କିଏ ଜିତିବ, କିଏ ଗଢ଼ିବ ସରକାର? ୨୩ରେ ମତଗଣନା, ହେଲେ ତା’ପୂର୍ବରୁ ଜୋରଦାର ଚାଲିଛି ରାଜନୈତିକ ଅଙ୍କକଷା ।

308

କନକ ବ୍ୟୁରୋ: କାଲି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ପରେ ଆରମ୍ଭ ହୋଇଯିବ ବୁଥ ବାହୁଡ଼ା ମତ ଆଧାରରେ ଚର୍ଚ୍ଚା । ୨୩ରେ ମତଗଣନା ହେବା ପୂର୍ବରୁ କିଏ ବାଜିମାତ କରିବ, କିଏ ସରକାର ଗଢ଼ିବ, କିଏ କିଙ୍ଗମେକର ସାଜିବ, ଆଂଚଳିକ ଦଳର ଭୂମିକା କ’ଣ ହେବ, ଏ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଆରମ୍ଭ ହେବ । ତେବେ ନିଜ ନିଜ ହିସାବରେ ନେତା ଜାରି ରଖିଛନ୍ତି ରାଜନୈତିକ ଅଙ୍କ କଷା । ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଯୋଗ୍ୟ ପ୍ରାର୍ଥୀ ବୋଲି ଗତକାଲି ସୂର୍ଯ୍ୟ ପାତ୍ର କହିବା ପରେ ଏହାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି । ବିଜେଡିର ଦୁଇ ବରିଷ୍ଠ ନେତା ସୂର୍ଯ୍ୟ ପାତ୍ରଙ୍କ ସହ ସ୍ୱର ମିଳାଇଥିବା ବେଳେ କଟାକ୍ଷ କରିଛନ୍ତି ଦାମ ରାଉତ ।

କିଏ ପିନ୍ଧିବ ବିଜୟ ମୁକୁଟ? କାହା ସପକ୍ଷରେ ଯିବ ଜନମତ? ରାଜନୈତିକ ଅଙ୍କକଷା ଜାରି । ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୨୩ରେ ମତଗଣନା । ତେବେ ତା’ପୂର୍ବରୁ ଜୋରଦାର ଚାଲିଛି ରାଜନୈତିକ ଅଙ୍କକଷା । ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଯୋଗ୍ୟ ପ୍ରାର୍ଥୀ ବୋଲି ସୂର୍ଯ୍ୟ ପାତ୍ର କହିବା ପରେ ତାଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡିର ଦୁଇ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ ଓ ପ୍ରସନ୍ନ ଆଚାର୍ଯ୍ୟ । ଚାର ଚାରି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତବର୍ଷର ଜଣେ ଲୋକପ୍ରିୟ ନେତା ହୋଇପାରିଛନ୍ତି ବୋଲି କହିଛନ୍ତି ଦୁଇ ନେତା ।

ସେପଟେ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେପି ନେତା ଦାମ ରାଉତ । ସେ କଟାକ୍ଷ କରି କହିଛନ୍ତି ନବୀନ ପ୍ରଧାନମନ୍ତ୍ରୀ ହେଲେ ସୂର୍ଯ୍ୟ ପେଟ୍ରୋଲିୟମ ମନ୍ତ୍ରୀ ହେବେ ବୋଲି ଭାବୁଛନ୍ତି । ଅନ୍ୟପଟେ ୟୁପିଏ ସରକାର ଗଢ଼ିଲେ ନବୀନ ସମର୍ଥନ ଦେବେ ବୋଲି ଆଶା ବାନ୍ଧି ବସିଛନ୍ତି ରାଜ୍ୟର କଂଗ୍ରେସର ତୁଙ୍ଗ ନେତା । ତେବେ କେନ୍ଦ୍ରରେ କାହାକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ, ଆଂଚଳିକ ଦଳଗୁଡିକ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆକଳନ ଚାଲିଛି । ଏପରି ସ୍ଥିତି ଉପୁଜିଲେ ଜାତୀୟ ଦୃଶ୍ୟପଟରେ ବିଜେଡିର ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ଅଙ୍କ କଷୁଛନ୍ତି ନେତା ।