କିଏ ପିନ୍ଧିବ ରାଜନଗରର ରାଜମୁକୁଟ ? ବିଜେଡି ଓ ବିଜେପିରୁ ଅଧ ଡଜେନ ଆଶାୟୀ, କଂଗ୍ରେସରୁ ଜଣେ । କାହାକୁ ବାଛିବେ ଭୋଟର?

ରାଜନଗର ପୋଖରୀରେ ପ୍ରଥମ ଥର ପାଇଁ ଫୁଟିବ କି ପଦ୍ମ ନା କଂଗ୍ରେସ ‘ହାତ’ରୁ ଖସିଯିବ ରାଜନଗର ନା ବିଜେଡି ପୁଣିଥରେ କରିବ କି କମବ୍ୟାକ ଏଭଳି ପ୍ରଶ୍ନ ଏବେ ଭୋଟରଙ୍କ ମଧ୍ୟରେ ଉଙ୍କି ମାରୁଛି ।

889

କନକ ବ୍ୟୁରୋ : ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନଗର । ଯେତେବେଳେ ସାରା ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ଠାରୁ ମୁହଁ ଫେରାଇ ନେଇଥିଲା ସେତେବେଳେ ବିଜୁ ବାବୁଙ୍କୁ ଆପଣାଇ ନେବା ସହ ରାଜନୈତିକ ଜୀବନ୍ୟାସ ଦେଇଥିଲା ରାଜନଗର । ସେବେଠାରୁ ଓଡିଶା ରାଜନୀତିରେ ରାଜନଗର ନିର୍ବାଚନମଣ୍ଡଳୀ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ଏଠାରୁ ବିଜୁ ବାବୁଙ୍କ ଅନୁଗତ ତଥା ରାଜନଗରର ଭୂମିପୁତ୍ର ନଳିନୀକାନ୍ତ ମହାନ୍ତି ଲଗାତାର ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରେର୍କଡ କରିଥିଲେ । ଖାସକରି ଅଣକଂଗ୍ରେସ ଗଡର ଟ୍ୟାଗ୍ ଲାଇନ ହାସଲ କରିଥିବା ରାଜନଗରର ଏହି ପରମ୍ପରାକୁ ଭାଙ୍ଗିଥିଲେ ଖୋଦ ନଳିନୀ ମହାନ୍ତି । ବିଜେଡି ନଳିନୀଙ୍କ ସାଥ୍ ଛାଡିଦେବା ପରେ ସେ କଂଗ୍ରେସର ହାତ ଧରି ନିର୍ବାଚନୀ ବୈତରଣୀ ପାର ହୋଇଥିଲେ ।

୨୦୦୯ରେ ବିଧାନସଭା ପୁର୍ନଗଠନ ପରେ ପଟ୍ଟ ପରିବର୍ତ୍ତନ କରିଥିଲା ରାଜନଗର ନିବାର୍ଚନମଣ୍ଡଳୀ । ରାଜନଗର ବ୍ଲକର ୨୯ ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ଏନଏସିକୁ ନେଇ ନୂଆକରି ଗଠିତ ହୋଇଥିବା ରାଜନଗର ନିର୍ବାଚନମଣ୍ଡଳୀରେ ବଡ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ସାତ ସାତ ଥର ବିଧାୟକ ଥିବା ନଳିନୀ ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚଖାଇଥିଲେ କଂଗ୍ରେସ କ୍ୟାମ୍ପରୁ ବିଜେଡିକୁ ଆସିଥିବା ଅଲେଖ ଜେନା । ଆଉ ଏହାସହ ନୂତନ ଦଳ ଓ ନୂଆ ମୁହଁଙ୍କୁ ପସନ୍ଦ କରିଥିଲେ ଭୋଟର ।

