କର୍ଣ୍ଣାଟକ ଅଙ୍କକଷାକୁ ନେଇ ସସପେନ୍ସ ! ଖଣ୍ଡିତ ଜନାଦେଶ ପରେ କର୍ଣ୍ଣାଟକରେ କିଏ ଗଢ଼ିବ ସରକାର, ହାତ ମିଳାଇଲେ ଜେଡିଏସ୍ ଓ କଂଗ୍ରେସ

42

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କିଛି ଏକଜିଟ୍ ପୋଲରେ ଯାହା ଅନୁମାନ କରାଯାଉଥିଲା, ସେହି ଅନୁସାରେ କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଦେଇ ବିଜେପି ଏକ ନମ୍ବର ଦଳ ଭାବେ ସାମନାକୁ ଆସିଛି । କାହାକୁ ମିଳିନାହିଁ ସରକାର ଗଢିିବା ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା । ରିପୋର୍ଟ ଫାଇଲ ହେବା ପର୍ଯ୍ୟନ୍ତ ୧୦୪ଟି ଆସନ ସହ ବିଜେପି ସବୁଠାରୁ ଆଗରେ ରହିଛି । ଗତଥର ମାତ୍ର ୪୦ଟି ଆସନରେ ସନ୍ତୁଷ୍ଟ ହୋଇଥିବା ବିଜେପି ଏଥର କମାଲ ପ୍ରଦର୍ଶନ କରି ୧୦୦ ଆସନ ଟପି ଯାଇଛି ।

ଅନ୍ୟପଟେ ଶାସକ ଦଳ କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଲାଗିଛି । ୭୮ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । ରାହୁଲ ଗାନ୍ଧିଙ୍କ ନେତୃତ୍ୱ ପ୍ରତି ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ଏହି ନିର୍ବାଚନ । ଏବଂ ନିର୍ବାଚନ ପୂର୍ବରୁ ଜେଡିଏସକୁ କିଙ୍ଗମେକର୍ ଭୂମିକାରେ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଥିଲା । ହେଲେ ଫଳାଫଳ ଆସିବା ପରେ ପରିସ୍ଥିତି ଏପରି ହୋଇଛି ଯେ କିଙ୍ଗ୍ ମେକର ନୁହେଁ, ଜେଡିଏସ କିଙ୍ଗ ହେବା ଭଳି ବଡ଼ ସମ୍ଭାବନା ସୃଷ୍ଟି ହୋଇଛି । ତୃତୀୟରେ ଥିବା ଜେଡିଏସକୁ ମିଳିଛି ୩୭ଟି ଆସନ । ଗୋଟିଏ ସିଟରେ ବିଏସପି ଜିତିଥିବା ବେଳେ ଅନ୍ୟାନ୍ୟ ଖାତାକୁ ଯାଇଛି ୨ଟି ଆସନ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଏହି ଜଟିଳ ଗଣିତ, ଅନେକ ସମ୍ଭାବନାକୁ ଜନ୍ମ ଦେଇଛି । ଏହି ଅଙ୍କ ଏକ ଏଭଳି ଅଙ୍କ ଭାବରେ ଉଭା ହୋଇଛି ଯାହାକୁ କଷିବା କାହା ପାଇଁ ଏତେ ସହଜ ହୋଇ ନାହିଁ । କାରଣ ଏହି ଅଙ୍କ ବିଜେପିକୁ ମ୍ୟାଜିକ୍ ନମ୍ବରଠାରୁ ଯେତିକି ଦୂରରେ ରଖିଛି, କଂଗ୍ରେସ ଓ ଜେଡିଏସକୁ ସେତିକି ନିକଟତର କରିଛି ।

କଂଗ୍ରେସ ହାତରୁ କର୍ଣ୍ଣାଟକକୁ ଛଡ଼ାଇ ନେବାର ମୋଦିଙ୍କ ପ୍ରାୟାସ ସଫଳ ତ ହୋଇଛି କିନ୍ତୁ ନିଜ ହାତକୁ ଶାସନ ଡୋରି ନେବାର ପ୍ରୟାସ ଅଧୁରା ରହିଯାଇଛି । ୨୦୧୩ ବିଧାନସଭା ନିର୍ବାଚନରୁ ୬୦ରୁ ଅଧିକ ଆସନ ହାତେଇଥିବା ବିଜେପି କିନ୍ତୁ ମ୍ୟାଜିକ୍ ନମ୍ବର ଛୁଇଁ ପାରି ନାହିଁ । ଆଉ ଏହାହିଁ କର୍ଣ୍ଣାଟକ ରାଜନୀତିକୁ ସରଗରମ କରିଦେଇଛି । ସେପଟେ ଗତ ବିଧାନସଭା ନିର୍ବାଚନଠାରୁ ପ୍ରାୟ ୪୪ଟି ଆସନ କମ୍ ପାଇଥିବା କଂଗ୍ରେସ ବିଜେପିକୁ କିନ୍ତୁ ଶାସନ ଗାଦିରୁ ଦୂରରେ ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । ଆଉ ସତକୁ ସତ ଚର୍ଚ୍ଚା ଅନୁସାରେ କିଙ୍ଗମେକର ବନିଯାଇଛି ଜେଡିଏସ୍ ।

ଗୋଟିଏ ପଟେ କର୍ଣ୍ଣାଟକରେ ନିର୍ବାଚନ ଫଳାଫଳ ଆସୁଥିଲା, ଅନ୍ୟପଟେ ଆରମ୍ଭ ହୋଇ ଯାଇଥିଲା ସରକାର ଗଢ଼ିବା ପାଇଁ ଅଙ୍କକଷା । ସମୟ ଗଡୁଥିଲା, ନେତା ଓ କର୍ମୀଙ୍କ ହୃତସ୍ପନ୍ଦନ ସେହି ଅନୁସାରେ ବଢିବାରେ ଲାଗିଥିଲା । ତେବେ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ହେବାକୁ ଜେଡିଏସ୍ ନେତା କୁମାରସ୍ୱାମୀଙ୍କୁ ଅଫର୍ ଦେଇଥିଲା କଂଗ୍ରେସ । କାଳବିଳମ୍ବ ନକରି ଜେଡିଏସ୍ ମଧ୍ୟ ଏହାକୁ ଗ୍ରହଣ କରିଥିଲା । ଏହି କମ୍ବିନେସନ, ଦିନ ତମାମ ଆଗରେ ଚାଲୁଥିବା ବିଜେପିକୁ ହଠାତ୍ ବ୍ୟାକ୍ ଫୁଟକୁ ନେଇଯାଇଥିଲା ।