ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କିଏ ସମ୍ଭାଳିବେ କଂଗ୍ରେସ କମାଣ! ରାହୁଲ ଖୋଲିବେ ରାଜ 

131

କନକ ବ୍ୟୁରୋ : ହାତକୁ କ୍ଷମତା ଆସିଲା, ହେଲେ ଗାଦି ପାଇଁ ଅଙ୍କ ଛିଣ୍ଡୁନି । ଜୟପୁରରୁ ଦିଲ୍ଲୀ, ଦିଲ୍ଲୀରୁ ଭୋପାଳ, ଲଗାତର ଦୁଇ ଦିନ ହେଲା ଚାଲିଛି କଂଗ୍ରେସର କସରତ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆଶାୟୀଙ୍କୁ ଡାକି ଘନଘନ ବୈଠକ କରିଛନ୍ତି । ଏସବୁ ଭିତରେ ନିଜର ପ୍ରିୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଦାବି କରୁଛନ୍ତି କଂଗ୍ରେସ କର୍ମୀ ଓ ସମର୍ଥକ । ହୁଏତ, ଆଉ କିଛି ସମୟ ପରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ହୋଇଯିବ, କିନ୍ତୁ ନେତା ବାଛିବାକୁ କଂଗ୍ରେସ ଦଳକୁ କମ୍ କସରତ କରିବାକୁ ପଡିନି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିଷ୍ପତି ନେବା ପାଇଁ କାହିଁକି ଏତେ ବିଳମ୍ବ ହେଉଛି । ଚୁଡାନ୍ତ ଫଏସଲା ନେବାରେ ବିଳମ୍ବ ହେବାର କ’ଣ ସବୁ କାରଣ ।

ବିଜେପିକୁ ଗାଦିଚ୍ୟୁତ କରି କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଯେତିକି ମେହେନତ୍ କରିଥିଲା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ନିର୍ଦ୍ଧାରଣ କରିବା ପାଇଁ ବି ଦଳକୁ କମ୍ କସରତ କରିବାକୁ ପଡିନାହିଁ । ଜୟପୁରରୁ ଦିଲ୍ଲୀ, ଦିଲ୍ଲୀରୁ ଭୋପାଳ । ନେତାଙ୍କ ଏହି ଭ୍ରମଣ ଭିତରେ ପୁଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ୱାନ୍ ଟୁ ୱାନ୍ ସାକ୍ଷାତ । କିଏ ମୁଖ୍ୟମନ୍ତ୍ରୀ ହେବ ଏହି ନିଷ୍ପତି ନେବା କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ କାହିଁକି ଏକ ବଡ ଚ୍ୟାଲେଂଜ୍ ଥିଲା । ଯଦି ଆମେ ରାଜସ୍ଥାନର କଥା ଦେଖିବା, ତାହେଲେ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ଉଭୟଙ୍କ ପଛରେ ଜନମତ । ଜଣେ ଯୁବ ନେତା ଆଉ ଜଣେ ଅଭିଜ୍ଞ ନେତା ।

ଅଶୋକ ଗେହଲଟ

ରାଜସ୍ଥାନରେ କଂଗ୍ରେସ ବିଜୟ ପାଇଁ ୬୭ ବର୍ଷ ବୟସ୍କ ଅଶୋକ ଗେହଲଟ୍ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେମିଫାଇନାଲରେ କଂଗ୍ରେସ ଜବରଦସ୍ତ ସଫଳତା ପାଇଥିବା ବେଳେ ଆଗକୁ ଆସୁଛି ୨୦୧୯ ଫାଇନାଲ ମୁକାବିଲା । ଦଳୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ଏବଂ ବିରୋଧୀଙ୍କ ରଣନୀତି ପରଖିବାରେ ଗେହଲଟଙ୍କ ଅଭିଜ୍ଞତା ଆଗକୁ ବେଶ ଉପାଦେୟ ହେବ ।ତେଣୁ ଅଶୋକ ଗେହଲଟଙ୍କ ଉପରେ ଦଳ ବିଶ୍ୱାସ ରଖିବା ବହୁତ ଜରୁରୀ ।