ଆଉ ଏହି ପରମ୍ପରା ୨୦୧୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ବିଜେଡି ବଦଳରେ କଂଗ୍ରେସର ହାତ ଧରି ନଳିନୀଙ୍କ ପୁତ୍ର ଅଂଶୁମାନଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ ରାଜନଗର ନିର୍ବାଚନମଣ୍ଡଳୀର ଭୋଟର । ମାତ୍ର ଅଳ୍ପ କିଛି ଭୋଟରେ ବିଜେଡିର ଧ୍ରୁବ ସାହୁ ପରାଜିତ ହେବା ସହ ଗଡ ରକ୍ଷା କରିବାରେ ବିଫଳ ହୋଇଥିଲେ । କିନ୍ତୁ ଗତ ୫ ବର୍ଷ ମଧ୍ୟରେ ରାଜନଗରର ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଖାସକରି ଗତ ପଞ୍ଚାୟତ ନିର୍ବାଚନରେ ରାଜନଗରର ୬ଟି ଜିଲ୍ଲା ପରିଷଦ ଜୋନରୁ ୫ଟିରେ ବିଜେଡି ଓ ଗୋଟିଏରେ ବାଜି ମାରିଛି ବିଜେପି । କିନ୍ତୁ କଂଗ୍ରେସ ବିଧାୟକ ଥିବା ସତ୍ତେ୍ୱ ମଧ୍ୟ ଏଠାରେ ଖାତା ଖୋଲିପାରିନାହିଁ ଦଳ ।

ଆଉ ଏସବୁ ଭିତରେ ୨୦୧୯ରେ ରାଜନଗରରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଚର୍ଚ୍ଚା । ଉଭୟ ବିଜେପି ଓ ବିଜେଡିରୁ ଏଠାରେ କିଏ ପ୍ରାର୍ଥୀ ହେବ ତାହା ସସପେନ୍ସରେ ଥିବା ବେଳେ କଂଗ୍ରେସ ଟିକେଟରୁ ପୁଣିଥରେ ନିର୍ବାଚନ ମୈଦାନକୁ ବିଧାୟକ ଅଂଶୁମାନ ମହାନ୍ତି ଓହ୍ଳାଇବେ ବୋଲି ଏକରକମ ସ୍ପଷ୍ଟ ହୋଇଯାଇଛି । ତେବେ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିପାରନ୍ତି ଦଳରେ ଥିବା ଅସନ୍ତୁଷ୍ଟ କର୍ମୀ । ବିଧାୟକ ନୂଆ କର୍ମୀଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ପୁରୁଣା କର୍ମୀ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ତେବେ କଂଗ୍ରେସରେ ଅନ୍ୟ କେହି ଦାବିଦାର ନ ଥିବାରୁ ପୁଣିଥରେ ନିର୍ବିବାଦୀୟ ଚେହେରା ଭାବେ ଅଂଶୁମାନଙ୍କୁ ନେଇ ମୈଦାନକୁ ଓହ୍ଳାଇବ ଦଳ ।

