ଉଜ୍ଜ୍ୱଳା ହିସାବ, ନାହିଁ ତାଳମେଳ । ଶାହାଙ୍କ ୪୮ ଲକ୍ଷ ନା ମୋଦିଙ୍କ ୪୦ ଲକ୍ଷ, କିଏ କହୁଛି ସତ ?

177

କନକ ବ୍ୟୁରୋ: ଓଡ଼ିଶାର ଏବେ ଆଞ୍ଚଳିକ ପ୍ରଶ୍ନ ‘ଉଜ୍ଜ୍ୱଳା’ ଯୋଜନାର ସତ କ’ଣ? ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ୱଳାରେ ରାଜ୍ୟର କେତେ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ମିଳିଛି ସେ ଅଙ୍କକୁ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି । କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ‘ଉଜ୍ଜ୍ୱଳା’ ଗଣିତ ଏବେ ରାଜ୍ୟ ରାଜନୀତି ଓ ରାଜ୍ୟବାସୀଙ୍କ ମଧ୍ୟରେ ତୁମ୍ଭି ତୋଫାନ ସୃଷ୍ଟି କରିଛି । ଉଭୟଙ୍କ ଉଜ୍ଜ୍ୱଳା ଅଙ୍କରେ ହିସାବ ଏପରିକି ଯାହା ରାଜ୍ୟବାସୀ ବୁଝିବାରେ କାଠିକର ପାଠ ହୋଇଛି ।

ଘଟଣାଟି ଏପରି କି, ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗଜପତି ଗସ୍ତରେ ଆସି ଉଜ୍ଜ୍ୱଳା ହିସାବ ଦେଇ କହିଥିଲେ “ଏହି ଯୋଜନା ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୪୮ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ଗ୍ୟାସ କନେକସନ୍ ଦିଆଯାଇଛି । ଆଉ ଏହାକୁ ସଫଳ କରିଛନ୍ତି ମୋଦି ସରକାର । ” ସେପଟେ ଏହାର ଠିକ୍ ୨୪ ଘଣ୍ଟା ପରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି କଳାହାଣ୍ଡି ଗସ୍ତରେ ଆସି ଦମ୍ଭୋକ୍ତି ବାଢ଼ି କହିଛନ୍ତି ଯେ, “ଓଡ଼ିଶାରେ ୪୦ ଲକ୍ଷ ମା’ ମାନଙ୍କୁ ଉଜ୍ଜ୍ୱଳା ବିଜେପି ସରକାର ଦେଇଛନ୍ତି ।


ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସରକାରୀ ଦସ୍ତାବିଜ୍ ତଥ୍ୟ ମୁତାବକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗତକାଲି ସୁଦ୍ଧା ମୋଟ୍ ୪୨ ଲକ୍ଷ ୨୬ ହଜାର ୨୫୨ ଜଣ ମହିଳାଙ୍କୁ ମାଗଣା ଗ୍ୟାସ୍ ଚୁଲା ପ୍ରଦାନ କରାଯାଇଛି । ହେଲେ ଶାହା ଓ ମୋଦିଙ୍କ ଅଙ୍କକୁ ନେଇ ଏବେ ଆରମ୍ଭ ହୋଇଛି ତର୍କ ବିତର୍କ । ଆଉ ସତ କହୁଛି କିଏ? ପ୍ରଧାନମନ୍ତ୍ରୀ ମୋଦି ନା ବିଜେପି ଚାଣକ୍ୟ ଅମିତ ଶାହା ? କାହାର ‘ଉଜ୍ଜ୍ୱଳା’ ତଥ୍ୟ ଠିକ୍ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଦ୍ୱନ୍ଦ ବଢ଼ିବାରେ ଲାଗିଛି ।

୨୦୧୬ ମେ ୧ ତାରିଖରେ ଆରମ୍ଭ ହୋଇଥିବା ମୋଦି ସରକାରଙ୍କ ଏହି ଉଜ୍ଜ୍ୱଳା ଯୋଜନାକୁ ୩ ବର୍ଷ ପୂରିବାକୁ ଥିବାବେଳେ ବିଭିନ୍ନ ସମୟରେ ଏହି ଯୋଜନା ବିଫଳ ହୋଇଥିବା ଅନେକ ଅଭିଯୋଗ ହୋଇଛି । କିନ୍ତୁ କେନ୍ଦ୍ରରେଥିବା ମୋଦି ସରକାରଙ୍କ ମନ୍ତ୍ରୀମାନେ ବିଭନ୍ନ ସ୍ଥାନରେ ‘ଉଜ୍ଜ୍ୱଳା’ ଏକ ସଫଳ ଯୋଜନା ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି । ହେଲେ ଏତିକିବେଳେ ଓଡ଼ିଶାର ଉଜ୍ଜ୍ୱଳା ଯୋଜନା ନେଇ ମୋଦି ଓ ଶାହା ଦେଇଥିବା ହିସାବ ସବୁକିଛି ଗୋଳମାଳିଆ କରିଦେଇଥିବା ଚର୍ଚ୍ଚା ହେଉଛି । ଗତକାଲି ଠାରୁ ଆଜି ମଧ୍ୟରେ ମାତ୍ର ୨୪ ଘଣ୍ଟା ଭିତରେ କିଭଳି ୪୮ ଲକ୍ଷ ଉଜ୍ଜ୍ୱଳା ଦିଆଯାଇଛି ବୋଲି ହିସାବ ଦେଉଥିବା ବିଜେପି ସରକାରଙ୍କ ଗଣିତରେ ପରିବର୍ତ୍ତନ ହୋଇ ୮ଲକ୍ଷକୁ କମିଗଲା । ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।