ପିଲା ଚୋରି ଗୁଜବ ଆସିଲା କେଉଁଠୁ ? ଜାଣନ୍ତୁ ପ୍ରଥମେ ଓଡିଶା ନା ପୂର୍ବରୁ ଆଉ କେଉଁ କେଉଁ ରାଜ୍ୟରେ ହୋଇଛି ଏହି ଗୁଜବ ।

62
ସୋସିଆଲ ମିଡିଆରେ ବିହାରରୁ ୫ଶହ ପିଲା ଚୋରି ଗ୍ୟାଙ୍ଗ ଏବେ ଓଡିଶା ଆସିଥିବା ଘଟଣା ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଲା ଚୋର ସନ୍ଦେହ କରି ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଯଦି ନିଜ ପିଲା ପାଖରେ କେଉଁ ଅଜଣା ବ୍ୟକ୍ତିକୁ ଦେଖୁଛନ୍ତି ତେବେ ପରିବାର ଲୋକଙ୍କ ସହ ଗାଁ ଲୋକମାନେ ସେହି ଅଜଣା ଲୋକଙ୍କୁ ଆକ୍ରମଣ କରିବାରେ ଲାଗୁଛନ୍ତି । ତେବେ ଏହି ଭାଇରାଲ ମେସେଜରେ ଏକ ଫଟୋ ସହିତ ଏଭଳି କିଛି ଲେଖା ଅଛି ଯାହାକୁ ଦେଖି ନିଶ୍ଚିତ ଭାବେ ନିଜ ପିଲାର ସୁରକ୍ଷା ପାଇଁ ଯେ କୌଣସି ସ୍ତରକୁ ପଳେଇ ଯିବା ସୁନିଶ୍ଚିତ । କାରଣ ଭାଇରାଲ ମେସେଜରେ ରହିଛି ଯେ ବିହାରର ୫ଶହ ପିଲା ଚୋର ଗ୍ୟାଙ୍ଗ ଏବେ ଓଡିଶାକୁ ଆସିଛନ୍ତି ଏବଂ ସେମାନେ ଛୋଟ ପିଲାଙ୍କୁ ଚୋରି କରି ତାଙ୍କ କିଡନୀ ଓ ଆଖି ତାଢ଼ି ନେଉଛନ୍ତି ।
ତେବେ ଗତକାଲି ରାୟଗଡା, ବ୍ରହ୍ମପୁର କନ୍ଧମାଳ ସହିତ ଖୋଦ ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ ବସ୍ତି କୁହାଯାଉଥିବା ସାଲିଆସାହିରେ ଏହି ଭାଇରାଲ ମେସେଜର ପ୍ରଭାବ ଦେଖାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ଏହାକୁ ନେଇ ଏକ ପ୍ରକାର ଆତଙ୍କ ସୃଷ୍ଟି ହେଉଥିବା ବେଳେ ଗତକାଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଏଭଳି ଘଟଣା ଏକ ପ୍ରକାର ଗୁଜବ ଏବଂ ମିଛ ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି । ତେବେ ପୋଲିସ ଡିଜିଙ୍କ କହିବା ମୁତାବକ ଏହା କେବଳ ଏକ ଗୁଜବ ଏବଂ ଏହା ମଧ୍ୟ ଅନେକ ସମୟରେ ପ୍ରମାଣିତ ହୋଇଛି କାରଣ କେବଳ ଓଡିଶା ନୁହେଁ ବଂର ଏଭଳି ଗୁଜବ ୧୦ ଦିନ ହେବ ଭାଇରାଲ ହେବାରେ ଲାଗିଛି ଏବଂ ଅନେକ ସ୍ଥାନରେ ପିଲାଚୋର ସନ୍ଦେହ କରି ମାରପିଟ ମଧ୍ୟ ହୋଇଛି ।
ଘଟଣା ନଂ-୧: ତେବେ ପିଲା ଚୋର ଗ୍ୟାଙ୍ଗ ଫଟୋ ସହିତ ଏକ ମେସେଜ ଭାଇରାଲ ଗୁଜବ ପ୍ରଥମେ ଉତ୍ତର କର୍ଣ୍ଣାଟକର ବିଭିନ୍ନ ସ୍ଥାନ ଯଥା, ବଲ୍ଲାରୀ, ରାଇଚୁର ଓ କୋପ୍ପାଲ ଠାରେ ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ମୁତାବକ ଗତ ୧୨ ତାରିଖରେ  ପିଲାଚୋର ଗ୍ୟାଙ୍ଗ ସନ୍ଦେହ କରି ୧୦ଜଣ ଲୋକଙ୍କୁ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ମାରପିଟ କରିଥିଲେ । ଏପରିକି ଏହି ଘଟଣା କ୍ରମେ କର୍ଣ୍ଣାଟକରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଲୋକମାନେ ପିଲାଚୋର ସନ୍ଦେହରେ ମାରାତ୍ମକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ପରେ କର୍ଣ୍ଣାଟକ ପୋଲିସ ଏହାକୁ ଏକ ଗୁଜବ ଏବଂ ଏଥିରେ ସତ୍ୟତା ନଥିବା ଘଟଣା କହି ଲୋକମାନଙ୍କ ଭିତରେ ଥିବା ଉତ୍ତେଜନାକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି ।
ଘଟଣା ନଂ ୨ – : ଏହାପରେ ଆଉ ଏକ ଘଟଣା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା ଯାହାକୁ ନେଇ ୪ଜଣଙ୍କ ଜୀବନ ମଧ୍ୟ ଚାଲିଗଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜକୁ କେନ୍ଦ୍ର କରି ତାମିଲନାଡୁ ଓ ଆନ୍ଧପ୍ରଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା । ଏପରିକି ଲୋକମାନେ ନିଜ ପିଲାକୁ ସୁରକ୍ଷା ଦେବା ପାଇଁ ସନ୍ଦେହ ହେଉଥିବା ଲୋକଙ୍କୁ ଗଛରେ ବାନ୍ଧି ମାରପିଟ କରିଥିବା ଘଟଣା ଦେଖିବାକୁ ମଳିଛି । ତେବେ ଏହାପରେ ଏହି ଗୁଜବ ରାଜ୍ୟରୁ ରାଜ୍ୟକୁ ବ୍ୟାପିବାରେ ଲାଗିଛି  ।
ଘଟଣା ନଂ ୩-: ସେହିଭଳି ରାଜସ୍ଥାନରେ ମଧ୍ୟ ୨୬ ବର୍ଷର ଯୁବକକୁ ପିଲା ଚୋରି ସନ୍ଦେହରେ ପିଟି ପିଟି ହତ୍ୟା କରିଦେଇଛନ୍ତି ସ୍ଥାନୀୟ ଲୋକ । ଏପରିକି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜେକୁ ନେଇ ରାଜସ୍ଥାନର  ବିିଭନ୍ନ ଅଞ୍ଚଳ ଯଥା- ପୁଲକେଶୀନଗର, ଶିବାଜୀନଗର ଏବଂ ଭାରତୀନଗର ଭଳି ସ୍ଥାନରେ ଗତ ଗୁରୁବାର ଏବଂ ଶୁକ୍ରବାର ଦିନ ୧୨ଜଣ ନିରୀହ ଲୋକଙ୍କୁ ଉଦ୍ଧାର କରିଛନ୍ତି ।  ତେବେ ଏପରି କ୍ଷେତ୍ରରେ ସ୍ଥାନୀୟ ପୋଲିସ କହିବା ମୁତାବକ ଏହି ମେସେଜ ଦ୍ୱାରା ଲୋକଙ୍କ ମନରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ସନ୍ଦେହ ହେଉଥିବା ଅଜଣା ବ୍ୟକ୍ତିଙ୍କୁ  ଆକ୍ରମଣ କରୁଛନ୍ତି ସ୍ଥାନୀୟ ଲୋକ । ଯାହା କି ଏବେ ଅଣଆୟତ୍ତ ହୋଇ ପଡିଛି ।
ଅପରପକ୍ଷେ ଓଡିଶାରେ ମଧ୍ୟ ଏଭଳି ଘଟଣା ସାରା ରାଜ୍ୟରେ ଆତଙ୍କ ଖେଳାଇଛି ଏହି ଭାଇରାଲ ପିଲା ଚୋର ମେସେଜ । ଯାହାକୁ ନେଇ ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ରିପୋର୍ଟକୁ ନେଇ ଗତକାଲି ପୋଲିସ ଡିଜି ପ୍ରତିକ୍ରିୟା ରଖିଥିଲେ ଯେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଗୁଜବକୁ ବିଶ୍ୱାସ ନ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ଜନତାଙ୍କୁ ଅନୁରୋଧ କରିଛନ୍ତି । ତେବେ ଏଭଳି ଗୁଜବ ଖେଳିବାର ମୁଖ୍ୟ କାରଣ ସୋସିଆଲ ମିଡିଆ ହୋଇଥିବାବେଳେ ଏହା କେଉଁ ଠାରୁ ଆସୁଛି ତାର ଖୋଳତାଡ କରୁଛି ପୋଲିସ । ଏହାସହ କେବଳ ଓଡିଶା ନୁହେଁ ଏଭଳି ଗୁଜବ ଘଟଣା ସାରା ଦେଶରେ ଏବେ ଚାଞ୍ଚଲ୍ୟ ଖେଳାଇଛି ।