ଇସଲାମାବାଦକୁ ଆର୍ଥିକ ଓ ସୈନ୍ୟ ସହାୟତା ବନ୍ଦ କଲା ଆମେରିକା । ବିଧିବଦ୍ଧ ଘୋଷଣା କଲା ହ୍ୱାଇଟ ହାଉସ

63

କନକ ବ୍ୟୁରୋ : ପାକିସ୍ତାକୁ ଆମେରିକାର ଜବରଦସ୍ତ ଝଟକା । ଇସଲାମାବାଦକୁ ଆର୍ଥିକ ଓ ସୈନ୍ୟ ସହାୟତା ବନ୍ଦ କରିଛି ଟ୍ରମ୍ପ ପ୍ରଶାସନ । ୨୫୫ କୋଟିର ସୈନ୍ୟ ସହୟତାକୁ ବନ୍ଦ କରିଦିଆଯାଇଛି । ଏ ନେଇ ହ୍ୱାଇଟ ହ୍ୱାଉସ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଏହାପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ଗତକାଲଡାନାଲ୍ଡ ଟ୍ରଂପ ଟ୍ୱିଟ କରି ଲେଖିଥିଲେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନାଁରେ ଆମେରିକାକୁ ବୋକା ବନେଇଛି । ଗତ ୧୫ ବର୍ଷରେ ପାକିସ୍ତାନକୁ ୩୩ ବିଲିୟନ ଡଲାର ସହାୟତା ଦେଇଛି ଆମେରିକା । ହେଲେ ପାକିସ୍ତାନ କେବଳ ମିଛ ଓ ଛଳ କପଟ ଛଡା କିଛି ଦେଇ ନାହିଁ ।

ପାକିସ୍ତାନ ଆମ ନେତାଙ୍କୁ ମୁର୍ଖ ଭାବୁଛି । ଆଫଗାନିସ୍ତାନରେ ଆମେରିକା ସଂହାର କରୁଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଶରଣ ଦେଉଛି । ତେଣୁ ଆଗକୁ ସହାୟତା ଦେବା ବନ୍ଦ ବୋଲି ଟ୍ୱିଟ କରିଛନ୍ତି ଟ୍ରଂପ । ଟ୍ରଂପ କହିଛନ୍ତି ଆମେରିକା ଏବେ ପାକିସ୍ତାନର ଆତଙ୍କବାଦ ପ୍ରେମକୁ ଠିକ ବୁଝି ପାରିଛି । ୧୫ ବର୍ଷରେ ଦିଆଯାଇଥିବା ୩୩ ଅରବ ଡଲାର ବେକାରରେ ଯାଇଛି । କାରଣ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଗାମ ଲଗାଇ ନାହିଁ ।

ଅନୁଦାନ ବନ୍ଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ପାକିସ୍ତାନ । ପାକିସ୍ତାନକୁ ଟ୍ରମ୍ପ ଝଟକା ପରେ ଅନ୍ତର୍ଜାତୀୟ ରାଜନୀତି ସରଗରମ ହୋଇଛିା ପାକିସ୍ତାନକୁ ସହାୟତା ରାଶି ବନ୍ଦ କରିଦେବାକୁ ଆମେରିକା ରାଷ୍ଟ୍ରପତି ଧମକ ଦେବା ପରେ ପାକିସ୍ତାନରେ ହଇଚଇ ଖେଳିଯାଇଛି । ଟ୍ରମ୍ପ ଝଟକାର କିଛି ସମୟ ମଧ୍ୟରେ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ହାଫିଜ ସୟିଦଙ୍କୁ ଶକ୍ତ ଝଟକା ଲାଗିଛି । ଆତଙ୍କବାଦୀ ସଂଗଠନର ମ୍ରୁଖିଆ ହାଫିଜ ସୟିଦର ଜମାତ ଉଦ ଦାୱାକୁ ଦିଆଯାଉଥିବା ଚାନ୍ଦାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ହାଫିଜର ଆଉ ଏକ ସଙ୍ଗଠନ ଫଲାଏ-ଏ-ଫାଉଣ୍ଡେସନ ଫାଉଣ୍ଡେସନକୁ ବି ଦିଆଯାଉଥିବା ଫଣ୍ଡକୁ ବି ବନ୍ଦ କରାଯାଇଛି ।

ଏଥିସହ ପାକିସ୍ତାନ ସରକାର ହାଫିଜର ତତ୍ୱାବଧାନରେ ଚାଲୁଥିବା ସମସ୍ତ ସଂଗଠନ ବିଷୟରେ ସବିଶେଷ ତଥ୍ୟ ଯୋଗାଡ କରିବାକୁ ପ୍ରାନ୍ତୀୟ ସରକାରଙ୍କୁ ଗୁପ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଦ ସିକ୍ୟୁରିଟି ଆଣ୍ଡ ଏକ୍ସଚେଂଜ୍ କମିସନ୍ ଅଫ୍ ପାକିସ୍ତାନ ହାଫିଜ୍ ସୟିଦର ସମସ୍ତ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହାଫିଜର ସଂପତି ଜବତ ଖବର ଏପରି ସମୟରେ ଆସିଛି, ଯେତେବେଳ ଆମେରିକା ରାଷ୍ଟ୍ରପତି ଆତଙ୍କବାଦ ବିରୋଧୀ ସହାୟତା ରାଶି ବନ୍ଦ କରିବାକୁ ଧମକ ଦେଇସାରିଛନ୍ତି । ତେଣୁ ଅନୁଦାନ ବନ୍ଦ ଆଶଙ୍କାରେ ଲୋକ ଦେଖାଣିଆ ଭାବେ ହାଫିଜ ସୟିଦ ଉପରେ ପାକିସ୍ତାନ ଏଭିଳି କାର୍ଯ୍ୟାନୁଷ୍ଠାନ ନେଇଥିବା ସନ୍ଦେହ କରାଯାଉଛି ।