ଜଗା ଆଖି ଆଗରେ କିଏ ଘଟାଇଥିଲା ଏତେବଡ ହିଂସାକାଣ୍ଡ! ପୁରୀ ଘଟଣାକୁ ନେଇ ଆକ୍ସନ ମୋଡରେ ପୋଲିସ, ଜାଣନ୍ତୁ ଏହି ଘଟଣା ପଛର ଖଳନାୟକ କିଏ?

15

କନକ ବ୍ୟୁରୋ : ଧାଡି ଦର୍ଶନ ପ୍ରତିବାଦରେ ଜଳିଲା ଶ୍ରୀକ୍ଷେତ୍ର ପୁରୀ । ହେଲେ ଏଥିପାଇଁ ଦାୟୀ କିଏ? କାହା ଇଙ୍ଗିତରେ ହୋଇଥିଲା ଏତେବଡ ହିଂସାକାଣ୍ଡ? ମିଳିଥିବା ଖବର ଅନୁସାରେ , ସ୍ଥାନୀୟ ବ୍ୟବସାୟୀ ଅର୍ଥ ଦେଇ ଆଣିଥିଲେ ଭଡାଟିଆ ଗୁଣ୍ଡା । ବ୍ୟବସାୟୀଙ୍କ ନିର୍ଦ୍ଦେଶରେ ପୁରୀରେ ବ୍ୟାପକ ପୋଡାଜଳା ଓ ଭଂଗାରୁଜା ହୋଇଥିଲା ।

ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଘଟିଥିବା ହିଂସାକାଣ୍ଡର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । ସୂଚନା ଅନୁସାରେ, ଯେଉଁ ବ୍ୟାପକ ଭଂଗାରୁଜା ଓ ପୋଡାଜଳା ହେଲା, ଏହା ପଛରେ ରହିଛି କିଛି ମୁଷ୍ଟିମେୟ ବ୍ୟବସାୟୀଙ୍କ ହାତ । ଟଙ୍କା ଦେଇ ସ୍ଥାନୀୟ ଅଂଚଳରୁ ଭଡାଟିଆ ଗୁଣ୍ଡା ଆଣି ଭିଆଇଥିଲେ ଆତଙ୍କ । ପ୍ରତିବାଦ କିପରି ହିଂସାତ୍ମକ ରୂପ ନେବ ସେଥିପାଇଁ ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ଏପରିକି ଏଥିରେ ସାମିଲ ହୋଇଥିଲେ ଉଚ୍ଛେଦ ହୋଇଥିବା କିଛି ଉଠା ଦୋକାନୀ ।

ଆମିକସ କ୍ୟୁରୀଙ୍କ ସୁପାରିଶରେ ପୁରୀରେ ଧାଡି ଦର୍ଶନ ବ୍ୟବସ୍ଥା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯେଉଁଥିପାଇଁ ସିଂହଦ୍ୱାର କଡରେ ଥିବା ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଓ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ବର୍ଷ ବର୍ଷ ଧରି ବ୍ୟବସାୟ ଚଲାଇଥିବା ଦୋକାନୀ , ଜୀବିକା ହରାଇବା ପରେ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ବଡଦାଣ୍ଡରୁ ପାଖାପାଖି ୨ଶହ ବଡ ଦୋକାନୀ ଓ ଉଠାଦୋକାନୀକୁ ଉଚ୍ଛେଦ କରାଯାଇଛି । ଆଉ ସେମାନେ ହିଁ ଅସାମାଜିକ ଲୋକଙ୍କୁ ଲଗାଇ ପର୍ଯ୍ୟଟନ କ୍ଷେତ୍ରରେ ଅଶାନ୍ତିର ନିଆଁ ଲଗାଇଥିବା ଜଣାପଡିଛି । ସ୍ୱାର୍ଥ ପାଇଁ ପ୍ରଶାସନର ବ୍ୟବସ୍ଥାକୁ ବିରୋଧ କରିବା ସହ ପ୍ରତିବାଦ ନାଁରେ ହିଂସା ଭିଆଇଥିଲେ ।

ଏଠି ପ୍ରଶ୍ନ ଉଠୁଛି,
ପ୍ରତିବାଦ ନାଁରେ ହିଂସାକାଣ୍ଡ କେତେ ଯଥାର୍ଥ?
ସର୍ବସାଧାରଣ ସଂପତି ନଷ୍ଟ କରିବାକୁ କିଏ ଦେଲା ଅଧିକାର?
ପୁରୀର ସୁଖ୍ୟାତି ନଷ୍ଟ କରିବା ପଛରେ ରହିଛି କାହାର ସ୍ୱାର୍ଥ?
ଏହାରି ଭିତରେ ପୁରୀରେ ବ୍ୟାପକ ହିଂସା ଘଟାଇଥିବା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରିସାରିଛି ପୋଲିସ । ସିସିଟିଭି ଫୁଟେଜରୁ ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି ।

Comments are closed.