୨୦୧୮ରେ କିଏ ଥିଲା ସବୁଠୁ ଅଧିକ ଚର୍ଚ୍ଚାରେ! କନକ ନ୍ୟୁଜରେ ଆରମ୍ଭ ହେଲା ଚର୍ଚ୍ଚିତ ବ୍ୟକ୍ତିଙ୍କ ଚୟନ ପ୍ରକିୟା, ଅନଲାଇନରେ ଆପଣ କହିବେ କିଏ ହେବ ନ୍ୟୁଜମେକର-୨୦୧୮

662

କନକ ବ୍ୟୁରୋ : ଘଟଣା ବହୁଳ ଥିଲା ବର୍ଷ-୨୦୧୮ । ରାଜ୍ୟର ଅନେକ ଘଟଣା ସାରା ବିଶ୍ୱରେ ଚର୍ଚା ସାଉଁଟିଥିଲା ଏବଂ ଏମିତି ଅନେକ ବ୍ୟକ୍ତିତ୍ୱ ଥିଲେ ଯେଉଁମାନେ ବର୍ଷ ତମାମ ରହିଥିଲେ ଚର୍ଚାରେ । ରାଜନୀତି, କ୍ରୀଡା, ମନୋରଂଜନ ଏବଂ ସାମାଜିକ କ୍ଷେତ୍ରରେ ଏଭଳି କିଛି ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ ନେଇ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଚୟନ ପ୍ରକ୍ରିୟା ହୋଇଥିଲା । ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ, ସମୀକ୍ଷକ, ସମାଜସେବୀ ଏବଂ ଅଭିଜ୍ଞ ଅର୍ଥନୀତିଜ୍ଞ ଆଲୋଚନା ଓ ବିଚାର ବିମର୍ଶ କରିବା ପରେ କିଛି ଚର୍ଚ୍ଚିତ ଚେହେରାଙ୍କ ନାଁ ପ୍ରସ୍ତୁତ କରିଛନ୍ତି । ଦେଖନ୍ତୁ ୨୦୧୮ରେ କିଏ ରହିଥିଲା ଚର୍ଚାରେ ।

ବର୍ଷ ୨୦୧୮ରେ ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତି ସରଗରମ ରହିଥିଲା ଓଡିଶା ରାଜନୀତିର କିଛି ଚର୍ଚ୍ଚିତ ନେତାଙ୍କ ପାଇଁ । ପ୍ରଥମେ ମନ୍ତ୍ରୀ ପଦ ଏବଂ ପରେ ବିଜେଡିରୁ ବହିଷ୍କାର ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜେ ଦଳ ଗଢିବାକୁ ଅଂଟା ଭିଡିଛନ୍ତି । ସେହିପରି ବିଜେଡିରୁ ବହିଷ୍କାର ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗତି କୁଆଡେ, ତାକୁ ନେଇ ବି ଜୋରଦାର ଚର୍ଚା ଲାଗିରହିଛି । ସମାନ ସ୍ଥିତି ବିଜେପି ଛାଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ।

ପ୍ରଶାସିକାରୁ ନେତା ବନିଥିବା ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ପରେ ଓଡିଶା ତଥା ଜାତୀୟ ରାଜନୀତିର ଲାଇମଲାଇଟରେ ଅଛନ୍ତି । ଗୋଷ୍ଠୀ କନ୍ଦଳକୁ ଦୂର କରି କର୍ମୀଙ୍କୁ ଏକାଠି ନେଇ ମିଶନ ୨୦୧୯ ପାଇଁ ପ୍ରସ୍ତୁତ ହେଉଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଏବଂ ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରେ ଅମାନବୀୟ ଆକ୍ରମଣ ତାଙ୍କୁ ୨୦୧୮ର ଚର୍ଚିତ ଚେହେରା ମଧ୍ୟରେ ରଖିଛି ।

