୨୦୧୯ରେ କିଏ ପାଇବ କଂଗ୍ରେସ ଟିକେଟ ? ସଭାପତିଙ୍କ ମୁହଁରୁ ମିଳିଲା ଉତ୍ତର, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

50

କନକ ବ୍ୟୁରୋ : ଆଜି କଂଗ୍ରେସର ନିର୍ବାଚନ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ନିର୍ବାଚନରେ ଟିକେଟ ବଂଟନ ନେଇ ବଡ ନିଷ୍ପତି ନିଆଯାଇଛି । ପ୍ରାର୍ଥୀ ଚୟନ ପାଇଁ ଗାଇଡଲାଇନ ପ୍ରସ୍ତୁତ ଚାଲିଥିବା କହିଛନ୍ତି କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ । ଆଉ ଏହାସହ ୨୦୧୯ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି କଂଗ୍ରେସ । ଯାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ପିଇସି ବୈଠକରେ ପରେ ନିରଞ୍ଜନ କହିଛନ୍ତି, ବର୍ତ୍ତମାନ ବିଧାୟକ ଥିବା ପ୍ରାର୍ଥୀଙ୍କୁ ୨୦୧୯ରେ ଟିକେଟ ମିଳିବ । ଅଥାର୍ତ ଏବେ କଂଗ୍ରେସର ବିଧାୟକ ଥିବା ସମସ୍ତ ପ୍ରାର୍ଥୀ ୨୦୧୯ ନିର୍ବାଚନ ଲଢିବେ ବୋଲି ନିରଞ୍ଜନ ସ୍ପଷ୍ଟ କରିଛନ୍ତି ।

ଏହାଛଡା ୨୦୧୯ ସାଧାରଣ ନିବାର୍ଚନରେ ପ୍ରାର୍ଥୀ ଚୟନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ପିଇସି ବୈଠକରେ ନିଷ୍ପତି ନିଆଯାଇଛି । ଏପରିକି ଯେଉଁ ପ୍ରାର୍ଥୀଙ୍କର ବିଜୟ ସମ୍ଭାବନା ଅଧିକ ଥିବ ସେମାନଙ୍କୁ ଟିକେଟ ମିଳିବ । ଲୋକଙ୍କ ସହ ଯୋଡି ହୋଇ ରହିଥିବା ଓ ଦୃଢ ସଙ୍ଗଠନ ଥିବା ପ୍ରାର୍ଥୀଙ୍କୁ ୨୦୧୯ ନିର୍ବାଚନ ମୈଦାନରେ ଦେଖିବାକୁ ମିଳିବ ବୋଲି ଏକରକମ ସ୍ପଷ୍ଟ ହୋଇଛି । ଏହାସହ ଗତ ନିର୍ବାଚନରେ ଅମାନତ୍ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ନିର୍ବାଚନ କମିଟି ବୈଠକରେ ନିଷ୍ପତି ହୋଇଛି ।

ନିର୍ବାଚନୀ ରେସରେ ବିଜେଡି ଓ ବିଜେପି ଠାରୁ ପଛରେ ପଡିଯାଇଥିବା କଂଗ୍ରେସ ୨୦୧୯ ପାଇଁ କିନ୍ତୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ୨୦୧୯ ପାଇଁ ୩୦୦ ଜଣଙ୍କୁ ନେଇ ଜୁମ୍ବୋ ଟିମ୍ ଘୋଷଣା ହେବା ପରେ ଆଗାମୀ ୧୫ ଦିନ ମଧ୍ୟରେ ୫୦ ପ୍ରତିଶତ ପ୍ରାର୍ଥୀ ଘୋଷଣା କରିବାକୁ ନିଷ୍ପତି ନେଇଛି ଦଳ । ଏପରିକି ନୂଆ ଷ୍ଟ୍ରାଟେଜୀ ସହ ଦଳ ନିର୍ବାଚନ ମୈଦାନକୁ ଓହ୍ଳାଇବାକୁ ଲକ୍ଷ୍ୟ ରଖିଛି । ଖାସକରି ଦଳର ଯେଉଁ ପକେଟ ଭୋଟ ରହିଛି ତାହାକୁ ସୁରକ୍ଷିତ ରଖିବା ପାଇଁ ବୁଥ ଉପରେ ନଜର ପକାଇଛି ଦଳ । କାରଣ ଗତ ତିନୋଟି ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଭୋଟ ହାର କମିବାରେ ଲାଗିଛି । ତେଣୁ ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ଭୋଟହାର ବଢାଇବା ପାଇଁ ୩୬ ହଜାର ବୁଥ୍ ପାଇଁ ୩ ଜଣ ଲେଖାଏଁ ଏଜେଣ୍ଟ ଘୋଷଣା କରିବାକୁ ନିଷ୍ପତି ନେଇଛି ଦଳ ।