କିଏ ହେବ ମୁଖ୍ୟ ଶାସନ ସଚିବ ? ଆଦିତ୍ୟ ପାଢୀଙ୍କୁ ନୂଆ ଦାୟିତ୍ୱ ପରେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା, ଜାଣନ୍ତୁ ରେସରେ କିଏ ।

556

କନକ ବ୍ୟୁରୋ : ରାଜ୍ୟ ନିର୍ବାଚନ କମିଶନର ଭାବେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଏହାପରେ କିଏ ହେବ ରାଜ୍ୟ ପ୍ରଶାସନିକ ମୁଖିଆ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ପଦ ପାଇଁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର କିଛି ଆଇଏଏସ ଅଧିକାରୀଙ୍କ ନାଁ ଚର୍ଚ୍ଚା ହେଉଛି । ନଜର ପକାନ୍ତୁ ରେସରେ ଥିବା କିଛି ଆଇଏଏସ ଅଧିକାରୀଙ୍କ ନାଁ ଉପରେ ।

ରାଜ୍ୟ ମୁଖ୍ୟ ଶାସନ ସଚିବ ପଦ ପାଇଁ ରେସରେ ଆଗରେ ରହିଛନ୍ତି, ୧୯୮୬ ବ୍ୟାଚର ଆଇଏଏସ ଅଫିସର ଅସିତ ତ୍ରିପାଠୀ । ଅସିତ୍ ତ୍ରିପାଠୀ ଏବେ ଗୃହ ସଚିବ ଓ କେବିକେ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ୧୯୮୩ ବ୍ୟାଚର ଆଇଏଏସ୍ ଅଫିସର ଆଇ. ଶ୍ରୀନିବାସଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆଇ. ଶ୍ରୀନିବାସ ଏବେ କେନ୍ଦ୍ର କମ୍ପାନୀ ବ୍ୟାପାର ସଚିବ ଅଛନ୍ତି । ସେହିପରି ଚର୍ଚ୍ଚାରେ ରହିଛନ୍ତି ୧୯୮୪ ବ୍ୟାଚର ଆଇଏଏସ୍ ଅଫିସର ଅରୁଣ କୁମାର ପଣ୍ଡା । ଅରୁଣ ପଣ୍ଡା ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେ କେନ୍ଦ୍ର ଏମଏସଏମଇ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ରାଜ୍ୟ ପ୍ରଶାସନିକ ନୂଆ ମୁଖିଆ ପାଇଁ ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଉପେନ୍ଦ୍ର ପ୍ରସାଦ ସିଂହ ମଧ୍ୟ ରେସରେ ଅଛନ୍ତି । ବର୍ତ୍ତମାନ ସେ କେନ୍ଦ୍ର ଜଳ ସମ୍ପଦ ବିଭାଗ ସଚିବ ଅଛନ୍ତି । ସେହିପରି ଏହି ପଦ ପାଇଁ ଚର୍ଚ୍ଚାରେ ରହିଛନ୍ତି ୧୯୮୫ ବ୍ୟାଚ୍ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର ନାଥ ତ୍ରିପାଠୀ । ସୁରେନ୍ଦ୍ର ତ୍ରିପାଠୀ ବର୍ତ୍ତମାନ ସଂସଦୀୟ ବ୍ୟାପାର ବିଭାଗ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ୧୯୮୫ ବ୍ୟାଚର ଆଇଏଏସ ଅଫିସର ଗଗନ କୁମାର ଧଳଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଗଗନ ଧଳ ବର୍ତ୍ତମାନ କୃଷି ଉତ୍ପାଦନ କମିଶନର ଅଛନ୍ତି । ତେବେ ଏହି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟରୁ କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର ।