କୋର୍ଟ ବନ୍ଦ ପଛରେ କିଏ ? ମୁହାଁମୁହିଁ ହେଲେ ବିଜେଡି-ବିଜେପି

ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ, ଆନ୍ଦୋଳନକୁ ଫଣ୍ଡିଙ୍ଗ କରୁଛି ବିଜେପି । ସେପଟେ ବିଜେପି କହିଲା, ଗୁଣ୍ଡା ବାହିନୀ ନେଇ ହାଇକୋର୍ଟକୁ ପଶିବାକୁ ଉଦ୍ୟମ କରୁଛି ବିଜେଡି

125

କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନରେ ଲାଗି ସାରିଛି ରାଜନୀତିର ରଙ୍ଗ । ଏକଥା ହୁଏତ ଆଉ କାହାକୁ ଅଛପା ନାହିଁ । ଆନ୍ଦୋଳନକୁ ସ୍ଥଗିତ କରିବାର ନିଷ୍ପତି ହେବା ପରେ ବି ପୁଣି ଆନ୍ଦୋଳନ ତେଜିବା ଏହି ଘଟଣାକୁ ପ୍ରମାଣିତ କରୁଛି । ଆଉ ଠିକ୍ ଏମିତି ସମୟରେ ବିଜେପି ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଦେବାଶିଷ ଅଭିଯୋଗ କରିଛନ୍ତି- ଆଇନଜୀବୀଙ୍କ ଆନ୍ଦୋଳନକୁ ଫଣ୍ଡିଂ କରୁଛି ବିଜେପି । ଏମିତି କି ଓଡ଼ିଶାକୁ ଅଚଳ କରିଦେବା ପାଇଁ ଯୋଜନା କରୁଛି ଦଳ । ତେବେ ଏହାକୁ ବିଜେପି ଖଣ୍ଡନ କରିଛି ।

ଆଇନଜୀବୀଙ୍କ ଆନ୍ଦୋଳନରେ ରାଜନୈତିକ ହସ୍ତକ୍ଷେପ ସଂପର୍କରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଏହି ବୟାନ ରାଜନୀତିକୁ ସେତିକି ସରଗରମ କରିଛି, ତାଠୁ ଅଧିକ, ଓକିଲଙ୍କ ଆନ୍ଦୋଳନରେ ରାଜନୈତିକ ଦଳଗୁଡ଼ିକର ଭୂମିକା ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି ।ଓଡ଼ିଶାକୁ ଅଚଳ କରିବାକୁ ଚାହୁଁଛି କିଏ? କେଉଁ ଦଳ ଆନ୍ଦୋଳନ ପାଇଁ ଫଣ୍ଡିଂ କରୁଛି ? ଏହି ସବୁ ପ୍ରଶ୍ନର ସିଧାସଳଖ ଉତର ଯେତେବେଳେ ଦେବାଶିଷ ସାମନ୍ତରାୟଙ୍କୁ ପଚରାଗଲା, ପାଟିରୁ ବାହାରିଲା ଭାରତୀୟ ଜନତା ପାର୍ଟିର ନାଁ ।

ଓକିଲଙ୍କ ଆନ୍ଦୋଳନରେ ସିଧାସଳଖ ବିଜେପି ଫଣ୍ଡିଂ କରୁଥିବା ଦେବାଶିଷ ଅଭିଯୋଗ ଆଣିଥିବା ବେଳେ ଅଭିଯୋଗର ଜବାବ ରଖିଛି ବିଜେପି । ବିଜେପି କହିଛି-ନକଲି ଓକିଲଙ୍କୁ ନେଇ ଗୁଣ୍ଡା ବାହିନୀ ଜରିଆରେ ହାଇକୋର୍ଟକୁ ପ୍ରବେଶ ଉଦ୍ୟମ କରିବା ଘଟଣା, ବିଜେଡିର ଚରିତ୍ର ଓ ଚଳଣୀଙ୍କୁ ପଦାରେ ପକାଇଦେଇଛି । ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ କିନ୍ତୁ ଗୋଟିଏ କଥା ହୁଏତ ସ୍ପଷ୍ଟ । କେଉଁଠି ନା କେଉଁଠି ଆଇନଜୀବୀଙ୍କ ଆନ୍ଦୋଳନରେ ଲାଗିଛି ରାଜନୀତିର ରଙ୍ଗ । ଆନ୍ଦୋଳନକୁ ସ୍ଥଗିତ ରଖିବା ନେଇ ନିଷ୍ପତି ହେବା ପରେ ବି ଆନ୍ଦୋଳନ ଜାରି ରହିବା ଏବଂ ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବା ବୋଧେ ଏମିତି କିଛି ଦିଗକୁ ଇସାରା କରୁଛି ।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ ହେଉଥିବା ବେଳେ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା, ବି ଦାହ କରାଯାଇଥିଲା । ଆଉ ଏଇ ଦୃଶ୍ୟ ହିଁ ପ୍ରମାଣ କରୁଥିଲା ଯେ, ଓକିଲଙ୍କ ଆନ୍ଦୋଳନରେ ଲାଗିଥିବା ରାଜନୀତିର ରଙ୍ଗ କେମିତି ଧରେ ଧିରେ ଗାଢ଼ ହେବାରେ ଲାଗିଛି । ଏପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି । ଆଉ ଏସବୁ ଭିତରେ ବଡ ପ୍ରଶ୍ନ ହେଉଛି କୋର୍ଟ ଖୋଲିବ କେବେ ? ଏବଂ ସ୍ୱାଭାବିକ୍ ସ୍ଥିତି ଫେରିବ କେବେ ?