୧୩ ଲୋକସଭା ଆସନ ପାଇଁ ଚିତ୍ର ସ୍ପଷ୍ଟ । ଜାଣନ୍ତୁ କେଉଁ ଆସନରୁ କିଏ ଲଢିବ ?

612

କନକ ବ୍ୟୁରୋ : ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ୧୩ଟି ଲୋକସଭା ଆସନରେ କିଏ କାହା ସହିତ ଲଢେଇ କରିବ, ସେନେଇ ସ୍ପଷ୍ଟ ହୋଇଯାଇଛି ଚିତ୍ର । ଆଜି କଂଗ୍ରେସ ଓଡିଶାର ୭ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ଏସବୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାର ଚିତ୍ର ସାମନାକୁ ଆସିଛି । ନଜର ପକାନ୍ତୁ ନିର୍ବାଚନୀ ରଣକ୍ଷେତ୍ରରେ ଲୋକସଭା ଆସନ ହାତେଇବା ପାଇଁ କେଉଁ ଦଳ କାହାକୁ ପ୍ରାର୍ଥୀ କରିଛି ।

କେନ୍ଦ୍ରାପଡା ଲୋକସଭା
ଏଥର କେନ୍ଦ୍ରାପଡାରେ ବିଜେଡିି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଟିକଟରେ ଲଢିବେ ବୈଜୟନ୍ତ ପଣ୍ଡା । ସେପଟେ କଂଗ୍ରେସ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏଠାରେ ବିଗ୍ ଫାଇଟ ଦେଖିବାକୁ ମିଳିବ । ୩ ଦଳର ଫୋକସରେ ଏବେ କେନ୍ଦ୍ରାପଡା ରହିଥିବାରୁ ଏଠାରେ କିଏ ବାଜିମାତ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ବାଲେଶ୍ୱର ଲୋକସଭା
ବାଲେଶ୍ୱର ଲୋକସଭା ଆସନ ପାଇଁ ପୁଣିଥରେ ଏଥର ବିଜେଡି ରବୀନ୍ଦ୍ର ଜେନାଙ୍କୁ ଟିକେଟ ଦେଇଛି । ଗତଥର ପ୍ରତାପ ଷଡଙ୍ଗୀଙ୍କୁ ହରାଇ ରବୀନ୍ଦ୍ର ଜେନା ବନିଥିଲେ ସାଂସଦ । ବିଜେପି ମଧ୍ୟ ଦଳର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ସେପଟେ କଂଗ୍ରେସ ପିସିସି ସଭାପତି ନିରଂଜନ ପଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ଲୋକସଭା ପାଇଁ ଟିକଟ ଦେଇଛି ।

ପୁରୀ ଲୋକସଭା
ପୁରୀ ଲୋକସଭା ଆସନରେ ସାମ୍ବାଦିକ ବନାମ ଓକିଲ ବନାମ ଡାକ୍ତର । ତିନିଦଳର ମୁଖପାତ୍ରଙ୍କ ମଧ୍ୟରେ ଲଢେଇ । ବିଜେପି ଜାତୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ପୁଣିଥରେ ଟିକେଟ ଦେଇଛି । କଂଗ୍ରେସ ସାମ୍ବାଦିକରୁ ନେତା ବନିଥିବା ସତ୍ୟପ୍ରକାଶ ନାୟକଙ୍କୁ କରିଛି ପୁରୀ ଲୋକସଭା ପ୍ରାର୍ଥୀ ।

କନ୍ଧମାଳ ଲୋକସଭା
କନ୍ଧମାଳ ଲୋକସଭା ଆସନରେ ବିଜେଡି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଟିକଟ ଦେଇଛି । ଉକ୍ରଳଭାରତର ନେତା ଖାରବେଳ ସ୍ୱାଇଁ ଏଥର ବିଜେପି ଟିକଟରେ ଲଢୁଥିବା ବେଳେ କଂଗ୍ରେସ ମନୋଜ କୁମାର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ।

କଳାହାଣ୍ଡି ଲୋକସଭା
କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ପୁଷ୍ପେ୍ୱନ୍ଦ୍ର ସିଂଦେଓଙ୍କୁ ଟକ୍କର ଦେବେ ରାଜ୍ୟ ବିଜେପି ସଭାପତି ତଥା ନୂଆପଡା ବିଧାୟକ ବସନ୍ତ ପଣ୍ଡା । କଂଗ୍ରେସ ଟାଣୁଆ ନେତା ଭକ୍ତ ଦାସଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏଠାରେ ଦମଦାର ଲଢେଇ ଦେଖିବାକୁ ମିଳିବ ।

