ଜିଲ୍ଲା ରେକର୍ଡ ରୁମର ଲକରରୁ ଡୁପ୍ଲିକେଟ୍ ଚାବି ମିଳିବା ପରେ ବଢ଼ିଲା ସନ୍ଦେହ : କିଏ, କେବେ କରିଥିଲା ଚାବି ତିଆରି ତାକୁ ନେଇ ଉଠିଲା ପ୍ରଶ୍ନ ?

41

କନକ ବ୍ୟୁରୋ : ଜିଲ୍ଲା ରେକର୍ଡ ରୁମରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିବା ପରେ ସନ୍ଦେହ ବଢିଛି । ଟ୍ରେଜେରୀରେ ଚାବି ରହିବା କଥା । କିନ୍ତୁ ଏହା ଜିଲ୍ଲା ରେକର୍ଡ ରୁମକୁ କିଭଳି ଆସିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଘଟଣାରେ କିଛି ଲୁଚାଇବାକୁ ଉଦ୍ୟମ ହେଉଛି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଗତକାଲି ଭିତର ଭଣ୍ଡାରର ଏକ ଡୁପ୍ଲିକେଟ୍ ଚାବି ମିଳିବା ନେଇ ସୂଚନା ଦେଇଥିଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଜିଲ୍ଲାପାଳ କହଥିଲେ, ଜିଲ୍ଲା ରେକର୍ଡ ରୁମରୁ ଜଉମୁଦିଆ ମାଟିଆ ଲଫାପାରେ ଚାବି ରହିଛି । ଆଉ ଲଫାଫାରେ ରହିଛି ୩ଟି ଜଉମୁଦ । ଜିଲ୍ଲାପାଳଙ୍କ ନିିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାଶଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଦୁଇଟି ଟିମ୍ ।

ଏହି ଟିମ୍ ଜିଲ୍ଲା ରେକର୍ଡ ରୁମ, ନାଜିର ଖାନା ଓ ଟ୍ରେଜେରୀକୁ ତନ୍ନ ତନ୍ନ କରି ଯାଂଚ କରିଥିଲେ । ଶେଷରେ ରେକର୍ଡ ରୁମର ଏକ ଆଲମାରିରେ ରହିଯାଇଥିଲା ଏହି ଭିତର ରତ୍ନଭଣ୍ଡାରର ଚାବି ଥିବା ଲଫାପା । ଚାବି ପ୍ରସଙ୍ଗକୁ ନେଇ ଏପ୍ରିଲ ୨ ତାରିଖରେ ଜିଲ୍ଲାପାଳ ଚାବିନଥିବା ଜାଣିବାକୁ ପାଇଥିଲେ । ଏହାପରେ ମେ ୨୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉଥରେ ଚାବି ଖୋଜିବା ପାଇଁ ଚିଠି କରାଯାଇଥିଲା । ତେଣୁ ଏହାକୁ ନେଇ ଜିଲ୍ଲାପାଳ ସ୍ୱତନ୍ତ୍ର ଟିମ୍ ଲଗାଇ ଚାବି ଖୋଜିଥିଲେ । ତେବେ ମାଟିଆ ଲଫାପାରେ ଜଉମୁଦ ଦିଆଯାଇଥିବାବେଳେ ସେଥିରେ ଡୁପ୍ଲିକେଟ କି ଅଫ ଭିତର ରତ୍ନଭଣ୍ଡାର ଆଣ୍ଡ ଜୁଏଲାରୀଜ ବୋଲି ଉଲ୍ଲେଖ ରହିଛି ।

ଚାବିକୁ ନେଇ ବଢ଼ୁଛି ରହସ୍ୟ । ଚାବି ମିଳିବା ପରେ ବଡ ପ୍ରଶ୍ନ ଉଠୁଛି ଡୁପ୍ଲିକେଟ ଚାବି କଲା କିଏ ଓ କେବେ ହୋଇଥିଲା । ଭଣ୍ଡାର ଘର ଚାବି ରେକର୍ଡ ରୁମ ଭିତରକୁ କେମିତି ଆସିଲା ? ଖୋଜା ନ ଯାଇ ଚାବି ହଜିଗଲା ବୋଲି କାହିଁକି କୁହାଗଲା । ଲଫାପା ଖୋଲାଯାଇନଥିବାବେଳେ କେମିତି କୁହାଗଲା ସେହି ଡୁପ୍ଲିକେଟ୍ ଚାବି ଭିତର ରତ୍ନଭଣ୍ଡାର ଚାବି? ଯାଂଚ କରାଯାଇନଥିବାବେଳେ କେମିତି କୁହାଯାଉଛି ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଗଲା? ଘଟଣା ନେଇ ସମନ୍ୱୟ ଅଭାବ ରହୁଛି କି? କିଛି କଥା ଲୁଚାଇବାକୁ ଉଦ୍ୟମ ହେଉଛି କି? ସମସ୍ତ ଘଟଣାର ତଦନ୍ତ ହେବା ଦରକାର କି? ଚାବି ମିଳିବା ପରେ ସରକାର ଗଠନ କରିଥିବା କମିଶନର କାର୍ଯ୍ୟ ପନା୍ଥ କଣ ରହିବ? ରତ୍ନଭଣ୍ଡାରର ଜଗନ୍ନାଥଙ୍କ ସମ୍ପତି ସୁରକ୍ଷିତ ରହିଛି ନା ନାହିଁ? ଚାବି ମିଳିବା ପରେ କେବେ ଖୋଲାଯିବ ରତ୍ନଭଣ୍ଡାର?