ସଚିନ ପାଇଲଟ

ରାଜସ୍ଥାନ ରାଜନୀତିର ଯୁବ ଚେହେରା

ସଚିନ ପାଇଲଟଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା କଂଗ୍ରେସ । ବସୁନ୍ଧରା ରାଜେଙ୍କ ସରକାର ବିରୋଧରେ ଜନମତ ସୃଷ୍ଟି କରିବାରେ ସଚିନ ପାଇଲଟ୍ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଅଶୋକ ଗେହଲଟ୍ ଯେମିତି ଗାନ୍ଧୀ ପରିବାର ସହ ଖୁବ୍ ନିକଟତର ସେମିତି ସଚିନ ମଧ୍ୟ ରାହୁଲଙ୍କ ସହ ଅତିଘନିଷ୍ଠ ବୋଲି ଚର୍ଚ୍ଚା ହୁଏ । ତେବେ ସଚିନ ମାତ୍ର ୪୧ ବର୍ଷର ହୋଇଥିବାରୁ ଆଗକୁ ନେତୃତ୍ୱ ନେବାରେ ସୁଯୋଗ ଅଛି ବୋଲି ବି ମତାମତ ଆସିଛି । ଏହି ସବୁ କାରଣ ଯୋଗୁଁ ଅଶୋକ ଏବଂ ସଚିନଙ୍କ ମଧ୍ୟରୁ ଜଣକୁ ବାଛିବା ରାହୁଲଙ୍କ ପାଇଁ ବଡ ଚ୍ୟାଲେଂଜ୍ ହୋଇଥିଲା ।

ରାଜସ୍ଥାନ ଭଳି ମଧ୍ୟପ୍ରଦେଶରେ ସମାନ ସ୍ଥିତି । ଅଭିଜ୍ଞତାକୁ ବାଛିବେ ନା ଯୁବ ଚେହେରାକୁ ବାଛିବେ ତାହା ସ୍ଥିର କରିବା ରାହୁଲ ଗାନ୍ଧୀଙ୍କ ପାଇଁ ଏତେ ସହଜ ନଥିଲା । ଯେଉଁ ପାଇଁ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କଂଗ୍ରେସକୁ କରିବାକୁ ପଡ଼ିଛି କଡ଼ା କସରତ ।

କମଲ ନାଥ । ମଧ୍ୟପ୍ରଦେଶ ପ୍ରଦେଶ କମିଟି ସଭାପତି । ଏକାଧିକ ଥର କେନ୍ଦ୍ରମନ୍ତ୍ରୀ, ୯ଥର ସାଂସଦ । ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଏବଂ ଗାନ୍ଧୀ ପରିବାର ସହ କମଲ ନାଥଙ୍କ ଘନିଷ୍ଠତା ଭିତରେ ବିଧାନସଭା ନିର୍ବାଚନରେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା କଂଗ୍ରେସ । ୧୫ ବର୍ଷ ବର୍ଷର ବିଜେପି ସରକାରକୁ ଗାଦିଚ୍ୟୁତ କରିବା ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ଏତେ ସହଜ ନଥିଲା । କିନ୍ତୁ କମଲ ନାଥଙ୍କ ରଣନୀତି ଏବଂ ସବୁ ନେତାଙ୍କୁ ସଂଗଠିତ କରିବାରେ କଂଗ୍ରେସ ପାଇଁ ବରଦାନ ଭଳି କାମ କରିଥିଲା ।

ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟପ୍ରଦେଶ ରାଜନୀତିର ଯୁବ ଚେହେରା । କମଲନାଥ ଯେଭଳି ଡୁନ୍ ସ୍କୁଲରେ ସଂଜୟ ଗାନ୍ଧୀଙ୍କ ସହପାଠୀ ଥିଲେ, ଜ୍ୟୋତିରାଦିତ୍ୟ ମଧ୍ୟ ଡୁନ୍ ସ୍କୁଲରେ ପାଠ ପଢ଼ିବା ସହ ରାହୁଲ ଗାନ୍ଧୀଙ୍କ ତାଙ୍କ ଘନିଷ୍ଠତା ରହିଛି । ମନମୋହନ ସରକାରଙ୍କ ସମୟରେ କ୍ୟାବିନେଟ ମନ୍ତ୍ରୀ ଭଳି ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ । ବଡ କଥା ହେଉଛି, ମଧ୍ୟପ୍ରଦେଶରେ ଯୁବ ଗୋଷ୍ଠୀଙ୍କୁ ଏକାଠି କରିବାରେ ତାଙ୍କର ଥିଲା ବଡ ଭୂମିକା । କିନ୍ତୁ କଂଗ୍ରେସ ରାଜ୍ୟରେ ପୂର୍ଣ୍ଣ ବହୁମତ ପାଇନଥିବାରୁ ଭବିଷ୍ୟତରେ ଯଦି ସହଯୋଗୀ ଦଳଙ୍କ ସହ କିଛି ମନମାଳିନ୍ୟ ଘଟେ ସେ କ୍ଷେତ୍ରରେ ଜ୍ୟୋତିରାଦିତ୍ୟଙ୍କ ଅପେକ୍ଷା କମଲନାଥ ଅଧିକ ଉପଦେୟ ହେବେ ବୋଲି ଚର୍ଚ୍ଚା ହେଉଛି । ବୋଧେ ଏସବୁ କାରଣ ଯୋଗୁଁ କଂଗ୍ରେସ ଅଧ୍ୟକ୍ଷଙ୍କୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବାକୁ ଅଧିକ କରସତ କରିବାକୁ ପଡ଼ିଛି ।