ରସ୍ତୁତ ଥିବା କୁହାଯାଉଛି । ଯଦି ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସମୟରେ ହୁଏ ତେବେ ବିଜେପିର କେନ୍ଦ୍ରୀୟ ନେତା ଓଡିଶାରେ କ୍ୟାମ୍ପ କରିପାରିବେ ନାହିଁ ।ଗତ ପଂଚାୟତ ନିର୍ବାଚନ ସମୟରେ ମାଳମାଳ କେନ୍ଦ୍ରମନ୍ତ୍ରୀଙ୍କ ସହ ମୋଦି ଓ ଅମିତଙ୍କ ଗସ୍ତ ବିଜେଡି ପାଇଁ କ୍ଷତି ପହଂଚାଇଛି । ତେଣୁ ଏହାକୁ ପୁଣିଥରେ ଦୋହରାଇବାକୁ ଚାହଁବନି ଦଳ ।

ବର୍ତ୍ତମାନ ଦେଶର ରାଜନୈତିକ ବାତାବରଣକୁ ଦେଖିଲେ ଆଗାମୀ ୨୦୧୯ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୧୮ରେ କରାଯିବାକୁ ଏକ ପ୍ରକାର ନରେନ୍ଦ୍ର ମୋଦି ସରକାର ସଜବାଜ ହେଉଥିବା ଆକଳନ କରାଯାଉଛି । ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ସମୟରେ ନିର୍ବାଚନ ହେବା ଦ୍ୱାରା ସରକାରୀ ବିଧୀ ବ୍ୟବସ୍ଥା ପ୍ରଭାବିତ ହେବା ସହ ଦେଶ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା ବାରମ୍ବାର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୮ ଶେଷ ଆଡକୁ ଅଧିକାଂଶ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେଣୁ ଏକା ସାଂଗରେ ଲୋକସଭା ନିର୍ବାଚନ କରାଇବା ସରକାର ପାଇଁ ଉଭୟ ରାଜନୈତିକ ଓ ବ୍ୟବସ୍ଥାଗତ ଦୃଷ୍ଟିରୁ ଲାଭଜନକ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରାଜନୈତିକ ମହଲ ଚଳଚଞ୍ଚଳ ହୋଇଛି ।

ଭାରତୀୟ ସମ୍ବିଧାନରେ ମଧ୍ୟ ଏନେଇ ପ୍ରାବଧାନ ରହିଛି । କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ସୁବିଧା ଦୃଷ୍ଟିରୁ ଆଗୁଆ ନିର୍ବାଚନ କରାଇବା ନେଇ ନିଷ୍ପତି ନିଆଯାଇପାରେ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ଏହି ସୁଯୋଗର ଫାଇଦା ଉଠାଇପାରନ୍ତି ସରକାର । ୨୦୧୮ ନଭେମ୍ବର-ଡିସେମ୍ବରରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।

କର୍ଣ୍ଣାଟକ, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡରେ ବି ସରକାରଙ୍କର କାର୍ଯ୍ୟକାଳ ପୁରୁଛି । ଏହି ରାଜ୍ୟଗୁଡିକ ମଧ୍ୟରୁ ମିଜୋରାମ, ତ୍ରିପୁରା, ନାଗାଲାଣ୍ଡରେ ବିଜେପିର ସ୍ଥିତି ସୁଦୃଢ଼ ନାହିଁ । ଏକାସଙ୍ଗରେ ନିର୍ବାଚନ ହେଲେ ବିଜେପିକୁ ଫାଇଦା ହୋଇପାରେ । ୨୦୧୪ ଭଳି ଏସବୁ ରାଜ୍ୟରେ ବି ମୋଦି ଲହର ଖେଳାଇବାକୁ ଚେଷ୍ଟା କରିବ ଦଳ । ସେହିପରି ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଅରୁଣାଞ୍ଚଳ ପ୍ରଦେଶରେ ଦଳର ସାଂଗଠାନିକ ସ୍ଥିତି ଆଦୌ ଭଲ ନଥିଲା । ତେଣୁ ଏସବୁ ରାଜ୍ୟରେ ବି ଦଳ ସରକାର ଗଢ଼ିବା ନେଇ ରଣନୀତି ପ୍ରସ୍ତୁତ କରୁଛି ।