ଆକ୍ଟିଭ ମୋଡରେ ପରାଜିତ ପ୍ରାର୍ଥୀ । ସଞ୍ଜୟଙ୍କୁ ପଦ ମିଳିବା ପରେ ଶଙ୍ଖ ଶିବିର ଚଳଚଞ୍ଚଳ, ରାଜ୍ୟସଭା ରେସର ଆଶାୟୀ ତାଲିକା ଲମ୍ବିଲା, ପଲିଟିକ୍ସ ବଢିଲା ।

870

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ୪ ରାଜ୍ୟସଭା ଆସନ ପାଇଁ ଆସନ୍ତା ୨୬ରେ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି । ଖାସକରି ବିଜେଡି ଶିବିର ଅଧିକ ଚଳଚଞ୍ଚଳ ହୋଇଉଠିଛି । କାରଣ ଫାଙ୍କା ହେବାକୁ ଥିବା ୪ ଆସନରୁ ବେଶ ସହଜରେ ବିଜେଡି ଖାତାକୁ ଆସିବ ୩ ଆସନ । ଅନ୍ୟ ଗୋଟିଏ ଆସନ ପାଇଁ ଯେଉଁ ଅଙ୍କକଷା ହେଉଛି ତାହାକୁ ବୁଝିବା ଭାରି ମୁସ୍କିଲ । ତେଣୁ ବିଜେଡି ଖାତାକୁ ଆସିବାକୁ ଥିବା ଏହି ୩ ଆସନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଆସନ ସିନା ୩, କିନ୍ତୁ ଆଶାୟୀଙ୍କ ସଂଖ୍ୟା ଡଜନେରୁ ଅଧିକ ରହିଛି ।

ଯେତେବେଳେ ସଞ୍ଜୟ ଦାସବର୍ମାଙ୍କୁ ସୁପ୍ରିମୋ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭଳି ଗୁରୁଦାୟିତ୍ୱ ଦେଇଛନ୍ତି ।ସେତେବେଳେ କିଛି ପରାଜିତ ନେତା ରାଜ୍ୟସଭା ଟିକେଟ ପାଇଁ ଆଶାୟୀ ହୋଇଛନ୍ତି । ସଞ୍ଜୟଙ୍କୁ ଦାୟିତ୍ୱ ମିଳିବା ପରାଜିତ ନେତାଙ୍କ ମନରେ ରାଜ୍ୟସଭା ଲଡୁ ଖାଇବାର ଆଶା ସଞ୍ଚାର କରିଛି । କାରଣ ୨୦୧୯ ନିର୍ବାଚନ ପରେ ପରେ କୌଣସି ପରାଜିତ ନେତାଙ୍କୁ ସେଭଳି ବଡ ଦାୟିତ୍ୱ ଦେଇନଥିଲେ ବିଜେଡି ସୁପ୍ରିମୋ । କିନ୍ତୁ ହଠାତ୍ ସଞ୍ଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ମିଳିବା କିଛି ପରାଜିତ ନେତାଙ୍କ ରାଜନୈତିକ ଭବିଷ୍ୟତ ପାଇଁ ବାଟ ଫିଟାଇଥିବା ଚର୍ଚ୍ଚା ହେଉଛି । ଖାସକରି ରାଜ୍ୟସଭା ରେସରେ କିଛି ହେଭିୱେଟ ପରାଜିତ ନେତାଙ୍କ ନାଁକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ବଲାଙ୍ଗୀରରୁ ବାଲେଶ୍ୱର, କୋରାପୁଟରୁ କଳାହାଣ୍ଡି, ୨୦୧୯ ନିର୍ବାଚନ ମୈଦାନରେ ମାତ୍ ଖାଇଥିବା ବିଜେଡିର କିଛି ହେଭିୱେଟ ନେତା ଏବେ ଦିଲ୍ଲୀ ଲଡୁ ଖାଇବାକୁ ଲବି ଆରମ୍ଭ କଲେଣି ।

ବିଜେଡିର ପରାଜିତ ନେତାଙ୍କ ତାଲିକା ଲମ୍ବା ଥିଲେ ମଧ୍ୟ ରାଜ୍ୟସଭା ରେସରେ କଳାହାଣ୍ଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ସାମ୍ନାକୁ ଆସୁଛି । ନବୀନଙ୍କ ଚତୁର୍ଥ ପାଳିରେ ଟାଣୁଆ କ୍ୟାବିନେଟ ମନ୍ତ୍ରୀ ଥିବା ପୁଷ୍ପେନ୍ଦ୍ର ୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ଛାଡି କଳାହାଣ୍ଡି ଲୋକସଭା ଆସନରୁ ଲଢିଥିଲେ । କିନ୍ତୁ ଏହି ଲଢେଇରେ ଫେଲ୍ ମାରିଥିଲେ ପୁଷ୍ପେନ୍ଦ୍ର । ହାରିବା ପରେ ମଧ୍ୟ ଦଳର ଶୃଙ୍ଖଳିତ କର୍ମୀ ଭଳି ସଙ୍ଗଠନ ସଜାଡିବା ଉପରେ ଫୋକସ କରିଛନ୍ତି ପୁଷ୍ପେନ୍ଦ୍ର । ଯେହେତୁ ଦଳର ଆବଶ୍ୟକତା ଅନୁଯାୟୀ ପୁଷ୍ପେନ୍ଦ୍ର କାମ କରି ଆସିଛନ୍ତି ତେଣୁ ତାଙ୍କୁ ରାଜ୍ୟସଭା ପଗଡି ମିଳିବା ନେଇ ସେ ଆଶାବାଦୀ ରହିଛନ୍ତି । ଏହାଛଡା ପଶ୍ଚିମ ଓଡ଼ିଶା ଟ୍ୟାଗ ପୁଷ୍ପେନ୍ଦ୍ରଙ୍କୁ ରାଜ୍ୟସଭା ରେସରେ ଆଗରେ ରଖିଥିବା କୁହାଯାଉଛି ।

ସେହିଭଳି ପଶ୍ଚିମ ଓଡ଼ିଶାର ଆଉ ଜଣେ ଟାଣୁଆ ନେତା କଳିକେଶ ନାରାୟଣ ସିଂହଦେଓଙ୍କୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି । ବଲାଙ୍ଗୀର ରାଜପରିବାରର ପୁଅ କଳିକେଶ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ରାଜ୍ୟସଭା ରେସରେ ନିଜ ଦାବିବାର ଉପସ୍ଥାପନ କରୁଛନ୍ତି । ଯେହେତୁ ବଲାଙ୍ଗୀର ବିଜେଡି ରାଜନୀତିରେ ରାଜପରିବାରର ବଡ ଭୂମିକା ରହିଛି ତେଣୁ କଳିକେଶ ନିଜ ପାଇଁ ଲବି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ କଳିକେଶଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯାଇଛି । ଏହାବାଦ୍ ବାପା ଅନଙ୍ଗ ଉଦୟ ସିଂହଦେଓ ନବୀନଙ୍କର ଘନିଷ୍ଠ ବନ୍ଧୁ ହୋଇଥିବାରୁ ପୁଅ କଳିକେଶଙ୍କ ପାଇଁ ସେ ଲବି ଆରମ୍ଭ କରିଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାବାଦ ପଶ୍ଚିମ ଓଡ଼ିଶାର ଅନ୍ୟ ଜଣେ ନେତା ନଳିନୀ ପ୍ରଧାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ ନୁହେଁ । ପୂର୍ବରୁ ପୂର୍ତ୍ତ ସଚିବ ଥିବା ନଳିନୀ ୨୦୧୯ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରି ପରାଜିତ ହୋଇଥିଲେ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ରାଜ୍ୟସଭା ରେସରେ ନିଜ ପାଇଁ ସେ ଲବି ଆରମ୍ଭ କରିଥିବା କୁହାଯାଉଛି । କାରଣ ପାୱାର କରିଡରର ଗୁଡବୁକରେ ନଳିନୀ ରହିଥିବା ନେଇ ଦଳୀୟ ମହଲରେ ଅନେକ ସମୟରେ ଚର୍ଚ୍ଚା ହୁଏ । ପଶ୍ଚିମ ଓଡ଼ିଶା ଉପରେ ଫୋକସ ପଛର ସବୁଠୁ ବଡ କାରଣ ହେଉଛି ଏଠାରେ ବିଜେପିକୁ ପ୍ରିତହତ କରିବା । କାରଣ ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଲୋକସଭା ଆସନ ଗୁଡିକରେ ବିଜେଡିକୁ ଶକ୍ତ ଝଟକା ଲାଗିଥିଲା । ତେଣୁ ପଶ୍ଚିମ ଓଡ଼ିଶାର ଭୋଟବ୍ୟାଙ୍କକୁ ପୁଣିଥରେ ନିଜ ସପକ୍ଷକୁ ଆଣିବାକୁ ଗୋଟିଏ ରାଜ୍ୟସଭା ଆସନ ପଶ୍ଚିମ ଓଡ଼ିଶାକୁ ନବୀନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଖାଲି ହେବାକୁ ଥିବା ୪ ଆସନରୁ ଉତ୍ତର ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ସରୋଜିନୀ ହେମ୍ବ୍ରମଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରବୀନ୍ଦ୍ର ଜେନାଙ୍କ ନାଁକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ନିର୍ବାଚନରେ ବାଲେଶ୍ୱର ଲୋକସଭାରେ ମାତ୍ ଖାଇଥିଲେ ରବୀନ୍ଦ୍ର । ତେବେ ଉତ୍ତର ଓଡ଼ିଶାର ପ୍ରତିନିଧି ଭାବେ ରାଜ୍ୟସଭା ରେସରେ ନବୀନ ତାଙ୍କୁ ସାମ୍ନାକୁ ଆଣିପାରନ୍ତି ବୋଲି ସେ ଆଶାବାଦୀ ରହିଛନ୍ତି । ଯେହେତୁ ବିଜେଡିର ପ୍ରଭାବଶାଳୀ ତଥା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ରବୀନ୍ଦ୍ରଙ୍କର ପାରିବାରିକ ସମ୍ପର୍କ ରହିଛି ତେଣୁ ଦିଲ୍ଲୀ ଦରବାର ଯିବାକୁ ପୁଣିଥରେ ତାଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ଗତ ଦୁଇଟି ନିର୍ବାଚନରେ ପରାଜିତ ହୋଇଥିବା ରବି ନାରାୟଣ ନନ୍ଦ ମଧ୍ୟ ରାଜ୍ୟସଭା ପାଇଁ ଆଶାୟୀ ଥିବା କୁହାଯାଉଛି । ରବି ନନ୍ଦଙ୍କ ପଛରେ ସବୁଠୁ ବଡ ବ୍ୟାକଅପ୍ ହେଉଛି ଦକ୍ଷିଣ ଓଡ଼ିଶା କାର୍ଡ । ତେଣୁ ଦକ୍ଷିଣ ଓଡ଼ିଶା କାର୍ଡ ଖେଳି ସୁପ୍ରିମୋଙ୍କୁ ମନାଇବାରେ ରବି ସକ୍ଷମ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତୀତ ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ପରାଜିତ ହୋଇଥିବା ଅରୂପ ପଟ୍ଟନାୟକ ମଧ୍ୟ ରାଜ୍ୟସଭାରେ ଏଣ୍ଟ୍ରି କରିବାକୁ ଆଶାବାଦୀ ଅଛନ୍ତି । ନବୀନଙ୍କ ଶୁଭଦୃଷ୍ଟିରେ ଥିବାରୁ ରାଜ୍ୟସଭା ରେସରେ ନିଜର ଦୃଢ ଦାବିଦାର ଉପସ୍ଥାପନ କରୁଛନ୍ତି ଅରୂପ । ଏହାଛଡା ଉପକୂଳ ଓଡ଼ିଶାର ହୋଇଥିବାରୁ ତାଙ୍କୁ ମଧ୍ୟ ସୁଯୋଗ ମିଳିବା ନେଇ ସେ ଆଶା ରଖିଛନ୍ତି ।

