କନ୍ଧମାଳରେ ଏଥର ରୋଚକ ଲଢେଇ ! ଅଚ୍ୟୁତ ସାମନ୍ତ ବନାମ ଖାରବେଳେ ବନାମ ମନୋଜ, ହାତୀ କାହାମୁଣ୍ଡରେ ଢାଳିବ ସୁନାକଳସ ? 

118

କନକ ବ୍ୟୁରୋ : କନ୍ଧମାଳରେ ପ୍ରଚାର ଲଢେଇ ଯୋରଦାର ହେଉଛି । ଦ୍ୱିତୀୟ ପର୍ଯାୟରେ କନ୍ଧମାଳରେ ଭୋଟ ଗ୍ରହଣ ହେବ । ଆଉ ହାତରେ ଥିବା ସ୍ୱଳ୍ପ ସମୟରେ ଭୋଟରଙ୍କ ସମର୍ଥନ ହାସଲ କରିବାକୁ ଦିନ ରାତି ଏକ କରି ଦେଇଛନ୍ତି ତିନି ଦଳର ପ୍ରାର୍ଥୀ । ଏହି କ୍ରମରେ କନ୍ଧମାଳ କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ନିଜ ସମର୍ଥକଙ୍କ ସହିତ ବୌଦ୍ଧ ନିର୍ବାଚନ ମଣ୍ଡଳୀର ତେଲିବନ୍ଧରେ ରୋଡ ସୋ କରି ପ୍ରଚାର କରିଛନ୍ତି । ଏଥର ନିର୍ବାଚନରେ କନ୍ଧମାଳ ଲୋକସଭା ଆସନ ପାଇଁ ଉଭୟ ବିଜେପି ଏବଂ ବିଜେଡି ବାହାର ଜିଲ୍ଲାର ଲୋକଙ୍କୁ ପ୍ରାର୍ଥୀ କରିଛି । ହେଲେ ଜିଲ୍ଲାର ଲୋକଙ୍କ ସମସ୍ୟା ସହ ଜଡିତ ଥିବାରୁ ଲୋକଙ୍କ ଆସ୍ଥା ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନୋଜ ଆଚାର୍ଯ୍ୟ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଦ୍ଦା କରିଛନ୍ତି ମନୋଜ ।

ଶାସକ ବିଜେଡ଼ିର ଅଭେଦ୍ୟ ଦୁର୍ଗ ହେଉଛି କନ୍ଧମାଳ ଲୋକସଭା ଆସ ନ। ୨୦୦୯ରେ ବିଜେଡିର ରୁଦ୍ରମାଧବ ରାୟ ଏଠାରୁ ବିଜୟ ବାନା ଉଡ଼ାଇବା ପରେ ୨୦୧୪ରେ ନୟାଗଡ଼ ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ । ତେବେ ହେମେନ୍ଦ୍ରଙ୍କର ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବର ସିଂହ ଉପନିର୍ବାଚନରେ ବହୁମତ ପାଇ ଶାସକ ଦଳର ବିଜୟ ଧାରାକୁ କାଏମ୍ ରଖିଥିବା ବେଳେ ଏଥର ତାଙ୍କ ବଦଳରେ ଓଡ଼ିଶାର ଜଣାଶୁଣା ସମାଜସେବୀ ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ଏମ୍ପି ପ୍ରାର୍ଥୀ ଭାବେ ଛିଡ଼ା କରିଛି । କିଟ୍, କିସ୍ ଏବଂ କିମ୍ସ ମେଡ଼ିକାଲ କଲେଜର ପ୍ରତିଷ୍ଠାତା ହେଉଛନ୍ତି ଅଚ୍ୟୁତ । ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ପାଇଁ ସେ ପ୍ରତିଷ୍ଠା କରିଛନ୍ତି ସବୁଠୁ ବଡ ସ୍କୁଲ ‘କିସ୍’ ।

ତାଙ୍କ ସହିତ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେପି ପ୍ରାର୍ଥୀ ଐର ଖାରବେଳ ସ୍ବାଇଁ ଏବଂ କଂଗ୍ରେସର ମନୋଜ କୁମାର ଆଚାର୍ଯ୍ୟ । ଖାରବେଳ ସ୍ବାଇଁ ପୂର୍ବରୁ ସାଂସଦ ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଖାରବେଳଙ୍କର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଥିବା ବେଳେ ଅଚ୍ୟୁତ ସାମନ୍ତ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଛନ୍ତି । ଆସନ୍ତା ୧୮ ତାରିଖରେ ବହୁ ପ୍ରତୀକ୍ଷିତ ଏହି ଆସନ ପାଇଁ ମତଦାନ ହେବ ।