ଛାତ୍ର ବିଜେଡି ସଭାପତି ନେଇ ଛକାପଞ୍ଝା ! କାହାକୁ ଛାତ୍ର ସଂଗଠନର ମଙ୍ଗ ଧରାଇବେ ନବୀନ ?

1,482

କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ଏବେ ସଂଗଠନକୁ ତୃଣମୂଳ ସ୍ତରରେ ସଜାଡ଼ିବାକୁ ପ୍ରୟାସ । ଛାତ୍ର, ଯୁବ ଓ ମହିଳା ସାଂଗଠନିକ କ୍ଷମତା କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଯାଉଛି ବିଜେଡି । ବିଜେଡିର ବିଭିନ୍ନ ଛାମୁଆ ସଂଗଠନରେ ଖୁବଶୀଘ୍ର ଏକ ବଡ଼ ଧରରଣ ଅଦଳ ବଦଳ ହେବ ବୋଲି ଶଙ୍ଖ ଶିବିରେ ଶୁଣିବାକୁ ମିଳୁଛି । ଏହି ପରିପ୍ରେକ୍ଷିରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ଦାୟିତ୍ୱରେ ଥିବା ଛାତ୍ର ସଭାପତି ସିଟ୍ ପାଇଁ ଏବେ ଜୋରଦାର ଲବି କରାଯାଉଥିବା ଶୁଣିବାକୁ ମିଳୁଛି ।

କାରଣ ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ପରେ ସକ୍ରିୟ ହୋଇଥିବା ବିଜୁ ଜନତା ଦଳର ବିଭିନ୍ନ ସଂଗଠନ ଯଥା ଯୁବ-ଛାତ୍ର ଓ ମହିଳା ସାଂଗଠିନକ ସ୍ଥିତିକୁ ଅଧିକରୁ ଅଧିକ ଆକ୍ଟିଭ୍ ମୋଡକୁ ଆଣିବାକୁ ପ୍ରୟାସ କରୁଛି ବିଜେଡି ବୋଲି ଶଙ୍ଖ ଶିବିରରେ ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱରେ ଥିବା ରାଣାପ୍ରତାପ ପାତ୍ରଙ୍କ ସ୍ଥାନରେ ଆଉ ଜଣେ ଛାତ୍ର ନେତାଙ୍କୁ ବିସିଜେଡିର ମଙ୍ଗ ଧରାଇବାକୁ ଏବେ ଜୋରଦାର ପ୍ରୟାସ ଲାଗି ରହିଛି ।

ସେପଟେ ଅନ୍ୟ ଦୁଇ ଯୁବ ବିଧାୟକଙ୍କ ନାଁ ମଧ୍ୟ ବିଜୁ ଛାତ୍ର ଜନତା ଦଳର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ରେସରେ ସବୁଠାରୁ ଆଗରେ ରହିଛନ୍ତି ନବ ନିର୍ବାଚିତ ବାଙ୍ଗୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଉଥିଲେ ମଧ୍ୟ ସେ ଚଳିତ ନିର୍ବାଚନରେ ବାଙ୍ଗୀ ଆସନରୁ ବିଜୟୀ ହୋଇ ନବୀନଙ୍କ ମନ ଜିଣିଛନ୍ତି । ସେପଟେ ଚୌଦ୍ୱାର–କଟକର ଯୁବ ବିଧାୟକ ସୌଭିକ ବିଶ୍ୱାଳଙ୍କ ନାଁ ମଧ୍ୟ ବେଶ୍ ଏହି ରେସରେ ରହିଛି । କାରଣ ୧୯ ଯୁଦ୍ଧରେ ବିଜେଡିର ସର୍ବ କନିଷ୍ଠ ବିଧାୟକଭାବେ ନିର୍ବାଚିତ ହୋଇ ସେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଗୁଡ୍ ବୁକରେ ରହିଛନ୍ତି ।

କେବଳ ଯୁବ ବିଧାୟକ ନୁହେଁ ଏଥର ଛାତ୍ର ବିଜେଡିର ସାଂଗଠିନକ ସହ ଜଡ଼ିତ ଥିବା କିଛି ଛାତ୍ରନେତାଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ମିଳିପାରେ ବୋଲି ଶୁଣିବାକୁ ମିଳୁଛି । ଏହି ଲିଷ୍ଟରେ ପ୍ରଥମେ ରହିଛନ୍ତି, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ଦାସ । କାରଣ ୧୯ ଯୁଦ୍ଧରେ ବିଜେଡିକୁ ବଳ ଦେବା ପାଇଁ ଚିନ୍ମୟ ‘ହକ୍ ମାଗୁଛି ଓଡ଼ିଶା’ ‘ଦସ୍ତଖତ ଅଭିଯାନ’ ଭଳି କାର୍ଯ୍ୟ ତୁଲାଇବା ସହ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସେହିଭଳି ବିସିଜେଡିର ମହାସଚିବ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ହରିଶଙ୍କର ରାଉତ ମଧ୍ୟ ଛାତ୍ର ବିଜେଡି ସାଂଗଠନିକ ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଦୁଇ ଜଣ ଯୁବ ବିଜେଡି ସାଧାରଣ ସମ୍ପାଦକ ତନ୍ମୟ ସ୍ୱାଇଁ ଓ ଧୃତିରଞ୍ଜନ ମାର୍ଥାଙ୍କ ନାଁ ମଧ୍ୟ ଛାତ୍ର ବିଜେଡି ସଭାପତି ରେସରେ ରହିଥିବା ଶୁଣିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କି, ଆଗକୁ ରଥାଯାତ୍ରା ଓ ଏହାପରେ କଲେଜ ଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ । ନାମଲେଖାର କିଛି ଦିନ ପରେ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ଛାତ୍ର ବିଜେଡର ଘଟ ପରିବର୍ତ୍ତନ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ ପୂର୍ବଭଳି କେଉଁ ହେଭିୱେଟ୍ ନେତାଙ୍କ ଲବି ନାଁ ଛାତ୍ର ନେତାଙ୍କ ସାଂଗଠନିକ ଦକ୍ଷତା ଦେଖି ଏଥର ଛାତ୍ର ବିଜେଡିର ମଙ୍ଗ ଧରାଇବେ ନବୀନ ତାହା ଉପରେ ସମସ୍ତଙ୍କ ନଜର ରହିଛି ।