କିଏ ଭିଆଇଲା ଏତେବଡ ହିଂସାକାଣ୍ଡ ! ସେବାୟତଙ୍କ ବେଶରେ କିଏ ଚଳାଇଥିଲେ ଗୁଣ୍ଡାରାଜ ? ପୁରୀ ବିଶୃଙ୍ଖଳାକୁ ନେଇ ଉଠିଛି ଅନେକ ପ୍ରଶ୍ନ । 

40

କନକ ବ୍ୟୁରୋ : ଶାନ୍ତପୂର୍ଣ୍ଣ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଥିବା ପୁରୀର ସୁଖ୍ୟାତିକୁ ଗୋଟିଏ ଦିନରେ ଆଂଚ ଆଣିଛନ୍ତି ଆନ୍ଦୋଳନକାରୀ । କାହିଁକି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା, ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଶ୍ରୀଜଗନ୍ନାଥ ସେନା ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଥିଲା । ଯାହାକୁ ସମର୍ଥନ ଜଣାଇଥିଲେ ଅନ୍ୟାନ୍ୟ ସଂଗଠନ । ହେଲେ କାହିଁକି ବେକାବୁ ହୋଇଗଲା ଭିଡ଼ ? କିଏ ଏଥିପାଇଁ ଦାୟୀ ? ସେବାୟତ, ଶ୍ରୀଜଗନ୍ନାଥ ସେନାର କର୍ମୀ, ସାଧାରଣ ଜନତା ନା କିଛି ଅସାମାଜିକ ବ୍ୟକ୍ତି ? ଆଇନ କାନୁନକୁ ଫୁ କରି ଦେଇଥିବା ଏହି ବ୍ୟକ୍ତିମାନେ କିଏ ?

ସେବାୟତ ଭାଙ୍ଗିଲେ ବାରିକେଡ୍ । ଧାଡି ଦର୍ଶନକୁ ବିରୋଧ ସହ ୯ ଦଫା ଦାବି ନେଇ ପୁରୀ ବନ୍ଦ ପାଳନବେଳେ ଯେଉଁ ଅପ୍ରିତିକର ପରିସ୍ଥିତି ଦେଖାଦେଇଛି ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା । କାରଣ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନବେଳେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ପରିସ୍ଥିତି । ବିଶେଷ କରି ଶ୍ରୀମନ୍ଦିରକୁ ଧସେଇ ପଶିବା ସହ ଧାଡି ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବାରିକେଡକୁ ଭାଙ୍ଗି ଦିଆଯାଇଛି । ଏକା ବିଶାଳ ରାଲିରେ ଆସି ଶହଶହ ଲୋକ ପ୍ରଥମେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ଅଚାନକ ଭଙ୍ଗାରୁଜା ଓ ଫିଙ୍ଗା ଫୋପଡା ଆରମ୍ଭ କରିଦେଇଥିଲେ ।

ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସେନାର କର୍ମୀ ନା ସାଧାରଣ ଜନତା ? ପ୍ରତିବାଦ ନାଁରେ ପ୍ରତିଶୋଧ ପରାୟଣ ହୋଇ ଉଗ୍ର ଆଚରଣ କରୁଥିବା ଏହି ବ୍ୟକ୍ତିମାନେ କିଏ ? ସେବାୟତ ବେଶରେ ଥିବା କିଛି ବ୍ୟକ୍ତି କାହିଁକି ଏଭଳି ଆଇନକୁ ହାତକୁ ନେଇଛନ୍ତି ? କୁହାଯାଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଭକ୍ତମାନଙ୍କୁ ଧାଡିରେ ଛାଡିବା ଲାଗି ପ୍ରଶାସନ ଲଗାଇଥିବା ବାରିକେଡକୁ ମୂଳରୁ ବିରୋଧ କରିଆସୁଛନ୍ତି ସେବାୟତ । ବିଶେଷ କରି ବାଇସି ପାହାଚ ଦେଇ ଲଗାଯାଇଥିବା ଲୁହା ରେଲିଂକୁ ହଟାଇଦେବାକୁ ଦାବି କରିଆସୁଛନ୍ତି । ପ୍ରଶାସନର କଟକଣା ଫଳରେ ଏକ ବଡ ଆର୍ଥିକ କ୍ଷତିହେବା ଆଶଙ୍କା କରୁଛନ୍ତି ସେବାୟତ ।

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ଲାଗି ସମସ୍ତେ ଚାହାନ୍ତି । ତେବେ ଦର୍ଶନକୁ ଶୃଙ୍ଖଳିତ କରିବାକୁ ପରୀକ୍ଷାମୂଳକ ଭାବେ ଲଗାଯାଇଥିବା ବାରିକେଡକୁ ବିରୋଧ କରୁଥିବା ଏହି ବ୍ୟକ୍ତିମାନେ କିଏ ? ଏମାନେ କଣ ସାଧାରଣ ଭକ୍ତ ? ଯେଉଁମାନେ ପ୍ରକୃତରେ ବିଚାର କରୁଛନ୍ତି ଯେ, ପ୍ରଶାସନର ପଦକ୍ଷେପ ଫଳରେ ଠାକୁରଙ୍କୁ ଦର୍ଶନ କରିବାରେ ଅସୁବିଧା ସୃଷ୍ଟି ହେଉଛି ? ନା କେବଳ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଛି ଅସାମାଜିକ ଯୁବକ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ? କାହା ପ୍ରରୋଚନାରେ ଏଭଳି ବାରିକେଡକୁ ଓପାଡି ଫୋପାଡି ଦେଇଛନ୍ତି ଅସାମାଜିକ ଯୁବକମାନେ ?