ଭିଜିଲାନ୍ସ ଜାଲରେ ତଳିଆ କର୍ମଚାରୀ ! ଓଡ଼ିଶାରେ କିଏ ଅଧିକ ଦୁର୍ନୀତିଗ୍ରସ୍ତ?

119

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରଙ୍କ ତୃତୀୟ ଶ୍ରେଣୀର କର୍ମଚାରୀ । ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଧରୁଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ହେଉ କି ଲାଂଚ ନେଉଥିବା ଅଭିଯୋଗରେ ହେଉ ଭିଜିଲାନ୍ସ ଜାଲରେ ଛନ୍ଦିହୋଇଯାଉଛନ୍ତି ଦୁର୍ନୀତିଗ୍ରସ୍ତ କର୍ମଚାରୀ । ତେବେ ଏଇଠି ପ୍ରଶ୍ନ ଉଠୁଛି ରାଜ୍ୟରେ କେବଳ କ’ଣ ତୃତୀୟ ଶ୍ରେଣୀର ତଥା ତଳତଳିଆ କର୍ମଚାରୀ କାହିଁକି ଧରାପଡ଼ୁଛନ୍ତି । ଏହା ପଛରେ କ’ଣ ରହିଛି ରହସ୍ୟ ? ନା ଜାଣିଶୁଣି ପ୍ରଥମ ଶ୍ରେଣୀର କର୍ମଚାରୀଙ୍କ ପାଖରେ ପହଞ୍ଚି ପାରୁନି ଭିଜିଲାନ୍ସ । ବଡ଼଼ବାବୁଙ୍କୁ ଛାଡ଼ି ତଳତଳିଆ କର୍ମଚାରୀଙ୍କୁ ଧରୁନି ତ ଭିଜିଲାନ୍ସ ?

ତୃତୀୟ କର୍ମଚାରୀ ତଥା ତଳତଳିଆ କର୍ମଚାରୀଙ୍କ ପଛରେ ପଡ଼ିଛି ଭିଜିଲାନ୍ସ । ସେମାନଙ୍କ ଆୟ ବହିର୍ଭୂତ ସମ୍ପତିର ହିସାବ ଖୋଜୁଛି । ତେବେ ବିଗତ ପାଂଚ ବର୍ଷରେ କେତେ ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତାହାର ଏକ ରିପୋର୍ଟ ଆସିଛି । ଗତ ୧/୧/୨୦୧୩ରୁ ୩୧/୧୦/୨୦୧୮ ମଦ୍ୟରେ ରାଜ୍ୟରେ ଭିଜିଲାନ୍ସ ବିଭାଗ ୩୨୩୭ ଜଣ ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି । ସେଥିରେ ଅଛନ୍ତି ୩୭୩ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ , ୩୪୭ ଜଣ ଦ୍ୱିତୀୟ ଶ୍ରେଣୀର କର୍ମଚାରୀ ଓ ସବୁଠାରୁ ଅଧିକ ତଥା ୨୦୫୩ ଜଣ ତୃତୀୟ ଶ୍ରେଣୀର କର୍ମଚାରୀ । ତେବେ ଏଥମଧ୍ୟରୁ ମାତ୍ର ୫୬୩ ଜଣ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଛନ୍ତି ଓ ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି ।

ତୃତୀୟ ଶ୍ରେଣୀର କର୍ମଚାରୀ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ୪୮୫ ଜଣ, ଲାଂଚ ନେବା ମାମଲାରେ ୧୧୨୮ ଜଣ ଓ ଅନ୍ୟାନ୍ୟ ଦୁର୍ନୀତି ଅଭିଯୋଗରେ ୧୬୨୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ୩୬୬,୨୬,୧୬ ୧୬୯ ଟଙ୍କାର ସମ୍ପତି ଜବତ ହୋଇଛି । ଆଉ ତହିଁରୁ ୧,୦୮,୪୮,୫୫୬ ଲାଂଚ ଟଙ୍କା ଧରପଡ଼ିଛି । ଏଥିମଧ୍ୟରୁ ୧୩୯୨ ଜଣଙ୍କ ବିରୋଧରେ ଅର୍ଥ ଆତ୍ମସାତ କରିଥିବା ମକଦ୍ଦମା ରୁଜୁ ହୋଇଛି । ଆଉ ଏଥିରୁ ୧୨୫୨ ଜଣଙ୍କୁ ଗିରଫ କରାଯାଇଛି ।