ସର୍ଭେରୁ ମିଳଲା ସଂକେତ ! ହାତୀ-ସାଇକେଲ ମେଣ୍ଟ ହେଲେ ୨୦୧୯ରେ ଫୁଟିବନି ପଦ୍ମ

ଅଖିଳେଶ-ମାୟାବତୀ ଏକାଠି ହେଲେ ମୋଦିଙ୍କ ପାଇଁ ଆଣିବ ବିପଦ ! ସରକାର ଗଢିବାକୁ ବିଜେପିକୁ କରିବାକୁ ପଡିବ ସଂର୍ଘଷ ।

219

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶରେ ରାଜନୈତିକ ପାରା ମଧ୍ୟ ସେତିକି ବଢୁଛି । ଆଉ ଏଭଳି ସମୟରେ ଆସିଛି ଆଉ ଏକ ସର୍ଭେ ରିପୋର୍ଟ । ସି-ଭୋଟର ସଂସ୍ଥା ପକ୍ଷରୁ ଦେଶର ସମସ୍ତ ଲୋକସଭା ଆସନକୁ ନେଇ କରାଯାଇଥିବା ସର୍ଭେରେ ଯେଉଁ ରିପୋର୍ଟ ଆସିଛି ତାହା ବିଜେପି ଶିବିରକୁ ଉତ୍ସାହିତ କରିଛି । କାରଣ ଦେଶରେ ପୁଣିଥରେ ଶାସନର ମଙ୍ଗ ଧରିବ ବିଜେପି । ୩୦୦ ସିଟ୍ ସହ ସରକାର ଗଢିବ ଏନଡିଏ । ସେହିଭଳି ୟୁପିଏ ମେଣ୍ଟକୁ ମିଳିବ ମାତ୍ର ୧୧୬ ସିଟ ମିଳିବାକୁ ଥିବା ବେଳେ ଅନ୍ୟ ଦଳ ଗୁଡିକୁ ମିଳିବ ୧୨୭ଟି ଆସନ ।

କିନ୍ତୁ ମୋଦିଙ୍କ ପାଇଁ ଏତେ ସହଜ ହେବନି ୨୦୧୯ ନିର୍ବାଚନ । କାରଣ ଯଦି ଉତ୍ତରପ୍ରଦେଶରେ ପିଉସୀ-ପୁତୁରା ଅଥାର୍ତ ଅଖିଳେଶ ଓ ମାୟାବାତୀ ମେଣ୍ଟ କରି ଏକାଠି ଲଢନ୍ତି ତେବେ ବିଜେପିକୁ ଲାଗିବ ବଡ ଝଟକା । ଏଭଳି ସ୍ଥିତି ଉପୁଜିଲେ ସରକାର ଗଢିବାକୁ ଥିବା ଆବଶ୍ୟକୀୟ ମ୍ୟାଜିକ ନମ୍ବରରୁ ୧୧ଟି ସିଟ୍ କମ ପାଇବ ଏନଡିଏ । ହାତୀ ଓ ସାଇକେଲ ଏକାଠି ଲଢିଲେ ସର୍ଭେ ରିପୋର୍ଟର ସମସ୍ତ ସମୀକରଣ ବଦଳିଯିବ । ୨୬୧କୁ ଖସିଆସିବ ଏନଡିଏର ଆସନ । କିନ୍ତୁ ସରକାର ଗଢିବାକୁ କୌଣସି ଦଳ ଆବଶ୍ୟକୀୟ ସଂଖ୍ୟା ହାସଲ କରିପାରିବ ନାହିଁ କୌଣସି ଦଳ । ୟୁୂପିଏ ମାତ୍ର ୧୧୯ଟି ଆସନରେ ସନ୍ତୁଷ୍ଟ ରହିବ । ଆଉ ଏହିଭଳି ସ୍ଥିତିରେ ୧୬୩ଟି ଆସନ ହାତେଇବ ଅନ୍ୟାନ୍ୟ ଦଳ । ଯଦି ହାତୀ ଓ ସାଇକେଲ ଏକାଠି ନ ଲଢନ୍ତି ତେବେ ଉତ୍ତର ପ୍ରଦେଶରେ ଏନଡିଏ ୭୦ଟି ଆସନରେ ବାଜିମାତ କରିବ । ଆଉ ଯଦି ଏସପି-ବିଏସପି ମଧ୍ୟରେ ଗଠବନ୍ଧନ ହୁଏ ତେବେ ଘାଟାରେ ପଡିବ ଏନଡିଏ । ଏଭଳି ସ୍ଥିତି ଉପୁଜିଲେ ମହାଗଠବନ୍ଧନ ମେଣ୍ଟ ୪୪ଟି ଆସନ ହାତେଇବ ଓ ଏନଡିଏ ମାତ୍ର ୩୧ଟି ଆସନ ପାଇବ । ଆଉ ଏହାସହ କେନ୍ଦ୍ରରେ ସରକାର ଗଢିବାକୁ ଏନଡିଏକୁ ସଂର୍ଘଷ କରିବାକୁ ପଡିବ ।

