ରାହୁଲ ବାଛିବେ କାହାକୁ ? ସମୟ ବିତୁଛି, ଆଶଙ୍କା ବଢୁଛି । ହାଇକମାଣ୍ଡଙ୍କ ପ୍ରାର୍ଥୀକୁ ଗ୍ରହଣ କରିବେ ତ ସମସ୍ତେ ?

136

କନକ ବ୍ୟୁରୋ : ବିଜେପୁର ପାଇଁ କଂଗ୍ରେସରେ କନଫ୍ୟୁଜନ । କିଏ ହେବ ବିଜେପୁରରେ କଂଗ୍ରେସର ପ୍ରାର୍ଥୀ । ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଫେବୃଆରୀ ୬ ହୋଇଥିଲେ ସୁଦ୍ଧା ଏପଯ୍ୟନ୍ତ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏପରିକି ବିଜେପୁର ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ହରଡଘଣାରେ ପଡିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କାରଣ ବିଜେପୁର ପାଇଁ ରାହୁଲଙ୍କ ପାଖରେ ଦୁଇଟି ନାଁ ପହଞ୍ଚଛି । ଆଉ ଏହା ଭିତରୁ କେଉଁ ନାଁରେ ମୋହର ମରାଯିବ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ରାହୁଲ । ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ହେମାନନ୍ଦ ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ଦୁଇଜଣଙ୍କ ନାଁ ସର୍ବାଗ୍ରେ ରହିଛି । ଜଣେ ହେଉଛନ୍ତି ବିଜେପୁରର ଟାଣୁଆ ସଂଗଠକ ପ୍ରଣୟ ସାହୁ ଓ ଅନ୍ୟଜଣେ ହେଉଛନ୍ତି ବିଜେପୁରର ପୂର୍ବତନ କଂଗ୍ରେସ ବିଧାୟକ ରିପୁନାଥ ସେଠ ।

ତେବେ ଏହି ଦୁଇଜଣଙ୍କ ଭିତରୁ କାହା ନାଁରେ ମୋହର ବାଜିବ ତାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ପ୍ରଶ୍ନ ଉଠୁଛି ରାହୁଲ ଗାନ୍ଧି ବିଜେପୁର ପାଇଁ ବାଛିବେ କାହାକୁ ? କାରଣ ରାଜ୍ୟ କଂଗ୍ରେସର କିଛି ନେତା ପ୍ରଣୟ ସାହୁଙ୍କ ସପକ୍ଷରେ ଲବି କରୁଥିବା ବେଳେ ଅନ୍ୟ ଗୋଷ୍ଠି ରିପୁନାଥଙ୍କୁ ଟିକେଟ ଦେବାକୁ ହାଇକମାଣ୍ଡଙ୍କ ପାଖରେ ଯୁକ୍ତି କରୁଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଖୋଜୁ ଖୋଜୁ ଉଭୟ ବିଜେଡି ଓ ବିଜେପି ଅନେକ ପାଦ ଆଗକୁ ଯାଇ ସାରିଲେଣି । ନାମାଙ୍କନ ଦାଖଲ କରିବା ପାଇଁ ଆଉ ମାତ୍ର ହାତରେ ୩ଟି ଦିନ ରହିଥିବା ବେଳେ ଏବେ ମଧ୍ୟ କଂଗ୍ରେସ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଭଳି ଲାଗୁଛି । ଦେଶର ସବୁଠାରୁ ପୁରାତନ ଦଳ ବିଜେପୁର ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନ ପାରିବା କଂଗ୍ରେସର ସାଂଗଠନିକ ଦୁର୍ବଳତାକୁ ପଦାରେ ପକାଇଛି ।

ତେବେ ଏସବୁ ଭିତରେ ଆଜି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ । ଯଦି ଦଳ ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରେ ତେବେ ପ୍ରଣୟ ସାହୂୁଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର । କାରଣ ପ୍ରଣୟଙ୍କର ବିଜେପୁର ରାଜନିତିରେ ବେଶ କାଟତି ରହିଛି । ଏପରିକି ଜଣେ ଦକ୍ଷ ସଂଗଠକ ଭାବେ ମଧ୍ୟ ପ୍ରଣୟଙ୍କର ନାଁ ରହିଛି । ଏପରିକି ଗାଈସିଲଟ ବ୍ଲକରେ ପ୍ରଣୟ ହିଁ କଂଗ୍ରେସର ମୁଖ୍ୟପୁରୋଧା । ତେଣୁ ରିପୁନାଥଙ୍କୁ ପ୍ରାର୍ଥୀ କରାଗଲେ ପ୍ରଣୟ ଦଳ କଥା ମାନି ଚୁପ ରହିବେ ନା ଭିତିରିଆ ଅନ୍ୟ କୌଣସି ଦଳକୁ ସାହାଯ୍ୟ କରିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପ୍ରଣୟଙ୍କର ଗାଇସିଲଟ ବ୍ଲକରେ ଏକ ବଡ ସଂଗଠନ ରହିଛି ତେଣୁ ଏହାକୁ ମଧ୍ୟ ଅଣଦେଖା କରି ନ ପାରନ୍ତି ରାହୁଲ । ଯଦି ରିପୁଙ୍କୁ ପ୍ରାର୍ଥୀ କରି ପ୍ରଣୟଙ୍କୁ ସେହିଭଳି ଆଶ୍ୱସନା ଦିଆ ନଯାଏ ତେବେ ଗାଈସିଲଟରେ ଥିବା କଂଗ୍ରେସର ଭୋଟ ହରାଇପାରେ ଦଳ ।

