ନିର୍ବାଚନ ମାହୋଲରେ ବଦଳିନି ମୁଡ୍ ! ଓଡ଼ିଶାର ମତ ନେଲା ଇଣ୍ଡିଆ ଟୁଡ଼େ, ଲୋକପ୍ରିୟତା ଶୀର୍ଷରେ ବିଜେଡି ଓ ନବୀନ ।

622

କନକ ବ୍ୟୁରୋ: ଏବେ ବି ଓଡ଼ିଶାରେ ନବୀନ ଆଗରେ ରହିଛନ୍ତି ଆଉ ବଢ଼ିଛି ବିଜେଡିର ଲୋପ୍ରିୟତା । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ସେପ୍ଟେମ୍ବର ମାସରେ ବିଜେଡିର ଲୋକପ୍ରିୟତା ୪୪% ଥିବାବେଳେ ଚଳିତ ମାସରେ ଏହା ୪୯%କୁ ଛୁଇଁଛି । ଯାହା ଦର୍ଶାଉଛି ଆଗାମୀ ନିର୍ବାଚନରେ ରାଜ୍ୟର କ୍ଷମତା ଡ଼ୋରୀ ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ଧରାଇବେ ଓଡ଼ିଶାବାସୀ ।

ସେହିଭଳି ମୁଖ୍ୟମନ୍ତ୍ରୀ ପସନ୍ଦରେ ରାଜ୍ୟବାସୀଙ୍କ ମନରେ ଏବେ ବି ନମ୍ବନ ୱାନ ଅଛନ୍ତି ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ସର୍ଭେ ତାଲିକାରେ ରାଜ୍ୟ ବିଜେପିର ମଙ୍ଗୁଆଳ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଛରେ ପକାଇ ନବୀନଙ୍କୁ ୫୨% ସହ ଏକ ନମ୍ବର ସ୍ଥାନରେ ରଖିଛନ୍ତି ରାଜ୍ୟବାସୀ । ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ନବୀନଙ୍କ ବାଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୬%, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୮%, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ୧% ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ମାତ୍ର ୧% ଲୋକ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରୁଥିବା ରିପୋର୍ଟ କହୁଛି ।

naveen vs dharmendraସେପଟେ ଗତ କିଛି ମାସ ତୁଳନାରେ ଶାସକ ବିଜେଡି ଦଳର କାର୍ଯ୍ୟଶୈଳୀକୁ ବେସ୍ ପସନ୍ଦ କରିଛନ୍ତି ରାଜ୍ୟବାସୀ । ଯାହା ଦ୍ୱାରା ଗତ ସେପ୍ଟେମ୍ବର ମାସ ଠାରୁ ଚଳିତ ମାସ ଶେଷ ସୁଦ୍ଧା ୪୪ ପ୍ରତିଶତରୁ ୪୯ ପ୍ରତିଶତକୁ ବୃଦ୍ଧି ପାଇଛି ବିଜେଡିର ଲୋକପ୍ରିୟତା । ସେହିଭଳି ନବୀନଙ୍କ ଲୋକପ୍ରିୟତା ଆଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧାରୁ ଅଧିକ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରୁନଥିବା ରିପୋର୍ଟରେ ଦେଖିବାକୁ ମିଳିଛି ।

ସର୍ଭେ ରିପୋର୍ଟ ମୁତାବକ ଆସନ୍ତା ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକିଥିବାବେଳେ ନବୀନଙ୍କ ଲୋକପ୍ରିୟତା ସାଙ୍ଗକୁ ଶାସକ ବିଜେଡି ଉପରେ ଆସ୍ଥା ପ୍ରକଟ କରୁଛନ୍ତି ରାଜ୍ୟବାସୀ । ଏହା ହୁଏତ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।