ସେହିଭଳି ଯଦି ଏଲଜିପି ଓ ଆରଏଲଏସପି ସହ ନୀତିଶଙ୍କ ଜେଡିୟୁଙ୍କୁ ବିଜେପି ସାଥୀ କରି ବିହାରେ ୨୦୧୯ ନିର୍ବାଚନ ଲଢେ ତେବେ ୩୪ଟି ଆସନ ହାତେଇବ ଓ ୟୁପିଏ ମାତ୍ର ୪ଟି ଆସନରେ ସନ୍ତୁଷ୍ଟ ହେବ । ମହାରାଷ୍ଟ୍ରରେ ମଧ୍ୟ ନିଜର ଜଲୱା ଦେଖାଇବ ବିଜେପି । ଯଦି ସମସ୍ତ ପାର୍ଟି ଅଲଗା ଅଲଗା ନିର୍ବାଚନ ଲଢନ୍ତି ତେବେ ମୋଟ ୪୮ଟି ଆସନରୁ ୨୩ଟି ଆସନରେ ଗେରୁଆ ବାନା ଉଡାଇବ ବିଜେପି । କଂଗ୍ରେସକୁ ୧୪ଟି ଆସନ, ଏନସିପି ୬ ଓ ଶିବସେନାକୁ ୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିବ ।

ତେବେ ପଶ୍ଚିମବଙ୍ଗରେ ପୁଣିଥରେ ଦିଦିଙ୍କ ଲୋକପ୍ରିୟତା ଆଗରେ ଫିକା ପଡିବ ମୋଦି-ଶାହାଙ୍କ ଷ୍ଟ୍ରାଟେଜୀ । ମୋଟ ୪୨ଟି ଆସନ ମଧ୍ୟରୁ ମମତାଙ୍କ ତୃଣମୁଳ କଂଗ୍ରେସ ୩୨ଟି ଜିତିବ ବୋଲି ସର୍ଭେ ରିପୋର୍ଟ କହୁଛି । ଅନ୍ୟପଟେ ବିଜେପି ମାତ୍ର ୯ଟି ଓ କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିବ । ତେବେ ଦକ୍ଷିଣ ରାଜ୍ୟ ଗୁଡିକରେ ପ୍ରଭାବହୀନ ରହିବ ବିଜେପି । କଢିରୁ ପଦ୍ମ ଫୁଟିବା ବିଜେପି ପାଇଁ କଷ୍ଟକର ହୋଇଯିବ ଏହି ରାଜ୍ୟ ଗୁଡିକରେ । କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁରେ ତେଭର ଦେଖାଇବେ ଆଞ୍ଚଳିକ ଦଳ । ଏହି ଆଞ୍ଚଳିକ ଦଳ ଆଗରେ ବିଜେପି ଓ କଂଗ୍ରେସ ପଛୁଆ ରହିଯିବେ । ଏହି ରାଜ୍ୟ ଗୁଡିକରେ ମୋଟ ୧୨୯ଟି ସିଟ୍ ମଧ୍ୟରୁ ଆଞ୍ଚଳିକ ଦଳ ଗୁଡିକ ୭୫ଟି ଆସନରେ ବାଜି ମାରିବେ । ତେବେ ଏହି ରାଜ୍ୟ ଗୁଡିକରେ ଏନଡିଏ ଠାରୁ ୟୁପିଏ ଆଗୁଆ ରହିବ । ୟୁପିଏ ୩୪ଟି ଆସନରେ ଜିତାପଟ ହାସଲ କରିବାକୁ ଥିବା ବେଳେ ଏନଡିଏକୁ ମିଳିବ ମାତ୍ର ୨୦ଟି ଆସନ ।

ଏହି ରିପୋର୍ଟ ରାହୁଲ ଗାନ୍ଧିଙ୍କ ପାଇଁ ମଧ୍ୟ ଖୁସି ଖବର ଆଣିଛି । ଲୋକପ୍ରିୟତା କ୍ଷେତ୍ରରେ ମୋଦି ଓ ରାହୁଲଙ୍କ ମଧ୍ୟରେ ଥିବା ବ୍ୟବଧାନ ମଧ୍ୟ ହ୍ରାସ ପାଇଛି । ସର୍ଭେ ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ର୍ରିୟତା ୫୬ ପ୍ରତିଶତ ଥିବା ବେଳେ ରାହୁଲଙ୍କ ଲୋକପ୍ରିୟତା ୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନ ଉପରେ ରହିବ ଭୋଟରଙ୍କ ନଜର ।