କେଉଁ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ? ରାହୁଲଙ୍କ ଚିନ୍ତା ବଢାଇବ ରାଜସ୍ଥାନ ଓ ମଧ୍ୟପ୍ରଦେଶ, ତେଲେଙ୍ଗାନାରେ କେସିଆରଙ୍କ ହାତରେ ପୁଣି କମାଣ

1,304

କନକ ବ୍ୟୁରୋ : ୫ଟି ରାଜ୍ୟର ଫଳାଫଳ ଆସିବା ପରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟୀ ଦଳ । ଆଉ ଏହାରି ଭିତରେ ଜୋର ଧରିଛି ଚର୍ଚା, କାହା ହାତରେ ରହିବ ରାଜ୍ୟର ଦାୟିତ୍ୱ? କିଏ ହେବ ମୁଖ୍ୟମନ୍ତ୍ରୀ?

ରାଜସ୍ଥାନ

ବସୁନ୍ଧରା ରାଜେ ସରକାରକୁ ହଟାଇ ରାଜସ୍ଥାନରେ କ୍ଷମତାକୁ ଫେରିଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ଦୌଡରେ ଦୁଇ ଜଣ ହେବିୱେଟ୍ ରହିଛନ୍ତି । ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ୍ । ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ତଥା ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ହାଇକମାଣ୍ଡ ପୁଣିଥରେ ଏହି ୱାରହର୍ସଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ସମ୍ଭାବନା ରହିଛି । ଯାହା ପାଖରେ ରହିଛି ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା  ଓ ଅନୁଭବ  । ତେଣୁ ଏହି ବିଶ୍ୱାସୀ ସିପାହୀଙ୍କ ହାତରେ ଶାସନ ଡୋରି ଦେଇପାରେ କଂଗ୍ରେସ ।

RAJASTHAN_00079ଅନ୍ୟପଟେ ମୁଖ୍ୟମନ୍ତ୍ରୀ  ରେସରେ ଅଶୋକଙ୍କ ପାଇଁ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛନ୍ତି ରାଜସ୍ଥାନ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୁବ ସହଯୋଗୀ । ରାଜ୍ୟରେ କଂଗ୍ରେସର ପୁନରୁଦ୍ଧାର ଓ ଦଳକୁ ଶକ୍ତିଶାଳୀ କରିବାରେ ସଚିନ ପାଇଲଟଙ୍କ ଭୂମିକା ଗୁରୁତ୍ୱପୂଣ୍ଣ ରହିଛି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଜଣେ ଯୁବନେତାଙ୍କ ହାତରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ କଂଗ୍ରେସ ହାଇକମାଣ୍ଡ ।

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ବି ସମାନ ସ୍ଥିତି । ମୁଖ୍ୟମନ୍ତ୍ରୀ ଭାବେ ଏଠାରେ ବି କଂଗ୍ରେସର ଦୁଇଟି ହେବିୱେଟ୍ ଚେହେରା ରହିଛନ୍ତି । କମଲ ନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଜଣେ ଯୁବ ନେତା ଏବଂ ଅନ୍ୟଜଣେ ବରିଷ୍ଠ ରାଜନେତା । ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାରର ମଙ୍ଗ ଧରିଥିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କମଲ ନାଥ । ତାଙ୍କ ପାଖରେ ରହିଛି ସମସ୍ତ ବିଧାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ ସମର୍ଥନ । କମଲ ନାଥଙ୍କ ଗୋଟିଚାଳନାରେ ଏଥର ନିର୍ବାଚନକୁ ଓହ୍ଲାଇଥିଲା କଂଗ୍ରେସ । ସେହିଭଳି କମଲନାଥଙ୍କ ମୁଖ୍ୟମନ୍ତ୍ରୀ ପଥରେ ବଡ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଯୁବ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଗ୍ୱାଲିଅର ସିନ୍ଧିଆ ପରିବାରରୁ ଆସିଥିବା ଏହି ନେତା ହେଉଛନ୍ତି ଦଳର ଯୁବ ଚେହେରା । ତିନି ତିନି ଥର ସଂସଦକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ପଦ ବି ତୁଲାଇଛନ୍ତି ଜ୍ୟୋତିରାଦିତ୍ୟ ।

ଛତିଶଗଡ

ଛତିଶଗଡରେ ୧୫ ବର୍ଷର ବିଜେପି ସରକାରକୁ ମାତ୍ ଦେଇ ସରକାରକୁ ଆସିଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ରେସରେ ଚାରି ଜଣଙ୍କ ନାଁ ଶୁଣିବାକୁ ମିଳୁଛି । ଛତିଶଗଡ ପିସିସି ସଭାପତି ଭୁପେଶ ବାଘେଲ,  ବିରୋଧୀ ଦଳ ନେତା ଟି.ଏସ୍ ସିଂଦେଓ, ରାଜ୍ୟରୁ ଏକମାତ୍ର ସାଂସଦ ତମରାଧୱାଜ ସାହୁ ଏବଂ ପୂର୍ବତନ ମନ୍ତ୍ରୀ ତଥା ଲୋକପ୍ରିୟ ନେତା ଚରଣ ଦାସ ମହନ୍ତ । ଚାରି ଜଣ ଯାକ ବରିଷ୍ଠ ଏବଂ ଅଭିଜ୍ଞ ନେତା । ମନ୍ତ୍ରୀ ପଦ ବି ତୁଲାଇଛନ୍ତି । ତେଣୁ ଛତିଶଗଡରେ ଜଣେ ବରିଷ୍ଠ ନେତାଙ୍କୁ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସମ୍ଭାବନା ରହିଛି ।

ତେଲେଙ୍ଗାନା

ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ପାଇଁ ଅପ୍ରତିଦ୍ୱନ୍ଦୀ ରହିଛନ୍ତି ଟିଆରଏସ୍ ମୁଖ୍ୟ କେସିଆର୍ । ଆନ୍ଧ୍ରରୁ ଅଲଗା ହୋଇଥିବା ଏହି ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କେ.ଚନ୍ଦ୍ରଶେଖର ରାଓ । ସରକାର ଭାଂଗି ପୁଣି ନିର୍ବାଚନରେ ସାମିଲ ହୋଇଥିବା କେସିଆର୍ ପୁଣିଥରେ ତେଲେଙ୍ଗାନାର ନେତୃତ୍ୱେ ନେବେ ।

ମିଜୋରାମ

ମିଜୋରାମରେ କଂଗ୍ରେସକୁ ହଟାଇ ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ମିଜୋ ନାସନାଲ୍ ଫ୍ରଣ୍ଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜଣଙ୍କର ନାଁ ଆଗରେ ରହିଛି । ସେ ହେଉଛନ୍ତି ଜୋରାମଥଙ୍ଗା । ଲଗାତର ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ । ଏବେ ପୁଣିଥରେ ରାଜ୍ୟର ନେତୃତ୍ୱ ନେବାକୁ ତୟାର ଏହି ବରିଷ୍ଠ ନେତା ।