ପାରାଦୀପ ଫାଇଟରେ କିଏ ମାରିବ ବାଜି ! ଦାମ ଲଢିବେ ନା ପୁଅ ପାଇଁ ଚୁପ ରହିବେ? ଜିତିବା ଆଶାରେ ଗୋଟି ଚଳାଉଛନ୍ତି କଂଗ୍ରେସ ଓ ବିଜେପି

637

କନକ ବ୍ୟୁରୋ : ରାଜନୈତିକ ତାତି ବଢାଉଛି ପାରାଦୀପ ପଲିଟିକ୍ସ ।ବନ୍ଦର ଏବଂ ଶିଳ୍ପ ପାଇଁ ଗୁରୁତ୍ୱ ରଖୁଥିବା ପାରାଦୀପ, ୨୦୧୯ ସାଧାରଣ ନିର୍ବାଚନରେ କାହା ଦଖଲକୁ ଯିବ? ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ, ଏବେ ଏ ପ୍ରଶ୍ନ ରାଜନୀତିରେ ରୁଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନକୁ ଆନ୍ଦୋଳିତ କରୁଛି। ପାରାଦୀପ ପୌରପାଳିକା, କୁଜଙ୍ଗ ବ୍ଲକ୍ ଏବଂ ତିର୍ତ୍ତୋଲର ସାତଟି ପଞ୍ଚାୟତକୁ ନେଇ ୨୦୦୯ରେ ଗଠିତ ହୋଇଛି ଏହି ନିର୍ବାଚନମଣ୍ଡଳୀ। ବର୍ତ୍ତମାନ ସ୍ଥିତିରେ ରାଜ୍ୟ ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହୋଇଛି। ଖାସକରି ରାଜ୍ୟ ରାଜନୀତିର ବରିଷ୍ଠ ତଥା ହେଭିୱେଟ ନେତା ଦାମୋଦର ରାଉତଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଏହି ଆସନ ଉପରେ ନଜର ରଖିଛନ୍ତି ରାଜନୈତିକ ବିଶାରଦ ମାନେ ।

ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ ନିର୍ବାଚନ ମଣ୍ଡଳୀରେ ଏବେ ବି ଛୋଟ ବଡ଼ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। କିନ୍ତୁ ଦାମ ନିଜେ ନିର୍ବାଚନ ଲଢ଼ିବେ ନା ତାଙ୍କର କୌଣସି ପ୍ରତିନିଧି ପାରାଦୀପରେ ଲଢ଼ାଇବେ, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳି ନାହିଁ। କେବଳ ସେତିକି ନୁହେଁ ଅନ୍ୟ କେଉଁ ଦଳର ପ୍ରାର୍ଥୀଙ୍କୁ ଦାମ ସମର୍ଥନ କରିବାର ସମ୍ଭାବନାକୁ ମଧ୍ୟ ବର୍ତ୍ତମାନଠାରୁ ଏଡ଼ାଇ ଦିଆଯାଇପାରିବ ନାହିଁ। ତେବେ ଭିନ୍ନ ଭିନ୍ନ ସମୟରେ ଦାମ ବାବୁଙ୍କ ବୟାନ ଆଗାମୀ ନିର୍ବାଚନରେ ସେ ଲଢିବା ନେଇ ଖୋରାକ ଯୋଗାଉଛି ।

ଅନ୍ୟପଟରେ ଦାମଙ୍କ ପ୍ରଭାବ ପାରାଦୀପରେ ଯେପରି ବିଜେଡିକୁ ସମସ୍ୟାରେ ନ ପକାଇବ, ସେଥିପାଇଁ ଉପକୂଳ ଅଞ୍ଚଳର ପ୍ରଭାବଶାଳୀ ନେତା ପାରାଦୀପକୁ ଗୁରୁତ୍ୱ ଦେଇ ସଂଗଠନକୁ ମଜବୁତ କରିବା ପାଇଁ ଉଦ୍ୟମ କରୁଛନ୍ତି। ବିଜେଡିରେ ଥିବା ବେଳେ ଦାମ-ଦେବାଶିଷ କଳି ଗଣମାଧ୍ୟମର ଶିରୋନାମା ପାଲଟୁଥିବା ବେଳେ ଦଳରୁ ଦାମ ବିଦା ହେବା ପରେ ଦେବାଶିଷ ଏହି ଆସନରେ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ଦେବାଶିଷଙ୍କୁ କଟକ-ଜିଲ୍ଲା ସଭାପତି ଭାବେ ବିଜେଡି ସୁପ୍ରିମୋ ଦାୟିତ୍ୱ ଦେବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବା ସହ ନୂଆ ସମୀକରଣ ଆରମ୍ଭ ହୋଇଛି ।
ପାରାଦୀପରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏସବୁ ଭିତରେ ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ମଧ୍ୟ ବିଜେଡି ଆଶାୟୀଙ୍କ ମଧ୍ୟରେ ରହିଛନ୍ତି। ଏଣୁ ହାଇକମାଣ୍ଡ ବିରୋଧୀଙ୍କୁ ଚକମା ଦେବା ପାଇଁ ନୂଆ ପ୍ରାର୍ଥୀ ଦେବାର ମଧ୍ୟ ସମ୍ଭାବନା ରହିଛି।ଯାହାର ଲୋକପ୍ରିୟତା, ଜନ ସର୍ମ୍ପକ ଓ ଜିତିବା ସମ୍ଭାବନା ଅଧିକ ରହିଥିବା ସେଭଳି ବ୍ୟକ୍ତିତ୍ୱଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଏପରିକି ଦାମଙ୍କୁ ଚୁପ୍ କରିବା ପାଇଁ ଦଳ ତାଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିବା ସମ୍ଭାବନାକୁ ବି ଏଡାଇ ଦିଆଯାଇପାରିବ ନାହିଁ। ଏହାପରେ ମଧ୍ୟ ଯଦି ଦାମ ନିର୍ବାଚନ ମୈଦାନକୁ ଓହ୍ଲାନ୍ତି ତେବେ ବାପ-ପୁଅଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ପାରାଦୀପରେ କଂଗ୍ରେସର ମଧ୍ୟ ଏକାଧିକ ନେତା ଟିକଟ ଆଶାୟୀ ତାଲିକାରେ ରହିଛନ୍ତି। କଂଗ୍ରେସ ନେତା ବାପି ସର୍ଖେଲ ଓ ପ୍ରମୋଦ ଜେନା ଏଠି ସମାନ୍ତରାଳ ଭାବେ ସମାବେଶ କରୁଥିବା ଦେଖିବାକୁ ମିଳୁଛି। ଗତ ସପ୍ତାହରେ ସ୍କ୍ରିନିଂ କମିଟି ସାମ୍ନାରେ ଏହି ଉଭୟ ଉପସ୍ଥିତ ହୋଇ ଟିକଟ ହାସଲ ପାଇଁ ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ପୂର୍ବରୁ ଏହି ଆସନରେ ଅମାନତ ହରାଉଥିବା ବିଜେପି ଏବେ ବିରୋଧୀ କଂଗ୍ରେସ ଓ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତ ପଞ୍ଚାୟତ ନିର୍ବାଚନରେ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଦଖଲ କରିଥିଲା। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ ଏହି ଆସନରୁ ବିଧାୟକ ଭାବେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତିଫଅନ୍ୟମାନଙ୍କଠାରୁ ଅଭିଜ୍ଞତା ଓ ବୟସରେ କନିଷ୍ଠ ହୋଇଥିଲେ ମଧ୍ୟ ତାଙ୍କ ଗୋଟିଚାଳନା ଉପରେ ବିରୋଧୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ସେହିଭଳି ବିଜେପିର ଗତିକୃଷ୍ଣ ଶତପଥୀ ମଧ୍ୟ ଟିକେଟ ରେସରେ ଆଗରେ ରହିଛନ୍ତି ।

ଏସବୁ ଭିତରେ ନଜର ରହିବ ପାରାଦୀପ ଫାଇଟରେ କିଏ ମାରିବ ବାଜି । ଦାମ ନିର୍ବାଚନ ମୈଦାନକୁ ଓହ୍ଳାଇବେ ନା ପୁଅ ପାଇଁ ଚୁପ ରହିବେ । ବିଜେଡି କଳିର ଫାଇଦା ଉଠାଇ କଂଗ୍ରେସ ଓ ବିଜେପି ପ୍ରଥମ ଥର ପାଇଁ ଖାତା ଖୋଲିବେ । ନିବାର୍ଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏଭଳି ଅସମାହିତ ପ୍ରଶ୍ନ ଉପରୁ ପରଦା ଉଠିବ ।