ଏସିଆନ୍ ଗେମ୍ସରେ ୧୦୦ ଓ ୨୦୦ ମିଟର ବର୍ଗରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ଓଡିଶାକୁ ଗର୍ବିତ କରିଥିବା ଆଥଲେଟ୍ ଦୂତି ଚାନ୍ଦଙ୍କୁ ନେଇ ସାରା ବିଶ୍ୱରେ ଚର୍ଚା । କଳିଙ୍ଗ ଷ୍ଟାଡିଅମର ବ୍ଲୁ ଟର୍ଫରେ ଟିମ୍ ଇଣ୍ଡିଆ ପାଇଁ ଗୋଲ୍ ଦେଇ ରାତାରାତି ହକି ସେନସେସନ୍ ପାଲଟିଯାଇଛନ୍ତି ଓଡିଆ ପୁଅ ଅମିତ ରୋହିଦାସ । ଆଉ ଫିଲିପିନ୍ସରେ ଏସିଆନ ସ୍ୱର୍ଣ୍ଣ ବିଜୟୀ ହୋଇ ଦେଶ ପାଇଁ ଗୌରବ ଆଣିଛନ୍ତି ଚେସ୍ ଖେଳାଳି ପଦ୍ମିନୀ ରାଉତ ।

ମଂଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ସଫଳତାର କାହାଣୀ ଶୁଣିବାକୁ ବାଧ୍ୟ କରିଥିବା ସୁନ୍ଦରଗଡ ଏସଏଚଜି ଗ୍ରୁପର ଜୟନ୍ତୀ ଏକ୍କା ସାରା ରାଜ୍ୟରେ ଚର୍ଚ୍ଚିତ ହୋଇପଡିଥିଲେ । କଟକରେ ଚା ଦୋକାନ କରି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଥିବା ପ୍ରକାଶ ରାଓଙ୍କ କାହାଣୀକୁ ମନ୍ କି ବାତରେ ଦୁନିଆ ସାମ୍ନାକୁ ଆଣିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ଭିତରେ କେନ୍ଦୁଝରରେ ପାହାଡ ଖୋଳି ଲୋକଙ୍କ ପାଇଁ ରାସ୍ତା ତିଆରି କରି ଲୋକଲୋଚନକୁ ଆସିଥିଲେ ଦଶରଥ ମାଝି ।

ଓଡିଆ ଭଜନ ଆହେ ନୀଳ ଶଇଳକୁ ନିଜ ଶୈଳୀରେ ଗାଇ ମନୋରଂଜନ କ୍ଷେତ୍ରରେ ଚହଳ ପକାଇଦେଇଥିଲେ ଓଡିଆ ଝିଅ ସୋନା ମହାପାତ୍ର । କାଷ୍ଟିଂ କାଉଚ୍ ଅଭିଯୋଗରେ ଛନ୍ଦି ହେବା ପରେ ପାନକ୍ରିଆଜ୍ ସଂକ୍ରମଣରେ ଗୁରୁତର ହୋଇପଡିଥିବା କମେଡି କିଙ୍ଗ ପପୁ ପମପମ୍ ନିର୍ଦ୍ଦେଶନା ମାଧ୍ୟମରେ ପୁଣି ଓଲିଉଡ୍କୁ ଫେରିଛନ୍ତି । ସେହିପରି ସୁପରହିଟ୍ ଗୀତ ଗାଇ କୋଟି କୋଟି ଓଡିଆଙ୍କ ହୃଦୟ ଜିତିଛନ୍ତି ସିଙ୍ଗର ମଂଟୁ ଛୁରିଆ ଓ ଅସୀମା ପଣ୍ଡା ।

ବର୍ଷ ୨୦୧୮ର ଚର୍ଚିତ ଚେହେରାଙ୍କ ତାଲିକା ଜୁରୀ ପ୍ରସ୍ତୁତ କରିସାରିଛନ୍ତିି ।  ଏମାନଙ୍କ ମଧ୍ୟରୁ ନ୍ୟୁଜ୍ ମେକର-୨୦୧୮ ବାଛିବା ପାଇଁ ଆରମ୍ଭ ହେବ ଅନଲାଇନ୍ ଭୋଟ୍ ପ୍ରକ୍ରିୟା । ଆଉ ଆପଣମାନେ ହିଁ ବାଝିବେ କିଏ ହେବ ୨୦୧୮ର ନ୍ୟୁଜ୍ ମେକର ।