ଅନ୍ୟପଟେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଅଧ ଡଜନେରୁ ଅଧିକ ପ୍ରାର୍ଥୀ ସାମ୍ନାକୁ ଆସିଲେଣି । ରାଜନଗରର ନିର୍ବାଚନମଣ୍ଡଳୀର ନେତୃତ୍ୱ ନେଉଥିବା ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ ଏହିୁ ରେସରେ ଆଗରେ ଥିବା ବେଳେ ଆପିକଲ ଅଧ୍ୟକ୍ଷ କୃତିବାସ ପାତ୍ର, ବିଜୟ ରାଉତ, ଅଜିତ ନାୟକ, ସଞ୍ଜୟ ଜେନା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ମଧ୍ୟ ରାଜନଗରରୁ ପ୍ରାର୍ଥୀ ହେବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି । ତେବେ ଦଳ ପାଇଁ ଅଧିକ ସଂଖ୍ୟକ ଆଶାୟୀ ପ୍ରାର୍ଥୀ ମୁଣ୍ଡବିନ୍ଧାର କାରଣ ପାଲଟିପାରେ । ଯେହେତୁ ଏହି ନିର୍ବାଚନମଣ୍ଡଳୀ ପୂର୍ବରୁ ଅଣକଂଗ୍ରେସ ଗଡ ଭାବେ ଟ୍ୟାଗ୍ ହାସଲ କରିଥିଲା ତେଣୁ ବିଜେଡି ବିଜୟ ସମ୍ଭାବନା ଓ ଲୋକପ୍ରିୟତା ଥିବା ପ୍ରାର୍ଥୀଙ୍କୁ ଏଠାରୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ରାଜନଗର ବିଜେପିରେ ନେତା ଅଧିକ କର୍ମୀ କମ ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ଆସନରେ ଲଢିବାକୁ ପାଖାପାଖି ୧୦ ଜଣ ପ୍ରାର୍ଥୀ ଟିକେଟ ରେସରେ ରହିଛନ୍ତି । ତେବେ ବିଜେପିର ଜ୍ଞାନଦେବ ବେହୁରା ଓ ବିଜେଡିରୁ ବିଜେପିକୁ ଯାଇଥିବା ଅଲେଖ ଜେନା ଏହି ଆସନ ପାଇଁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ଏହାଛଡା ଅଜୟ କୁମାର ବେହେରା, ବିଜୟ ନାୟକ, ସୁଧୀର କୁମାର ରାୟ, ସଦାଶିବ ଜେନା ରଶ୍ମି ରଂଜନ ପ୍ରଧାନ,ଦେବବ୍ରତ ମହାନ୍ତି, ସମୀର ପାତ୍ର ପ୍ରମୁଖ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି।ତେବେ ଏଠାରେ ବିଜେପିରେ ଥିବା ଅନ୍ତକନ୍ଦଳ ଦଳକୁ ଅଡୁଆରେ ପକାଇବ । ଖାସକରି ଏଠାରେ ନୂଆ -ପୁରୁଣା ବିଜେପି ମଧ୍ୟରେ ଅନ୍ତକନ୍ଦଳ ଉଗ୍ର ରୂପ ଧରିଛି । ଯାହାର ଝଲକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପି କର୍ମୀ ପରସ୍ପରକୁ ମୁଥ ମାରିବାକୁ ମଧ୍ୟ ପଛାଇ ନଥିଲେ ।

୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ଦଳ ଓ ଆଶାୟୀ ପ୍ରାର୍ଥୀ । ଖାସକରି ନବଗଠିତ ରାଜନଗର ନିର୍ବାଚନମଣ୍ଡଳୀ ନୂଆ ନେତା ବାଛିବାର ଯେଉଁ ପରମ୍ପରା ଆରମ୍ଭ କରିଛି ତାହା ଜାରି ରହିବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଏସବୁ ଭିତରେ ବିଜେଡିରୁ ବିଧାୟକ ଥିବା ଅଲେଖ ଜେନା ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ସେହିଭଳି ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଧ୍ରୁବ ସାହୁ ଏହା ଭିତରେ ନିଜର ସଙ୍ଗଠନକୁ ସୁଦୃଢ କରିବାରେ ଲାଗିପଡିଛନ୍ତି । ଏପରିକି ରାଜନଗର ନିବାର୍ଚନମଣ୍ଡଳୀରେ ‘ଧ୍ରୁବ’ ତାରା ଭଳି ଚମକିବାକୁ ଜୋର ଲଗାଇ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ମଧ୍ୟ ଭୋଟରଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କର ମନ ଜିଣିବାରେ ଆଦୌ ହେଳା କରୁନାହାନ୍ତି । ତେଣୁ ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ନୂଆ ବିଧାୟକ ବାଛିବାର ଇତିହାସ ବଦଳିବ ନା ଜାରି ରହିବ । ଖାସକରି ରାଜନଗର ପୋଖରୀରେ ପ୍ରଥମ ଥର ପାଇଁ ଫୁଟିବ କି ପଦ୍ମ ନା କଂଗ୍ରେସ ‘ହାତ’ରୁ ଖସିଯିବ ରାଜନଗର ନା ବିଜେଡି ପୁଣିଥରେ କରିବ କି କମବ୍ୟାକ ଏଭଳି ପ୍ରଶ୍ନ ଏବେ ଭୋଟରଙ୍କ ମଧ୍ୟରେ ଉଙ୍କି ମାରୁଛି ।