ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଗକୁ ଆହୁରି ସମସ୍ୟା ଆଣିପାରେ ଭୂତାଣୁ ସଂକ୍ରମଣ, ବିଶ୍ୱ ଦେଖିପାରେ ଅତ୍ୟନ୍ତ ଖରାପ ସମୟ ।

4,274

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣ ଦିଗରେ ଆଗକୁ ଆହୁରୀ ଖରାପ ସମୟ ଦେଇ ଗତି କରିବାକୁ ପଡିପାରେ । ଏପରି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ଚେତାବନୀ । କରୋନା ଭୂତାଣୁକୁ ନେଇ ବିଶ୍ୱ ଅତ୍ୟନ୍ତ ଖରାପ ସମୟ ଦେଖିବ ବୋଲି ଚେତାଇ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ଟେଡରସ ।

କେତେକ ଦେଶରେ ଲକଡାଉନ କଟକଣା କୋହଳ କରାଯାଇଥିବା ବେଳେ ଏପରି ସମୟରେ ପୁଣି ସଂକ୍ରମଣକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାହିଁକି ଏପରି ଆକଳନ କରିଛି ଏନେଇ କୌଣସି ଅଧିକ ସୂଚନା ଦିଆଯାଇନାହିଁ । ସାରା ବିଶ୍ୱରେ ୨୫ଲକ୍ଷ ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୧ଲକ୍ଷ ୭୦ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

କରୋନା ମହାମାରୀକୁ ନେଇ ୧୯୧୮ରେ ହୋଇଥିବା ସ୍ପାନିସ ଫ୍ଲୁର ଉଦାହରଣ ଦେଇଛନ୍ତି ଡବ୍ଲୁଏଚଓ ମହାନିର୍ଦ୍ଦେଶକ । ସ୍ପାନିସ ଫ୍ଲୁ ପରି ଘାତକ ହେଉଛି କରୋନା । ଏବଂ ସ୍ପାନିସ ଫ୍ଲୁରେ ୧୦କୋଟି ଲୋକଙ୍କ ଜୀବନ ଯାଇଥିବା କହିଛନ୍ତି ଡବ୍ଲୁଏଚଓ ମହାନିର୍ଦ୍ଦେଶକ । କୁହାଯାଉଛି ଆଫ୍ରିକାରେ ଆଗାମୀ ଦିନରେ ଏହି ସଙ୍କଟ ବଢିବ ଯେଉଁଠି ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଦୁର୍ବଳ ରହିଛି ।

ଅର୍ଥନୈତିକ ଅବସ୍ଥାକୁ ଦେଖି କେତେକ ଦେଶରେ ତାଲାବନ୍ଦକୁ କୋହଳ କରାଯାଇଛି । ଏହାରି ଭିତରେ ପୁଣି ଚେତାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କଟକଣା କୋହଳ କରାଯିବା ଦିଗରେ ଉଚିତ ପଦକ୍ଷେପ ନିଆଯାଇ ଲୋକଙ୍କ ଜୀବନ ବଂଚାଇବା ଏବଂ ଅର୍ଥ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ ନହେଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ।