ଯୋଗେଶ ବନାମ କୁସୁମ । ଭୁବନେଶ୍ୱରରେ ମନ ମିଶିଲା, ସୁନ୍ଦରଗଡରେ କର୍ମୀ ମିଶିବେ ତ?

ସୁନ୍ଦରଗଡ ଆସନରେ ଏଯାଏଁ ବିଜୟର ସ୍ୱାଦ ପାଇନଥିବା ବିଜେଡି, ଏହି ଆସନରେ ବିଜୟ ଧ୍ୱଜା ଉଡାଇବାକୁ ଚାହିଁବ । ହେଲେ ଏହି ରାସ୍ତାରେ ସବୁଠାରୁ ବଡ କଂଟା ହୋଇପାରେ ଅନ୍ତଃକନ୍ଦଳ ।

380

କନକ ବ୍ୟୁରୋ : ବଦଳୁଛି ସୁନ୍ଦରଗଡ ରାଜନୈତିକ ସମୀକରଣ । ନେତାଙ୍କ ଦଳ ଛାଡିବା ପର୍ବ ଆଉ ଦଳ ବଦଳ ଭିତରେ ୨୦୧୯ ପାଇଁ ବାତାବରଣ ଉଷ୍ମ ହୋଇଛି । ମୋଦି ଓଡିଶା ଆସି ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ ଆଉ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ବ୍ରିଜ ପାଇଁ ପ୍ରତିଶ୍ରୁତି ଦେବା ଠାରୁ ଆରମ୍ଭ କରି ରାଉରକେଲାରେ ରାହୁଲ ଗାନ୍ଧୀ, ମୋଦିଙ୍କୁ ଟାର୍ଗେଟ କରିବା ପର୍ଯ୍ୟନ୍ତ, ଏମିତି ଅନେକ ଘଟଣା ଘଟିଛି ପୁରା ଜିଲ୍ଲାରେ, ଯାହା ୨୦୧୯ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି । ଆଉ ଏହାରି ଭିତରେ ସୁନ୍ଦରଗଡ ଆସନ ପାଇଁ ଟିକେଟ ରେସ୍ ଆରମ୍ଭ ହୋଇଯାଇଛି ।

ଦୁଇ ଦୁଇ ଥର କଂଗ୍ରେସ ଟିକେଟରୁ ଜିତିଥିବା ଯୋଗେଶ ସିଂ ଶେଷରେ ଶଙ୍ଖ ଦଳରେ ମିଶିଲେ । ଦୀର୍ଘ ଦିନ ଧରି ଚର୍ଚ୍ଚା ଆଲୋଚନାର ଅବସାନ ଯଦିଓ ଘଟାଇଲେ, କିନ୍ତୁ ସାଂଗଠନିକ ସ୍ତରରେ ତାଙ୍କୁ ଯେ ବିରୋଧର ସାମ୍ନା କରିବାକୁ ପଡିବ, ଏହା ଆପାତତଃ ସ୍ପଷ୍ଟ ହୋଇଗଲା । କାରଣ ୨୦୧୪ରେ ଯୋଗେଶଙ୍କ ବିରୋଧରେ ପ୍ରାର୍ଥୀ ହୋଇ ହାରିଥିବା କୁସୁମ ଟେଟେଙ୍କ ସମର୍ଥକ ଯୋଗେଶଙ୍କୁ ଆପଣାଇବାକୁ ପ୍ରସ୍ତୁତ ନଥିଲେ ।

ପ୍ରସଙ୍ଗ ସୁନ୍ଦରଗଡରୁ ଆସି ନବୀନ ନିବାସରେ ପହଁଚିବା ପରେ ସମାଧାନର ରାସ୍ତା ବାହାରିଥିଲା । କୁସୁମ ଟେଟେଙ୍କୁ ସ୍ପେଶାଲ ଡେଭେଲପମେଂଟ କାଉନସିଲର ଦାୟିତ୍ୱ ଦେଇ ସୁପ୍ରିମୋ ବାହାର କରିଥିଲେ ସମାଧାନର ରାସ୍ତା । ଆଉ ଉଭୟ ଯୋଗେଶ ଏବଂ କୁସୁମଙ୍କୁ ଦୁଇ ପାଶ୍ୱର୍ରେ ରଖାଯାଇ ବିଜେଡି ଅଫିସରେ କରାଯାଇଥିଲା ମିଶ୍ରଣ ପର୍ବ । ଅସନ୍ତୋଷ ହୁଏତ ସାମ୍ନାକୁ ଆସିନପାରେ, ହେଲେ ଦଳୀୟ ସଂଗଠନରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

ଉଭୟ ଯୋଗେଶ ଏବଂ କୁସୁମ ୨୦୧୯ ପାଇଁ ବିଜେଡି ଟିକେଟକୁ ଆଶା କରିବା ଏକ ପ୍ରକାର ନିଶ୍ଚିତ । ହେଲେ ଟିକେଟ ମିଳିବ କାହାକୁ? ଏକାଧିକ ବାର ସର୍ଭେ କରାଯାଇ ଆସିଥିବା ରିପୋର୍ଟ ଆଧାରରେ ଦଳ ଟିକେଟ ଦେବ ବୋଲି ଯଦିଓ କହୁଛି, ସ୍ଥାନୀୟ ଲବି ଆଉ ଟିକେଟ ଆଶାରେ ଦଳରେ ମିଶିଥିବା ନେତାଙ୍କର ହେବ କଣ, ଏହାକୁ ସଂପୂର୍ଣ୍ଣ ଭାବରେ ଅଣଦେଖା କରାଯାଇ ପାରିବ ନାହିଁ ।

ସୁନ୍ଦରଗଡରେ ବିଜେଡିର ସଂଗଠନକୁ ବଢାଇବା କ୍ଷେତ୍ରରେ କୁସୁମ ଟେଟେଙ୍କ ଭୂମିକା ରହିଛି । ଗତ ୪ଟି ନିର୍ବାଚନରୁ ୨ଥର ସୁନ୍ଦରଗଡ ଆସନ ବିଜେପି ହାତରେ ଥିବା ବେଳେ ୨ ଥର ଯାଇଥିଲା କଂଗ୍ରେସ ହାତକୁ । ଗତ ୨୦୧୪ ନିର୍ବାଚନରେ ୧୨, ୫୮୪ ଭୋଟରେ ବିଜେଡି ପ୍ରାର୍ଥୀ କୁସୁମ ଟେଟେଙ୍କୁ ହରାଇଥିଲେ କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂ । କିନ୍ତୁ ଗତ ପଂଚାୟତ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ବିଜେଡି ମୋଟ ଭୋଟରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା ।

ବଡ କଥା ହେଉଛି, ୨୦୧୪ରେ ହଠାତ ନବ ଦାସଙ୍କ ଅତ୍ୟନ୍ତ ଖାସ ଅଜୟ ପଟେଲଙ୍କ ପତ୍ନୀଙ୍କୁ ଯେତେବେଳେ ବିଜେଡିରେ ପ୍ରାର୍ଥୀ କରାଯାଇଥିଲା, ସେତେବେଳେ ଦଳ ଭିତରେ ସ୍ଥାନୀୟ ସଂଗଠନରେ ଏକ ଚାପା ଗୁଂଜରଣ ଶୁଣିବାକୁ ମିଳିଥିଲା । ଆଉ ପରିବର୍ତ୍ତିତ ପରିସ୍ଥିତିରେ ଏବେ ଦଳ ୨୦୧୯ରେ କାହାକୁ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିବ, ତା ଉପରେ ନିର୍ଭର କରିବ ପୂରା ସମୀକରଣ ।

