କିଏ ହେବେ ଛତିଶଗଡ ମୁଖ୍ୟମନ୍ତ୍ରୀ? ଆଜି ରାୟପୁରରେ ନାଁ ଘୋଷଣା ନେଇ ବଢିଲା ସମ୍ଭାବନା

ଏମପି ଓ ରାଜସ୍ଥାନ ଶୈଳୀରେ ଟ୍ୱିଟ୍ କଲେ ରାହୁଲ ଗାନ୍ଧି

102

କନକ ବ୍ୟୁରୋ: କିଏ ହେବେ ଛତିଶଗଡ ମୁଖ୍ୟମନ୍ତ୍ରୀ? ଏହାକୁ ନେଇ ନିର୍ବାଚନ ଫଳାଫଳର ୫ଦିନ ପରେ ମଧ୍ୟ ସସପେନ୍ସ ଜାରି ରହିଛି । ତେବେ ଆଜି ରାୟପୁରରେ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏମପି ଓ ରାଜସ୍ଥାନ ଶୈଳୀରେ ଟ୍ୱିଟ୍ କରିଛନ୍ତି ରାହୁଲ ଗାନ୍ଧି । ମୁଖ୍ୟମନ୍ତ୍ରୀ ରେସରେ ଥିବା ୪ ନେତାଙ୍କ ଫଟୋ ସହ ପୋଷ୍ଟ କରିଛନ୍ତି ‘ରେଡ୍ ହଫମ୍ୟାନ’ଙ୍କ ‘କୋଟ’ ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ଭୁପେଶ ବାଘେଲା, ଟି.ଏସ.ସିଂହଦେଓ ଓ ତାମ୍ରଧ୍ୱଜ ସାହୁଙ୍କ ନାଁ ଆଗରେ ରହିଛି । ଏହି ନେତାମାନେ ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଥିଲେ । ରାହୁଲଙ୍କ ନିଷ୍ପତିକୁ ଦଳର ସବୁନେତା ମାନିନେବେ ବୋଲି କହିଛନ୍ତି ଭୁପେଶ ବାଘେଲା । ୧୫ ବର୍ଷ ପରେ ଛତିଶଗଡରେ କଂଗ୍ରେସ କ୍ଷମତାକୁ ଫେରିଛି । ୯୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସକୁ ମିଳିଛି ୬୮ଟି ଆସନ । ରାହୁଲ ଗାନ୍ଧି ଆଶ୍ୱସନା ଦେଇଛନ୍ତି, ସରକାର ଗଠନର ଦଶଦିନ ମଧ୍ୟରେ ହିଁ କୃଷିଋଣ ଛାଡ କରାଯିବ ।

ସୂଚନା ଅନୁଯାୟୀ, ଛତିଶଗଡରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ନିଷ୍ପତି ନିଆଯାଇଥିଲା । କିନ୍ତୁ ପୁନର୍ବାର ନିଷ୍ପତିକୁ ବଦଳାଇ ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଆଜି ରାୟପୁରରେ ଦିନ ୧୨ଟାରେ ବିଧାୟକ ଦଳଙ୍କ ଏକ ବୈଠକ ବସିବ । ବୈଠକରେ ନିଷ୍ପତି ଚୁଡାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।

 

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀରେ ଛତିଶଗଡର ୪ଜଣ ବରିଷ୍ଠ ନେତା ଟି ଏସ ସିଂ ଦେବ, ତାମ୍ରଧ୍ୱଜ ସାହୁ, ଭୁପେଶ ବଧେଲ ଓ ଚରଣ ଦାସ ମହନ୍ତଙ୍କୁ ଭେଟ କରି ଆଲୋଚନା କରିଛନ୍ତି । ତେବେ ଏହି ଚାରିଜଣ ବରିଷ୍ଠ ନେତାମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାମ୍ରଧ୍ୱଜ ସାହୁ ଆଗୁଆ ଥିବା ବେଳେ ତାଙ୍କ ପଛରେ ରହିଛନ୍ତି ଭୁପେଶ ବାଘେଲା । କିନ୍ତୁ ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କୌଣସି ସ୍ପଷ୍ଟ କରାଯାଇନାହିଁ ।