ବଲାଙ୍ଗିର ଲୋକସଭା
ବଲାଙ୍ଗିର ରାଜ ପରିବାର କାର୍ଡ ଖେଳିଛି ବିଜେଡି । ବିଜେଡି ସାଂସଦ କଳିକେଶ ସିଂଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି କେଭି ସିଂଦେଓଙ୍କ ପତ୍ନୀ ସଙ୍ଗୀତା ସିଂଦେଓଙ୍କୁ ଟିକଟ ଦେଇଛିା କଂଗ୍ରେସ ଏହି ଆସନରୁ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକଟ ଦେଇଛି । ସମରେନ୍ଦ୍ର ପ୍ରଥମ ଥର ପାଇଁ ଲଢିବେ ନିର୍ବାଚନ ।

ସୁନ୍ଦରଗଡ ଲୋକସଭା
ସୁନ୍ଦରଗଡ ଲୋକସଭା ପାଇଁ ବିଜେପି ସାଂସଦ ଜୁଏଲ୍ ଓରାମଙ୍କୁ ପ୍ରାର୍ଥୀ କରିଛି । ବିଜେପିକୁ ଟକ୍କର ଦେବାକୁ ବିଜେଡି କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଓହ୍ଲାଇଛନ୍ତି ମଇଦାନକୁ । କଂଗ୍ରେସ ଏଠାରେ ଜର୍ଜ ତୀର୍କୀଙ୍କୁ ଟିକେଟ ଦେଇଛି ।

ବରଗଡ ଲୋକସଭା
ବରଗଡ ଲୋକସଭା ଆସନରେ ବିଜେପି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବରଗଡ ଲୋକସଭା ପାଇଁ ପ୍ରଦୀପ ଦେବତାଙ୍କୁ ଟିକଟ ଦେଇଛି ।

ନବରଙ୍ଗପୁର ଲୋକସଭା
ନବରଙ୍ଗପୁର ଲୋକସଭା ଆସନରେ ତିନି ମାଝିଙ୍କ ମଧ୍ୟରେ ଲଢେଇ । ଏଥର ବିଜେପି ବଳଭଦ୍ର ମାଝିଙ୍କୁ ଟିକଟ ଦେଇଛି । କିଛି ଦିନ ତଳେ ବଳଭଦ୍ର ମାଝି ବିଜେଡି ଛାଡି ବିଜେପିରେ ମିଶିଥିଲେ । ବଳଭଦ୍ର ମାଝିଙ୍କୁ ଚେକ୍ ଦେବାକୁ ବିଜେଡି ଏଠାରୁ ରମେଶ ମାଝିଙ୍କୁ ଛିଡା କରିଛି । କଂଗ୍ରେସ ଟିକେଟ ଦେଇଛି ପ୍ରଦୀପ ମାଝିଙ୍କୁ ।

ବ୍ରହ୍ମପୁର ଲୋକସଭା
ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିରୁ ଲଢିବେ ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖର ଗତବର୍ଷ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ବିଜେପି ଟିକେଟରୁ ଭ୍ରୁଗୁ ବକ୍ସିପାତ୍ର ଲଢୁଥିବା ବେଳେ କଂଗ୍ରେସ ଭି ଚନ୍ଦ୍ରଶେଖର ନାଇଡୁଙ୍କୁ ଏଠାରେ ଟିକେଟ୍ ଦେଇଛି ।

କୋରାପୁଟ ଲୋକସଭା
କୋରାପୁଟ ଲୋକସଭାରେ ବିଜେଡି ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ଟିକଟ ଦେଇଛି । ପ୍ରଥମ ଥର ପାଇଁ ନିର୍ବାଚନ ଲଢିବେ କୌଶଲ୍ୟା । ବିଜେଡିକୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗୀ । କଂଗ୍ରେସ ସପ୍ତଗିରି ଉଲାକାଙ୍କୁ ଲୋକସଭା ପ୍ରାର୍ଥୀ କରିଛି ।

ଆସ୍କା ଲୋକସଭା
ଆସ୍କା ଲୋକସଭା ଆସନରେ ବିଜେଡି ଖେଳିଛି ମହିଳା କାର୍ଡ । ଏସଏଚଜି ମହିଳା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ଦଳ ମାରିଛି ମାଷ୍ଟରଷ୍ଟ୍ରୋକ । ସେହିଭଳି ବିଜେପିରୁ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ସେହିଭଳି ଏଠାରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ସମର୍ଥନ କରିବ ।

ଭୁବନେଶ୍ୱର ଲୋକସଭା
ଭୁବନେଶ୍ୱରରୁ ଦୁଇ ପ୍ରଶାସକଙ୍କ ସହ ଲଢେଇ କରିବେ ସିପିଆଇ(ଏମ)ର ପ୍ରାର୍ଥୀ ଜନାର୍ଦ୍ଦନ ପତି । ଯାହାଙ୍କୁ ସମର୍ଥନ କରିବ କଂଗ୍ରେସ । ସେହିଭଳି ପୂର୍ବତନ ଆଇପିଏସ ଅଫିସର ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଉ ବିଜେଡି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ବିଜେପି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀଙ୍ଗୁ ମୈଦାନକୁ ଓହ୍ଲାଇଛି ।