ଯୋଗେଶ ସିଂଙ୍କ ବିରୁଦ୍ଧରେ କୁସୁମ ଟେଟେ ଅତୀତରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୮ ଆରମ୍ଭରେ ଓଡିଶା ହାଇକୋର୍ଟ ଯୋଗେଶଙ୍କ ସଭ୍ୟପଦ୍ଦ ରଦ୍ଦ କରି ଦେଇଥିଲେ । ପରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଥିଲା ଯୋଗେଶଙ୍କୁ । ନିର୍ବାଚନରେ ମିଥ୍ୟା ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ଆସିବା ମାମଲା ଆଜି ବି ଯୋଗେଶଙ୍କ ବିରୋଧରେ ରହିଛି । ସୁନ୍ଦରଗଡ ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ହେଲେ ଯୋଗେଶଙ୍କ ବିରୋଧରେ ସବୁଠାରୁ ବଡ ଅଭିଯୋଗ ରହିଛି, ମିଥ୍ୟା ଜାତିଗତ ପ୍ରମାଣ ପତ୍ର ନେଇ ।

ଗତକାଲି ପର୍ଯ୍ୟନ୍ତ ଯାହା ବିରୋଧରେ ଲଗାତର ଭାବେ ଲଢି ଆସିଥିଲେ କୁସୁମ ଟେଟେ, ଯାହାଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ, ଆଜି ସେହି ନେତା ଦଳକୁ ଆସିବା ପରେ ନିହାତି ଅଶ୍ୱସ୍ତିକର ବାତାବରଣ ସୃଷ୍ଟି ହୋଇପାରେ । ଯଦି ସୁନ୍ଦରଗଡ ଆସନରେ ଯୋଗେଶ ସିଂଙ୍କୁ ନବୀନ ବାଛନ୍ତି, ତେବେ ମିଥ୍ୟା ଜାତି ପ୍ରମାଣପତ୍ର ମାମଲା ତାଙ୍କ ପିଛା ଛାଡିବନି । ତାହେଲେ ବିଜେଡିକୁ ଆସିବା ଯୋଗେଶଙ୍କ ପାଇଁ ଲାଭଦାୟକ ହେବ ନା କ୍ଷତି, ତାକୁ ନିର୍ଦ୍ଧାରଣ କରିବେ ଭୋଟର ।

୨୦୦୯ ତୁଳନାରେ ୨୦୧୪ରେ ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ଭୋଟ ବଢିଥିଲା । ୨୦୦୯ରେ ପରାଜୟର ବ୍ୟବଧାନ ୨୦ ହଜାରରୁ ଅଧିକ ଥିବା ବେଳେ ୨୦୧୪ରେ ଏହା ୧୨ ହଜାରକୁ ଖସି ଆସିଥିଲା । ୨୦୦୦ ଓ ୨୦୦୪ରେ ଏହି ଆସନରେ ମେଂଟରେ ଲଢାଇଯାଇଥିଲା । ଆଉ ଉଭୟ ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ସୁନ୍ଦରଗଡ ଆସନରେ ଏଯାଏଁ ବିଜୟର ସ୍ୱାଦ ପାଇନଥିବା ବିଜେଡି, ଏହି ଆସନରେ ବିଜୟ ଧ୍ୱଜା ଉଡାଇବାକୁ ଚାହିଁବ । ହେଲେ ଏହି ରାସ୍ତାରେ ସବୁଠାରୁ ବଡ କଂଟା ହୋଇପାରେ ଅନ୍ତଃକନ୍ଦଳ ।

