ବାସ୍ତବ ଜୀବନର ସୁପରହିରୋ : ସିରିୟାବାସୀଙ୍କ ପାଇଁ ଦେବଦୂତ ଠାରୁ କମ ନୁହଁନ୍ତି ହ୍ୱାଇଟ ହେଲମେଟ ଟିମ, ଦୁଃସ୍ଥ ଲୋକଙ୍କ ସେବା ପାଇଁ ସର୍ବଦା ଥାଆନ୍ତି ପ୍ରସ୍ତୁତ

33

ଦୁନିଆର ସବୁଠାରୁ ବିପଦସଙ୍କୁଳ ସ୍ଥାନମାନଙ୍କ ମଧ୍ୟରେ ସିରିୟାର ନାମ ସର୍ବାଗ୍ରେ ରହିଛି । ପ୍ରତି ମିନିଟରେ ଏଠାରେ ବୋମା ବିସ୍ଫୋରଣ ହୋଇଥାଏ । ଘରର କୌଣସି ସଦସ୍ୟ ବାହାରକୁ ଗଲେ ପୁନଶ୍ଚ ଘରକୁ ଫେରିବେ କି ନାହିଁ ଏହାର ଆଶଙ୍କା ଲାଗିରହିବା ଭଳି ଘରକୁ ଫେରିବା ପରେ ପରିବାର ଲୋକ ଜିବୀତ ଥିବେ କି ନାହିଁ ଏହାର ଦ୍ୱନ୍ଦ ମଧ୍ୟ ଲାଗିରହିଥାଏ । ଏହି ସ୍ଥାନରେ ପ୍ରତିଦିନ ୫୦ରୁ ଅଧିକ ବୋମା ବିସ୍ଫୋରଣ ହୋଇଥାଏ । କେହି ଜ୍ଞାତିକୁଟୁମ୍ବକୁ ହରାଇ କୋହଭରା କାନ୍ଦ କାନ୍ଦେ ତ ଆଉ କିଏ ସବୁ ସମ୍ପତ୍ତିକୁ ହରାଇ ସର୍ବସ୍ୱାନ୍ତ ହୋଇଯାଏ । ବିସ୍ଫୋରଣର ଶବ୍ଦ ପରେ ବିକଟାଳ ଚତ୍କାର ଏବଂ ଚାରିଆଡେ କ୍ଲାମଟାଙ୍କୁରା ନୀରବତା ଭିତରେ ପ୍ରତିଦିନ ସିରିୟାବାସୀଙ୍କ ଜୀବନ ଦୟନୀୟ ଅବସ୍ଥାରେ ଥିବାବେଳେ ହ୍ୱାଇଟ ହେଲମେଟ ଟିମଙ୍କ ନିସ୍ୱାର୍ଥପର ସହାୟତା ସେମାନଙ୍କୁ ପୁର୍ନଜୀବନ ଦେଇଛି ।

ସିନେମାରେ ସୁପର ହିରୋ ଲୋକଙ୍କ ଜୀବନ ବଞ୍ଚାଇବା ଭଳି ଏହି ହ୍ୱାଇଟ ହେଲମେଟ ଟିମ ମଧ୍ୟ ନିଜ ଜୀବନକୁ ଖାତିର ନକରି ସିରିୟାବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଅନ୍ୟପକ୍ଷରେ ସିରିୟାବାସୀଙ୍କ ପାଇଁ ଏହି ଟିମ କୌଣସି ଦେବଦୂତଙ୍କଠାରୁ କମ ନୁହଁନ୍ତି । ଏଯାବତ ୧ ଲକ୍ଷରୁ ଅଧିକ ସିରିୟାବାସୀଙ୍କୁ ଏହି ଟିମ ଉଦ୍ଧାର କରି ନୂତନ ଜୀବନ ଦେଇଛନ୍ତି । ଲୋକଙ୍କୁ ବଞ୍ଚାଇବାକୁ ଯାଇ ଟିମର ୨୦୦ ଜଣ ସଦସ୍ୟ ନିଜ ଜୀବନକୁ ମଧ୍ୟ ହରାଇଛନ୍ତି । ଏହି ରିୟଲ ହିରୋଙ୍କ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ । ଯେଉଁଠାରୁ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳେ ଏହି ଟିମ ବିଳମ୍ବ ନକରି ବାହାରିପଡେ ଉଦ୍ଧାର କରିବା ପାଇଁ । ଧ୍ୱସଂବିଧ୍ୱସ କୋଠାରୁ ଜୀବନ ଖୋଜିବା ଏମାନଙ୍କ ନିତିଦିନିଆ କାମ ।

ଖାଲିଦ ଫରାହ ମଧ୍ୟ ଏହି ଟିମର ଜଣେ ସଦସ୍ୟ । ଥରେ ଏକ ବୋମା ବିସ୍ଫୋରଣରେ କୋଠା ତଳେ ଦୁଇ ପରିବାର ଚାପି ହେବା ଖବର ଜାଣିବାକୁ ପାଇ ଟିମ ବାହାରିପଡିଲା ସେମାନଙ୍କୁ ବଞ୍ଚାଇବା ପାଇଁ ଏବଂ ଏଥିରେ ସେମାନେ ସଫଳ ମଧ୍ୟ ହେଲେ । କିନ୍ତୁ ଜଣେ ମହିଳାଙ୍କ ୨ ସପ୍ତାହର ଛୁଆକୁ ବଞ୍ଚାଇବା ସେମାନଙ୍କ ପକ୍ଷରେ କାଠିକର ପାଠ ହୋଇ ଯାଇ୍ଥିଲା । ଛୋଟ ଛୁଆଟି ଭୁଷୁଡି ପଡିଥିବା କାନ୍ଥତଳେ ଚାପି ହୋଇ ରହିଥିଲା । ଖାଲିଦ ଛୁଆଟିକୁ ବଞ୍ଚାଇବା ପାଇଁ ଭୁଷୁଡି ଯାଇଥିବା କାନ୍ଥ ତଳକୁ ଯାଇ ଛୁଆଟିକୁ ବହୁ କଷ୍ଟରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କେବଳ ଏହି ପରିବାର ନୁହଁ ଖାଲିଦ ଭଳି ଅନେକ ସୁପର ହିରୋ ପ୍ରତିଦିନ ହଜାର ହଜାର ପରିବାରକୁ ପୁର୍ନଜନ୍ମ ଦେବାରେ ସଫଳ ହେଉଛନ୍ତି ।

ଏହି ଟିମର ଅନ୍ୟ ଜଣେ ସଦସ୍ୟ ହେଲେ ଅବ୍ୱୁ ହସନ୍ ଯିଏ ଦୁଇବର୍ଷ ପୂର୍ବରୁ ନିଜ ପୁଅର ଶବକୁ ଏକ ବିଧ୍ୱସଂ କୋଠାତଳୁ ପାଇଥିଲେ । ପ୍ରାୟ ୧ ଘଣ୍ଟା ସେ ମୃତ ପୁଅକୁ କୋଳରେ ଜାବୁଡି ଧରି ବସି ରହିଥିଲେ । ଆଖିରେ ଆଖିଏ ଲୁହ ଥାଇ ବି ପାଟି ତାଙ୍କର ଚୁପ ଥିଲା । ସେହି ଦିନଠାରୁ ସେ ପ୍ରତ୍ୟେକଟି ଛୁଆ ମଧ୍ୟରେ ନିଜ ଛୁଆକୁ ଦେଖିବାକୁ ପାଆନ୍ତି ଏବଂ ଉଦ୍ଧାର କରିବା ପାଇଁ ଆଗେଇ ଯାଆନ୍ତି ।