କିଏ ହେବେ ବରଗଡ଼ କଂସ ? ପ୍ରଜା ବାଛୁଛନ୍ତି ରାଜା

27

କନକ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୬୯ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ବ ସ୍ଥାପନ ହୋଇସାରିଛି । ହେଲେ ଆଜିଯାଏଁ କଂସ ଭୂମିକାରେ ଅଭିନୟ କରିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ଅନ୍ୟ ଏକ ମଂଚରେ କଂସ ଭୂମିକାରେ ଅଭିନୟ କରି ବିବାଦୀୟ ହୋଇପଡିବା ପରେ ଚଳିତବର୍ଷ କଂସ ଭୂମିକାରେ କାହାକୁ ଦେଖିବାକୁ ମିଳିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

ଆସନ୍ତା ୨୩ ତାରିଖରୁ ବରଗଡ଼ରେ ଚାଲିବ କଂସ ରାଜୁତି । ୧୧ ଦିନ ଧରି ମୁକ୍ତ ମଂଚରେ ଅଭିନୀତ ହେବ ଧନୁଯାତ୍ରାର ମନୋରମ ଦୃଶ୍ୟ । ହେଲେ ଏବର୍ଷ କିଏ ହେବ ବରଗଡ଼ ଧନୁଯାତ୍ରାର କଂସ ? ତାକୁ ନେଇ ଏଯାଏଁ ହୋଇନି ନିଷ୍ପତି । ଆଉ ଏହାରି ଭିତରେ ବରଗଡ଼ ସହରର କିଛି ସଚେତନ ନାଗରିକ ଆରମ୍ଭ କରିଛନ୍ତି ଏକ ଅଭିଯାନ । ଯେଉଁଥିରେ ଭୋଟ୍ ମାଧ୍ୟମରେ କଂସ ବାଛିବାକୁ ଜନସାଧାରଣଙ୍କୁ ମିଳିଛି ସୁଯୋଗ ।ବର୍ତ୍ତମାନ ସୁଦ୍ଧା ମତଦାନର ଆଗୁଆ ଅଛନ୍ତି ଦୀର୍ଘ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ । ଗୋପାଳ ଗୋଟ୍ ୮୮୯ଟି ଭୋଟ୍ ପାଇଥିବା ବେଳେ ଗତ ୮ ବର୍ଷ ଥରି ଅଭିନୟ କରୁଥିବା କୃଷିକେଶ ଭୋଇ ପାଇଛନ୍ତି ମାତ୍ର ୧୦୫ଟି ଭୋଟ୍ । ମୋଟ୍ ୨୦ ଜଣ କଂସ ଭୂମିକା ପାଇଁ ଆଶାୟୀ ଥିବା ଅଭିନେତା ଏହି ମତଦାନରେ ସାମିଲ ହୋଇଛନ୍ତି ।

ଆଉ ଏସବୁ ଭିତରେ ଆସନ୍ତାକାଲି ବସୁଛି ଧନୁଯାତ୍ର କମିଟିର ବୈଠକ । ଯେଉଁଥିରେ ଅଡିସନ୍ ଜରିଆରେ ବଛା ହେବେ ଚଳିତ ବର୍ଷର କଂସ । ଧନୁଯାତ୍ରା କମିଟିର ସଦସ୍ୟ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଆଶାୟୀ ଅଭିନେତାମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବେ ।