କନକ ବ୍ୟୁରୋ : କ୍ୟାନସର ଭଳି ବ୍ୟାଧି ଏବେ ଓଡ଼ିଶାରେ ନିଜର କାୟା ମେଲାଇ ସାରିଲାଣି । ଆଉ ଏହି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଓଡ଼ିଶାରେ ସେମିତି ଆଖିଦୃଶିଆ ହସ୍ପିଟାଲ ମଧ୍ୟ ନାହିଁ । ଆଉ ଏହାକୁ ଦୃଷ୍ଟିରେ ରଖି ଗତ ମାସରେ ରତନ ଟାଟାଙ୍କ ଓଡ଼ିଶା ଗସ୍ତ ସମୟରେ ଏକ ସୁପର ସ୍ପେଶାଲିଷ୍ଟ ଟାଟା ମେମୋରିଆଲ ହସ୍ପିଟାଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଆଶା କରାଯାଉଥିଲା ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ ଏହା ଭିତରେ ଗୋଟିଏ ମାସ ସମୟ ବିତି ସାରିଛି । କିନ୍ତୁ ଟାଟା ମେମୋରିଆଲ ହସ୍ପିଟାଲ କେଉଁଠି ହେବ ସେନେଇ କୌଣସି ନିଷ୍ପତି ହୋଇନାହିଁ । ଆଉ ଏଭଳି ସମୟରେ ବରଗଡ଼ରୁ ଦାବି ଉଠିଛି ଯେ, ଏହିଠାରେ ହିଁ ହେଉ ଟାଟା ମେମୋରିଆଲ ହସ୍ପିଟାଲ ।

ସାରା ଓଡିଶାକୁ ଅନ୍ନ ଯୋଗାଉଥିବା ପଶ୍ଚିମ ଓଡିଶାର ବରଗଡ ଜିଲ୍ଲା ଏବେ ପାଲଟିଛି ଅଘୋଷିତ କ୍ୟାନସର କ୍ୟାପିଟାଲ । ବରଗଡକୁ କର୍କଟ ରୋଗର କ୍ୟାପିଟାଲ କହିବା ପଛରେ ଯଥେଷ୍ଟ କାରଣ ରହିଛି । ପରିସଂଖ୍ୟାନ କହୁଛି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ପ୍ରତିବର୍ଷ ପ୍ରାୟ ୮ହଜାର ନୂଆ କ୍ୟାନସର କେସ ଆସୁଥିବାବେଳେ ଏହା ମଧ୍ୟରୁ ୬୦ ପ୍ରତିଶତ ପଶ୍ଚିମ ଓଡିଶାର । ଯାହା ଭିତରେ ବରଗଡ ଜିଲ୍ଲାରୁ ସର୍ବାଧିକ ରୋଗୀ ଥିବା ଜଣାପଡିଛି । ମୁଖଗହ୍ୱର କର୍କଟ ଛଡା ପାକସ୍ଥଳି ଓ ରକ୍ତ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ବିଡମ୍ବନା ହେଉଛି ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାରେ ଅଧିକ କ୍ୟାନସର ରୋଗୀ ଥିଲେ ମଧ୍ୟ ଏହି ମାରାତ୍ମକ ରୋଗର ପ୍ରଭାବ ନେଇ ଜିଲ୍ଲାରେ କୌଣସି ଅନୁଧ୍ୟାନ କରାଯାଇ ନାହିଁ । ଯେଉଁଥିପାଇଁ ଜିଲ୍ଲାରେ କ୍ୟାନସର ରୋଗୀଙ୍କ ପ୍ରକୃତ ସଂଖ୍ୟା ଜାଣିବା ମୁସ୍କିଲ । ଆଉ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାରୀ ଯୋଜନାସବୁ ଫେଲ ମାରିବାରେ ଏହା ଏକ ବଡ କାରଣ ମଧ୍ୟ ।

ଯେତେବେଳେ ବରଗଡ ଜିଲ୍ଲା ବିଜେପୁରରୁ ତିନି ତିନିଥର କଂଗ୍ରେସ ଟିକେଟରେ ବିଜୟୀ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହେଲା ଆଉ ଏହି ଆସନ ଦଖଲ ପାଇଁ ସବୁ ରାଜନୈତିକ ଦଳର ପ୍ରମୁଖ ନେତାଙ୍କ ଡେରା ପଡିଲା । ହେଲେ ଆଢୁଆଳରେ ରହିଗଲା ମୂଳ କଥାଟି । ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ କ୍ୟାନସର ରୋଗରେ ହୋଇଥିଲା । ଆଉ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଶାସକ-ବିରୋଧୀ ସମସ୍ତଙ୍କ ମାଳମାଳ ପ୍ରତିଶ୍ରୁତି ଭିତରେ ଜିଲ୍ଲାରେ ଏକ ଉନ୍ନତମାନର ହସ୍ପିଟାଲ ପ୍ରତିଷ୍ଠା କଥା କାହିଁ କେଉଁ କ୍ୟାମ୍ପରୁ ଶୁଣିବାକୁ ମିଳିଲା ନାହିଁ । ଯେତେବେଳେ କି ସୁବଳଙ୍କ ଅକାଳ ବିୟୋଗପରେ ଜିଲ୍ଲାବାସୀ ଏକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଦାବି ଉଠାଇଥିଲେ । ଯାହା ନିର୍ବାଚନ ସରିବା ପରେ ଶୀତଳ ଭଣ୍ଡାରକୁ ଚାଲିଯାଇଛି ।
ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ବରଗଡ ଜିଲ୍ଲାକୁ କାହିଁକି ଗ୍ରାସ କଲା କର୍କଟ ରାକ୍ଷସ । ଏଭଳି ଏକ ମାରାତ୍ମକ ରୋଗର କାହିଁକି ରାଜଧାନୀ ପାଲଟିଗଲା ପଶ୍ଚିମ ଓଡିଶାର ଗୋଟିଏ କୃଷି ପ୍ରଧାନ ଜିଲ୍ଲା ।
କ୍ୟାନସରର କାରଣ
– ବିଶେଷଜ୍ଞଙ୍କ ମତରେ ଚାଷରେ ଅତ୍ୟଧିକ କୀଟନାସକ ପ୍ରୟୋଗ କ୍ୟାନସରର କାରଣ
– ବରଗଡ ଓ ସୁନ୍ଦରଗଡରେ କାଟାଗୋରୀ-ଟୁ ମାନର କୀଟନାସକ ପ୍ରୟୋଗ ହେଉଛି
– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ନିୟାମକ ଅନୁସାରେ କାଟାଗୋରୀ-ଟୁ କ୍ଷତିକାରକ
– ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣରୁ ମିଳିଛି ସୂଚନା
– ୨୦୧୬ ଡିସେମ୍ବରରେ ଇଂଟରନ୍ୟାସନାଲ ଜର୍ଣ୍ଣାଲ ଫର ଏନଭାର୍ଣ୍ଣମେଂଟାଲ ଆଣ୍ଡ ଏଗ୍ରିକଲଚର ରିସର୍ଚ୍ଚରେ ପ୍ରକାଶ ପାଇଛି

ପାକସ୍ଥଳି ଓ ରକ୍ତ କର୍କଟ ରୋଗୀଙ୍କ ଛଡା ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ଏ ଜିଲ୍ଲାରେ ଉଦବେଗ ଜନକ ରହିଛି । ଗ୍ଲୋବାଲ ଆଡଲ୍ଟ ଟବାକୋ ସର୍ଭେ ଓଡିଶା ଫ୍ୟାକ୍ଟସିଟ ୨୦୧୬-୧୭ରୁ ଜଣାପଡୁଛି ଯେ, ଜାତୀୟ ହାରଠାରୁ ଓଡିଶାରେ ତମ୍ବାଖୁ ସେବନକାରୀଙ୍କ ସଂଖ୍ୟା ଦୁଇଗୁଣା ରହିଛି ।
– ଓଡିଶାରେ ତମାଖୁ ସେବନକାରୀଙ୍କ ହାର ୪୨.୯%
– ୮.୬% ଲୋକ ପାନ ସହିତ ତମାଖୁ ଖାଇଥାନ୍ତି
– ୧୬.୯% ଖଇନି ଓ ୯.୪% ଗୁଟଖା ଖାଆନ୍ତି
– ୮% ଲୋକ ପାନ ମସଲା ସହ ତମାଖୁ ଖାଆନ୍ତି

ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା ଶୀଘ୍ର ରୋଗ ଚିହ୍ନଟ ହୋଇପାରିଲେ ୫୦ ପ୍ରତିଶତ କ୍ୟାନସର ରୋଗ ସଂପୂର୍ଣ୍ଣ ଭଲ ହୋଇପାରିବ । ହେଲେ ରୋଗ ଚିହ୍ନଟ ପାଇଁ ଦରକାର ଭଲ ହସ୍ପିଟାଲ ଓ ଅଭିଜ୍ଞ ଡାକ୍ତର । ଆଉ ଏସବୁ ଭିତରେ ବରଗଡରେ କ୍ୟାନସର ରୋଗ ପାଇଁ ହସ୍ପିଟାଲ ସ୍ଥାପନ ଦାବିର ଗୁରୁତ୍ୱ ଦିନକୁ ଦିନ ବଢିବାରେ ଲାଗିଛି । ବରଗଡରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ରାଜ୍ୟ ସରକାର ଟାଟା ସହ ଯେଉଁ ଏମଓୟୁ କରିଛନ୍ତି, ତାକୁ ବରଗଡରେ କାର୍ଯ୍ୟକରିବାକୁ ଦାବି ଉଠିଛି । ଜିଲ୍ଲାରେ ଏହି ହସ୍ପିଟାଲ ଗଠନର ପ୍ରାସଙ୍ଗିକତା ନେଇ ଆଲୋଚନା ମଧ୍ୟ ହୋଇଛି । ରାଜ୍ୟରେ ପ୍ରଥମେ ସ୍ଥାପନ ହୋଇଥିବା କ୍ୟାନସର ଇନଷ୍ଟିଚ୍ୟୁଟକୁ ପ୍ରତିବର୍ଷ ୮ହଜାର ନୂଆ କ୍ୟାନସର ରୋଗୀ ଆସୁଥିବା ବେଳେ ଏଥିରୁ ୬୦ ପ୍ରତିଶତ ପଶ୍ଚିମ ଓଡିଶାର । ଯାହା ଭିତରେ ବରଗଡ ଜିଲ୍ଲାରୁ ସର୍ବାଧିକ ରୋଗୀ ରହୁଛନ୍ତି । ଏହି ପରିସଂଖ୍ୟାନକୁ ନେଇ ଯଦିଓ ସ୍ପଷ୍ଟ ଭାବେ କୈାଣସି ଅନୁଧ୍ୟାନ କରାଯାଇ ନାହିଁ, କିନ୍ତୁ ଏହା ବୁଝିବାକୁ ଯଥେଷ୍ଟ ଯେ ପଶ୍ଚିମ ଓଡିଶାରେ ଏଭଳି ଏକ ହସ୍ପିଟାଲର ଆବଶ୍ୟକତା କଣ ରହିଛି ।

ଏହାଛଡ଼ା ଏସସିବି ମେଡିକାଲ କଲେଜ, ଏମ୍ସ, ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ, କ୍ୟାପିଟାଲ ହସ୍ପିଟାଲ, ହେମଲତା ହସ୍ପିଟାଲସ ଆଣ୍ଡ ରିସର୍ଚ୍ଚ ସେଂଟର ଭଳି ବଡ଼ ବଡ଼ ନାଁ କରା ହସ୍ପିଟାଲ ଭୁବନେଶ୍ୱର ଓ କଟକରେ ରହିଛି । ସେହିଭଳି ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସୁଯୋଗ ସହ ଗଢିଉଠିଛି ଏକାଧିକ ଘରୋଇ ଡାକ୍ତରଖାନା । ନାଁ କରା ଡାକ୍ତର ଆଉ ୨୪ ଘଂଟିଆ ଚିକିତ୍ସା ସମ୍ବଳିତ ଘନଘନ ବିଜ୍ଞାପନ । ଆଉ ଅପରପକ୍ଷରେ ପଶ୍ଚିମ ଓଡିଶା । ଯେଉଁଠି ଚିକିତ୍ସା ପାଇବାର ବଡ ଠିକଣା ବୁର୍ଲା ମେଡିକାଲ କଲେଜ । ବୋଧହୁଏ ବେସରକାରୀ ମେଡିକାଲର ବଡ ବଡ ଠିକଣା ପଶ୍ଚିମ ଓଡିଶାରେ ପହଂଚି ପାରିନାହିଁ ।
କ୍ୟାନସର ହସ୍ପିଟାଲ ନେଇ ରାଜ୍ୟରେ ଏମଓୟୁ ସ୍ୱାକ୍ଷର ହେବା ପରେ ପ୍ରଶ୍ନ ଉଠୁଛି, କେଉଁଠାରେ ରାଜ୍ୟ ସରକାର ଟାଟା ମେମୋରିଆଲକୁ ଜାଗା ଯୋଗାଇ ଦେବେ? ଯେଉଁ ସମୟରେ ଆଇଆଇଏମ ଓଡିଶାରେ ହେବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ. ଠିକ ସେହି ସମୟରେ ମଧ୍ୟ ଟଣାଓଟରା ଆରମ୍ଭ ହୋଇଥିଲା କେଉଁ ସ୍ଥାନରେ ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ଥାପନ ହେବ । ଏବେ ସମାନ ସ୍ଥିତି ଟାଟା ମେମୋରିଆଲ ହସ୍ପିଟାଲକୁ ନେଇ । ଯଦିଓ ଆଇଆଇଏମ ସହ ଏହି ପ୍ରସଙ୍ଗକୁ ସମାନ ଢଙ୍ଗରେ ତଉଲା ଯାଇପାରିବ ନାହିଁ, ତେବେ ଓଡିଶାର ଭାତହାଣ୍ଡି ବରଗଡରୁ ଉଠିଛି ଦାବି । ବିଭିନ୍ନ ସଂଗଠନ ଏକାଠି ହୋଇ ଦାବି କରୁଛନ୍ତି, ବରଗଡରେ ହେଉ ଟାଟାର କ୍ୟାନସର ହସ୍ପିଟାଲ । ଏହାରି ଭିତରେ ବଲାଙ୍ଗୀରରେ ମେଡିକାଲ କଲେଜରେ ପାଠ ପଢା ଆରମ୍ଭ ହେବାକୁ ଯାଉଛି । କିନ୍ତୁ କେବେ ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ତାକୁ ନେଇ ମଧ୍ୟ ଦ୍ୱିଧା ରହିଛି । ଆଇଜିଏଚ କେବେ ସୁପର ସ୍ପେଶାଲିଟି ହସ୍ପିଟାଲ ହେବ ତାକୁ ନେଇ ରାଜନୈତିକ ଟଣାଓଟରା ଚାଲିଛି ।

ତୁଳନାତ୍ମକ ଚିତ୍ର ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଭାବେ କୁହାଯାଇପାରେ, ଚିକିତ୍ସା ସୁବିଧା ପାଇବା କ୍ଷେତ୍ରରେ ଏକ ବଡ ଫରକ ରହିଛି, ପଶ୍ଚିମ ଏବଂ ଉପକୂଳ ଓଡିଶା ମଧ୍ୟରେ । ଗୋଟିଏ ପଟେ ଏକାଧିକ ସରକାରୀ ଓ ବେସରକାରୀ ସ୍ତରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଆଉ ଅନ୍ୟପଟେ ବୁର୍ଲା ମେଡିକାଲ କଲେଜ ସହ ନୂଆ ଭାବେ ଗଢି ଉଠିଥିବା ବଲାଙ୍ଗୀର ମେଡିକାଲ କଲେଜ ଏବଂ ଏକାଧିକ ନର୍ସିଂ ହୋମ୍ ।
ଏହାରି ଭିତରେ ପଶ୍ଚିମ ଓଡିଶାରେ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଦର୍ଶାଯାଉଥିବା ତମାମ ଯୁକ୍ତି ହେଲା

– କ୍ୟାନସର ଚିକିତ୍ସା ସୁବିଧା ପାଇବା ପାଇଁ ଉପକୂଳ ଓଡିଶାରେ ଅଛି ଏକାଧିକ ହସ୍ପିଟାଲ, ପଶ୍ଚିମ ଓଡିଶାରେ ନୂଆ ହସ୍ପିଟାଲ ସ୍ଥାପନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ
– ଯୋଗାଯୋଗ କ୍ଷେତ୍ରରେ କୈାଣସି ଅସୁବିଧା ନାହିଁ, କାରଣ ଝାରସୁଗୁଡା ବିମାନ ବନ୍ଦର ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ରାଉରକେଲାରୁ ମଧ୍ୟ ବିମାନ ଉଡିବାକୁ ସ୍ଥିର ହୋଇଛି
ରାଜ୍ୟ ସରକାର ଆବଶ୍ୟକତା ଓ ବାସ୍ତବତାକୁ ଦେଖି ନିଷ୍ପତି ନେଉଛନ୍ତି, ନା ଭିନ୍ନ କିଛି ଦିଗକୁ ଆଖି ଆଗରେ ରଖି ଜମି ଅନ୍ୟ ଜିଲ୍ଲାରେ ଜମି ଆବଂଟନ କରୁଛନ୍ତି, ତାକୁ ଅପେକ୍ଷା କରାଯାଇଛି । ଏମଓୟୁକୁ ଏହାରି ଭିତରେ ମାସେ ବିତିଥିଲେ ବି କେଉଁ ସ୍ଥାନରେ ଟାଟା ମେମୋରିଆଲ ହସ୍ପିଟାଲ ସ୍ଥାପନ କରାଯିବ, ସେନେଇ ନିଷ୍ପତି ଚୁଡାନ୍ତ ହୋଇନାହିଁ ।