bijepurଅନ୍ୟପଟରେ ଯଦି ରାଜ୍ୟ କଂଗ୍ରେସର ଅନ୍ୟ ଗୋଷ୍ଠୀର କଥାରେ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରାଯାଏ ତେବେ ରିପୁନାଥ ବିଦ୍ରୋହୀ ସାଜିବେନି ତ । ଏହା ଦଳ ଭିତରେ ପୁଣିଥରେ ଗୋଷ୍ଠି କନ୍ଦଳ ସୃଷ୍ଟି କରିବନି ତ? ଯଦି ଏଭଳି ହୁଏ ତେବେ କଂଗ୍ରେସର ଶୀର୍ଷ ନେତାଙ୍କ ଭି୍ତରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ପୁଣିଥରେ ବିଜେପୁର ଉପନିର୍ବାଚନରେ ଦେଖିବାକୁ ମିଳିବ । ଆଉ ଏହାର ପ୍ରଭାବ ସିଧାସଳଖ ବିଜେପୁର ଉପନିର୍ବାଚନର ଫଳାଫଳ ଉପରେ ପଡିବ । କାରଣ ରିପୁନାଥ ମଧ୍ୟ କଂଗ୍ରେସରୁ ବିଧାୟକ ହୋଇସାରିଛନ୍ତି । ତେଣୁ ତାଙ୍କୁ ବଏକଟ କରି ପ୍ରଣୟଙ୍କୁ ଟିକେଟ ଦେବା କଂଗ୍ରେସକୁ କିଛି ମାତ୍ରାରେ ଅଡୁଆରେ ପକାଇବ । ତେବେ ଯଦି ଉଭୟଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେ ନେଇ ବିଚାର କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଯଦି ଉଭୟଙ୍କ ଭିତରେ ସମନ୍ୱୟ ରଖାଯାଇ ପାରିବ ତେବେ କଂଗ୍ରେସର ଗୋଷ୍ଠି କନ୍ଦଳ ପ୍ରଶମିତ ହୋଇପାରେ । ତେବେ ଉଭୟଙ୍କ ଭିତରେ ସମନ୍ୱୟ ରକ୍ଷା କରିବା ପାଇଁ କଂଗ୍ରେସ କେଉ ଫର୍ମୂଲା ଆପଣାଉଛି ତାହା ଦେଖିବା ବାକି ରହିଲା । ଏସବୁ ଭିତରେ ଯଦି ଆଜି ବିଜେପୁର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୁଏ ତେବେ ଆସନ୍ତା ୬ ତାରିଖ ଅଥାର୍ତ ଶେଷ ଦିନରେ କେଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟରେ କଂଗ୍ରେସର ବିଜେପୁର ପାଇଁ ପ୍ରାର୍ଥୀ ଚୟନକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ହେଉଛି । ବିଜେପୁର ପାଇଁ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ବିବାଦୀୟ ବୟାନବାଜି ଜାରି ରହିଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ନେତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏସବୁ ଭିତରେ କଂଗ୍ରେସରେ ପ୍ରାର୍ଥୀକୁ ନେଇ ଲାଗି ରହିଥିବା ଛକାପଞ୍ଝାରୁ ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି ଉଭୟ ବିଜେଡି-ବିଜେପି ।ଗୋଟିଏ ପଟେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ବିଜେପୁର ଅଭିଯାନ ଆରମ୍ଭ କରିସାରିଥିବା ବେଳେ, କଂଗ୍ରେସର ଗୋଷ୍ଠୀ କନ୍ଦଳର ପ୍ରଭାବ ପ୍ରାର୍ଥୀ ଚୟନରେ ମଧ୍ୟ ବାରିହେଉଛି ।