ଏଭଳି ସ୍ଥିତିରେ ଯୋଗେଶ ନା କୁସୁମ କାହାକୁ ମିଳିବ ବିଜେଡି ଟିକେଟ? ସବୁଠାରୁ ବଡ ଦିଗକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ସମୀକ୍ଷା । ଯୋଗେଶଙ୍କୁ କଂଗ୍ରେସ ଟିକେଟ ମିଳିବା ପକ୍କା ଥିବା ବେଳେ ତାଙ୍କ ବିରୋଧରେ ଥିବା ଜନ ଅସନ୍ତୋଷକୁ ପ୍ରତିହତ କରିବାକୁ ସେ ବିଜେଡିରେ ମିଶିଲେ ବୋଲି ଚର୍ଚ୍ଚା କରାଯାଉଛି । କୁହାଯାଉଛି, ପଂଚାୟତ ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ ବିଜେଡି ଆଡକୁ ଢଳିବା ଆରମ୍ଭ କରିଥିଲେ ଯୋଗେଶ । ଆଉ ନବ ଦାସ ବିଜେଡିରେ ସାମିଲ ହେବା ପରେ ଏହି ରାସ୍ତା ଆହୁରି ସଫା ହୋଇଥିଲା ।

ଅନ୍ୟପକ୍ଷରେ କୁସୁମ ଟେଟେ ୨୦୧୪ରେ ନିର୍ବାଚନରେ ହାରିବା ପରେ ମଧ୍ୟ ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ଚେଷ୍ଟା ଚଳାଇଥିଲେ । ଫଳରେ ଭୁବନେଶ୍ୱରରୁ ଯାଇଥିବା ଦୁଇ ନେତାଙ୍କ ପ୍ଲାନ ବିରୋଧରେ ମତ ରଖିଥିଲେ ତାଙ୍କ ସମର୍ଥକ । ଏପରିକି ଭୁବନେଶ୍ୱର ନିଷ୍ପତ୍ତିକୁ ସହଜରେ ମାନିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ହେଲେ ବିଜେଡିର କ୍ରାଇସିିସ ମ୍ୟାନେଜର ବିବାଦକୁ ବଢାଇବା ବଦଳରେ ଅଟକାଇ ଦେଲେ । କୁହାଯାଉଛି, କୁସୁମ ଟେଟେ ଯଦିଓ ମାନିଯାଇଛନ୍ତି ବୋଲି ବୟାନ ଦେଉଛନ୍ତି, ମାତ୍ର ଟିକେଟ ନମିଳିଲେ ସେ ଭିନ୍ନ ଆଭିମୁଖ୍ୟ ପୋଷଣ କରିପାରନ୍ତି ।

ଚର୍ଚ୍ଚା ଅନୁସାରେ, ଉଭୟଙ୍କୁ ଥଇଥାନ କରିବାକୁ ବିଜେଡିର ରଣନୀତିକାର ଚେଷ୍ଟା କରୁଛନ୍ତି । ତଳସରାରୁ କୁସୁମ ଟେଟେଙ୍କୁ ପ୍ରାର୍ଥୀ କରିବା ସହ ଯୋଗେଶଙ୍କୁ ସୁନ୍ଦରଗଡରୁ ପ୍ରାର୍ଥୀ ଭାବେ ଦଳ ସାମ୍ନାକୁ ଆଣିପାରେ ବୋଲି ଅନୁମାନ କରାଯାଉଛି । ହେଲେ ଏହି ଫର୍ମୁଲା କାର୍ଯ୍ୟକାରୀ କରିବା ଏତେ ସହଜ ନୁହେଁ । କାରଣ ଭୁବନେଶ୍ୱରର ଏହି ଫର୍ମୁଲାକୁ କୁସୁମଙ୍କ ସମର୍ଥକ ପ୍ରତ୍ୟାଖାନ କରିଦେଇଛନ୍ତି । ଏଭଳି ସ୍ତରରେ ସୁନ୍ଦରଗଡ ରାଜନୈତିକ ସମୀକରଣରେ କୁସୁମ ଏବଂ ଯୋଗେଶ ସିଂଙ୍କ ମଧ୍ୟରେ କିଭଳି ସାମଞ୍ଜସ୍ୟ ରଖାଯାଉଛି ଏବଂ ବିଜେଡି ରଣନୀତି କାର କଣ ଫର୍ମୁଲା ବାହାର କରୁଛନ୍ତି, ତାକୁ ଅପେକ୍ଷା ।