ଯେହେତୁ ସରୋଜିନୀଙ୍କ ହେମ୍ବମଙ୍କ କାର୍ଯ୍ୟକାଳ ସରୁଛି ତେଣୁ ଏହି ଆସନରେ କୌଣସି ମହିଳାଙ୍କୁ ମଧ୍ୟ ପଠାଇପାରନ୍ତି ସୁପ୍ରିମୋ । ଆଉ ଯଦି ନବୀନ ମହିଳା କାର୍ଡ ଖେଳନ୍ତି ତେବେ ଶ୍ରୀମୟୀ ମିଶ୍ରଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପୁଣିଥରେ ସୁପ୍ରିମୋ ମହିଳା କୋଟାରେ ସରୋଜିନୀଙ୍କୁ ପଠାଇଲେ ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ । ସେହିଭଳି ଚତୁର୍ଥ ଆସନକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । କାହା ଖାତାକୁ ଚତୁର୍ଥ ଆସନ ଯିବ ତାହାର ସଠିକ୍ ଆକଳନ କରିବା ରାଜନୈତିକ ସମୀକ୍ଷକଙ୍କ ପାଇଁ ମଧ୍ୟ ମୁସ୍କିଲ ହୋଇପଡିଛି । କାରଣ ରାଜ୍ୟସଭା ଆସନକୁ ନେଇ ନବୀନ ପୂର୍ବରୁ ଯେଉଁଭଳି ନିଷ୍ପତି ନେଇଛନ୍ତି ତାହା ଅନେକଙ୍କୁ ଚକିତ କରିଛି । ଗତବର୍ଷ ଆବଶ୍ୟକୀୟ ସଂଖ୍ୟା ଥାଇ ମଧ୍ୟ ନବୀନ ଯେଉଁଭଳି ବିଜେପି ହାତକୁ ଗୋଟିଏ ଆସନ ଟେକିଦେଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେଣୁ ନବୀନ ମୁହଁ ନ ଖୋଲିବା ପର୍ଯ୍ୟନ୍ତ କିଏ ରାଜ୍ୟସଭା ପଗଡି ପିନ୍ଧିବ ତାହାର ଅନ୍ଦାଜ ଲଗାଇବା ସହଜ ନୁହେଁ ।