ଆଜି ଦ୍ୱିତୀୟ ଟ୍ୱେଣ୍ଟି-୨୦ ! ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସେପଟେ ଇଂଲଣ୍ଡ ପାଇଁ କର ବା ମର ସ୍ଥିତି ।

34

ଇଂଲଣ୍ଡ ବିପକ୍ଷ ଟ୍ୱେଣ୍ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ । ପ୍ରଥମ ମ୍ୟାଚ୍ ଭଳି ଏହା ମଧ୍ୟ ରାତି ୧୦ରୁ ଆରମ୍ଭ ହେବ । ମଙ୍ଗଳବାର ମାଞ୍ଚେଷ୍ଟରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ଆଗୁଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି । ସ୍ପିନ୍ ମୁକାବିଲା ସମସ୍ୟାରେ ପଡ଼ିଥିବା ଇଂଲଣ୍ଡର ଚିନ୍ତା ବଢ଼ିଯାଇଛି । ମଙ୍ଗଳବାର କୁଲଦୀପ ଯାଦବ (୫/୨୪) ଏବଂ କେ ଏଲ୍ ରାହୁଲ (୧୦୧ଞ୍ଚ)ଙ୍କ ଅପରାଜିତ ଶତକ ବଳରେ ଭାରତ ଏକପାଖିଆ ଭାବେ ୮ ଓ୍ଵିକେଟରେ ଜିତିଥିଲା । ଶୁକ୍ରବାର ମ୍ୟାଚ୍ ଜିତିଲେ କୋହଲି ଦଳ ୩ ମ୍ୟାଚ୍ ଶୃଙ୍ଖଳାକୁ ଆଗୁଆ ପକେଟସ୍ଥ କରିନେବ ।

ଭାରତ ମଧ୍ୟ ଲଗାତାର ଷଷ୍ଠ ଟ୍ୱେଣ୍ଟି-୨୦ ଶୃଙ୍ଖଳା ବିଜୟ ଦ୍ୱାରରେ ରହିଛି । ୨୦୧୭ ମସିହାରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ୨-୧ ବିଜୟଠାରୁ ଏହି ଧାରା ଆରମ୍ଭ ହୋଇଛି । ସେହିଭଳି ଗତ ସେପ୍ଟେମ୍ବରଠାରୁ ସମସ୍ତ ଦ୍ୱିପାକ୍ଷିକ ଶୃଙ୍ଖଳାରେ ବି ଭାରତ ଅପରାଜିତ ରହିଛି । ଆଇସିସି ମାନ୍ୟତା କଥା ଦେଖିଲେ ଭାରତ ୨-୦ରେ ଆଗୁଆ ହୋଇଗଲେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ନିକଟତର ହୋଇଯିବ । ୩-୦ରେ ଜିତିଗଲେ ଭାରତ ମଧ୍ୟ କଙ୍ଗାରୁ ଦଳକୁ ପଛରେ ପକାଇ ପାକିସ୍ତାନ ତଳେ ଦ୍ୱିତୀୟରେ ରହିଯିବ । ଇଂଲଣ୍ଡ ଦଳ ସୀମିତ ଓଭରରେ ଭଲ ପ୍ରଦର୍ଶନ କରୁଥିବାରୁ ପ୍ରଥମ ମ୍ୟାଚ୍ ପ୍ରଦର୍ଶନ ଘରୋଇ ଦଳ ପାଇଁ ଚିନ୍ତାଜନକ ହୋଇଛି । ବିଗତ ୧୦ ଟ୍ୱେଣ୍ଟି-୨୦ ଅନ୍ତର୍ଜାତୀୟ ମଧ୍ୟରୁ ଇଂଲଣ୍ଡ କେବଳ ୫ ଜିତିଛି ।

ପରାଜୟ ସତ୍ତ୍ୱେ ଇଂଲଣ୍ଡ ପାଇଁ କାର୍ଡିଫରେ ଦଳର ମୁଖ୍ୟ ଶକ୍ତି ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ ଦେବେ ବୋଲି ଆଶା କରାଯାଉଛି । ଭାରତ ପାଇଁ ଏକମାତ୍ର ଚିନ୍ତା ରହିଛି ଭୁବନେଶ୍ୱର କୁମାର ଏବଂ ଉମେଶ ଯାଦବଙ୍କ ନୂଆ ବଲ୍ ଯୋଡ଼ି ଫଳପ୍ରଦ ନ ହେବା । ଭାରତୀୟ ଦଳ କିନ୍ତୁ କୌଣସି ପରିବର୍ତନ କରିବା ସମ୍ଭାବନା ନାହିଁ । ବାମହାତୀ ସ୍ପିନ୍ କ୍ଷମତା ଦୃଷ୍ଟିରୁ କୃନାଲ ପାଣ୍ଡ୍ୟାଙ୍କ ନାମ ଦଳ ବିଚାର କରୁଥିଲେ ମଧ୍ୟ ଏଭଳି ସମ୍ଭାବନା ନାହିଁ । ଚହଲ ପ୍ରଭାବହୀନ ରହିଥିଲେ ମଧ୍ୟ ଗୋଟିଏ ମ୍ୟାଚ୍ ପରେ ତାଙ୍କୁ ବସାଇବା ସମ୍ଭାବନା କ୍ଷୀଣ । ଶେଷ ଥର ପାଇଁ କାର୍ଡିଫରେ ୨୦୧୪ରେ ଉଭୟ ଦଳ ଦିନିକିଆରେ ମୁହାଁମୁହିଁ ହୋଇଥିଲେ । ବର୍ଷାବାଧାପ୍ରାପ୍ତ ଏହି ମ୍ୟାଚରେ ସୁରେଶ ରାଇନାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଭାରତ ବିଜୟୀ ହୋଇଥିଲା ।

ଭାରତ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, କେଏଲ୍ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ଦୀନେଶ କାର୍ତିକ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, ହାର୍ଦିକ ପାଣ୍ଡ୍ୟା, ସିଦ୍ଧାର୍ଥ କଉଲ୍ ଏବଂ ଉମେଶ ଯାଦବ ।

ଇଂଲଣ୍ଡ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ମୋଇନ୍ ଅଲୀ, ଜନି ବେୟାରଷ୍ଟୋ, ଜାକ୍ ବଲ୍, ଜୋସ୍ ବଟଲର୍ (ଓ୍ଵିକେଟରକ୍ଷକ), ସାମ୍ କୁରାନ୍, ଆଲେକ୍ସ ହେଲସ, କ୍ରିସ୍ ଜୋର୍ଡାନ୍, ଲିଆମ୍ ପ୍ଲଙ୍କେଟ, ଆଦିଲ୍ ରସିଦ୍, ଜୋ ରୁଟ୍, ଜାସନ୍ ରୟ, ଡେଭିଡ୍ ଓ୍ଵିଲି, ଦାଓ୍ଵିଦ୍ ମଲାନ୍।