ଓଡିଶାରେ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ ଟିମ୍! କାହାକୁ ମିଳିବ ଟିକେଟ, ପ୍ରସ୍ତୁତ ହେବ ଚୂଡାନ୍ତ ତାଲିକା । ନେତାଙ୍କ ଛାଡି ଧଡପଡ, ଆଶାୟୀ କହିଲେ ରାହୁଲଙ୍କ ଉପରେ ଅଛି ଭରସା

179

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ସୁଦ୍ଧା କଂଗ୍ରେସ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏନେଇ ଆସନ୍ତାକାଲି ବସିବ ସ୍କ୍ରିନିଂ କମିଟି ବୈଠକ ।ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କି ଆସି ଓଡିଶାରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି ସଥିସାନ ମଧ୍ୟ ଆଜି ରାତିରେ ଓଡିଶା ଆସୁଛନ୍ତି । ସୋଲାଙ୍କି ତାଙ୍କ ରିପୋର୍ଟ ଓଡିଶାରୁ ଯିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିକୁ ଦେବେ । ଆଉ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଟିକେଟ ନେଇ ଶେଷ ନିଷ୍ପତି ନେବ ।

୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ପ୍ରାର୍ଥୀ ଚୟନ ତାଲିକା ଯାଞ୍ଚ କରିବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି କଂଗ୍ରେସ ସ୍କ୍ରିନିଂ କମିଟି । କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଗସ୍ତକୁ ନେଇ ଏବେ କଂଗ୍ରେସରେ ରାଜନୈତିକ ପାଣିପାଗ ଗରମ ହୋଇଛି । ନେତାଙ୍କ ଛାତି ଧଡପଡ ହୋଇଛି । କାହାକୁ ମିଳିବ ଟିକେଟ ଏବଂ କିଏ ହେବ କଂଗ୍ରେସର ପ୍ରାର୍ଥୀ ସେନେଇ ଆସନ୍ତାକାଲି ଭୁବନେଶ୍ୱରରେ ବସୁଛି ସ୍କ୍ରିନିଂ କମିଟି ବୈଠକ । ବୈଠକରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପ୍ରଦେଶ କଂଗ୍ରେସ କମିଟି ଚୂଡାନ୍ତ କରିଥିବା ପ୍ରାର୍ଥୀ ତାଲିକାର ରୂପରେଖ ଉପରେ ସ୍କ୍ରିନିଂ କରିବେ ।

ଦଳର ନୀତି ଆଧାରରେ ଚୟନ ହେବ । ଫୋକସରେ ରହିବ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ । ଏଥିସହ ଯୁବକ ଏବଂ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯିବ । ଓଡିଶାରୁ ଫେରିବା ପରେ କଂଗ୍ରେସର କେନ୍ଦ୍ର ନିର୍ବାଚନ କମିଟିକୁ ରିପୋର୍ଟ ଦେବେ ସ୍କ୍ରିନିଂ କମିଟି । କେନ୍ଦ୍ର ନିର୍ବାଚନ କମିଟି ମୋହର ମାରିବା ପରେ ଫେବ୍ରୁଆରୀ ମାସ ଶେଷସୁଦ୍ଧା ପ୍ରକାଶ ପାଇବ କଂଗ୍ରେସର ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ।

ଅନ୍ୟପକ୍ଷରେ କଂଗ୍ରେସ ଟିକେଟ ଆଶାୟୀ ନେତାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ରାହୁଲ ସେମାନଙ୍କ ଉପରେ ଭରସା କରିବେ ଏବଂ ଆଶା କରିଥିବା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇ ନିର୍ବାଚନ ଲଢିବେ ବୋଲି କହିଛନ୍ତି କଂଗ୍ରେସ ଚିକେଟ ଆଶାୟୀ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ସମଭାବାପନ୍ନ ଦଳ ସହ ମେଂଟ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ।

ଚଳିତ ମାସ ଶେଷ ସୁଦ୍ଧା ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଥିଲେ ରାହୁଲ । ଏବେ ସ୍କ୍ରିନିଂ କମିଟିର ଓଡିଶା ଗସ୍ତ କଂଗ୍ରେସ କ୍ୟାମ୍ପରେ ହଲଚଲ ସୃଷ୍ଟି କରିଛି ।