କନକ ବ୍ୟୁରୋ : ବସ୍ ଦୁର୍ଘଟଣା ପାଇଁ ଦାୟୀ କିଏ ? ଦୋଷ ଖସାଇବାକୁ ଆରମ୍ଭ ହେଲା କି ଉଦ୍ୟମ ? ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଂଚାଇବାକୁ ଯାଇ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବସ୍ । ଘଟଣାସ୍ଥଳକୁ ଯାଇ ଯାଂଚ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତଦନ୍ତକାରୀ ଦଳ । ବସଟି ୨୦୧୬ ମସିହାର ଓ ଏହି ବସରେ ସ୍ପିଡ୍ କଂଟ୍ରୋଲର ଲାଗିଥିଲା ବୋଲି ଯୁକ୍ତି ଦର୍ଶାଯାଇଛି । ତେଣୁ ଘଂଟାପ୍ରତି ୮୦ କିମିରୁ ଅଧିକ ବେଗରେ ଏହି ଗାଡିକୁ ଚାଳକ ଚଳାଇପାରିବେ ନାହିଁ । ପୁରୁଣା ପୋଲରେ ଲାଇଟ୍ ବ୍ୟବସ୍ଥା ନାହିଁ ଓ ଏହାର ଦୁର୍ବଳ ବାଡ, ବସଟି ତଳକୁ ଖସିପଡିବାର ଅନ୍ୟ କାରଣ ବୋଲି ମଧ୍ୟ କହିଛନ୍ତି ଯାଂଚକାରୀ । ତେଣୁ ଏନଏଚଏଆଇ ମୁଣ୍ଡରେ ଦୋଷ ଲଦି ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଭୟଙ୍କର ବସ ଦୁର୍ଘଟଣାକୁ ଅଙ୍ଗେ ନିଭାଇଥିବା ଯାତ୍ରୀ ଗତକାଲି କହିଥିଲେ ବସଟି ଅତି ଦ୍ରୁତ ଗତିରେ ଯାଉଥିଲା, ଏପରିକି ହମ୍ପସ ପଡିଲେ ବି ବେଗ କମୁନଥିଲା ବୋଲି ଅଭିଯୋଗ କରିଥିଲେ ଯାତ୍ରୀ । ହେଲେ ଯାଂଚକାରୀ ଦଳ, ଯାତ୍ରୀଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ।
ରାଧାକ୍ରିଷ୍ଣନ କମିଟିର ନିର୍ଦ୍ଦେଶ ଆଧାରରେ ଗଠିତ କମିଟି ଘଟଣାସ୍ଥଳକୁ ଯାଇ ଆଜି ତଦନ୍ତ କରିଛନ୍ତି । ଆଜି ଏହି ଟିମ୍ ମହାନଦୀ ଭିତରକୁ ବୋଟ ଯୋଗେ ଯାଇ ତଦନ୍ତ କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ପାଇଁ ଏପ୍ରକାର ଦୁର୍ଘଟଣା ଘଟିଛି କି ନାହିଁ, ସେ ସମ୍ପର୍କରେ ଯାଂଚ କରିଥିଲେ । ଏହି କମିଟି ତଦନ୍ତ ରିପୋର୍ଟ, ଆରଟିଓଙ୍କ ମାଧ୍ୟମରେ ରୋଡ୍ ସେଫ୍ଟି ସେଲର ଯୁଗ୍ମ କମିସନରଙ୍କ ନିକଟରେ ଦାଖଲ କରିବେ । ମଙ୍ଗଳବାର ଦିନ ସନ୍ଧ୍ୟାରେ ମହାନଦୀ ପୋଲ ଉପରେ ଦୁର୍ଘଟଣାରେ ଜଗନ୍ନାଥ ନାମକ ବସ ୩୦ ଫୁଟ ତଳକୁ ଖସିପଡିଥିଲା । ଏଥିରେ ୧୦ ଜଣ ପ୍ରାଣ ହରାଇଥିଲେ । କଟକ ବଡ଼ ମେଡିକାଲରେ ୩୨ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ୬ଜଣ ।