ଭାରତ-ଚୀନ୍ ସୀମା ବିବାଦ ! ଆସନ୍ତା ଜୁଲାଇ ୨୬ରେ ବେଜିଂ ଯିବେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

40

କନକ ବ୍ୟୁରୋ: ଭାରତ-ଚୀନ୍ ମଧ୍ୟରେ ଲାଗିରହିଛି ସୀମା ବିବାଦ । ଏହାରି ମଧ୍ୟରେ ବେଜିଂ ଗସ୍ତ କରିବେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା । ଆସନ୍ତା ଜୁଲାଇ ୨୬ ଓ ୨୭ ତାରିଖରେ ବେଜିଂ ଯିବେ ଏନଏସଏ ଅଜିତ ଡୋଭାଲ । ବେଜିଂରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇପାରନ୍ତି ଡୋଭାଲ । ଗସ୍ତ ସମୟରେ ଚୀନର ଷ୍ଟେଟ କାଉନସିଲର ୟାଙ୍ଗ ଜିଚିଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି । ସିକ୍କିମ ବିବାଦକୁ ନେଇ ଚୀନ ସହିତ ଲାଗିରହିଥିବା ବିବାଦର କୂଟନୈତିକ ସମାଧାନ କରିବା ପାଇଁ ପ୍ରୟାସ କରୁଛି ଭାରତ ।

ଗତ କିଛି ଦିନ ତଳେ ହେମ୍ବର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ ସାକ୍ଷାତ ହୋଇଥିଲା । ତେବେ ଅନୁଷ୍ଠାନିକ ଭାବେ ସାକ୍ଷାତ ହୋଇନଥିଲା ବୋଲି କୁହାଯାଇଥିଲା । ସିକ୍କିମର ଡୋକଲାମରେ ଉଭୟ ଦେଶ ମଧ୍ୟରେ ଗତ ଏକ ମାସରୁ ଅଧିକ ସମୟ ଧରି ବିବାଦ ଲାଗିରହିଛି । ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରିନାହିଁ । ଭୁଟାନ ନିଜ ସୀମା ବୋଲି ଦାବି କରୁଥିବା ଅଂଚଳରେ ଯେତେବେଳେ ଚୀନ୍ ସଡକ ନିର୍ମାଣ କାମ ଆରମ୍ଭ କରିଥିଲା ସେହି ସମୟରେ ବିବାଦର ଆରମ୍ଭ ହୋଇଥିଲା ।