କୁଆଡେ ଗଲେ ସାମ୍ ପିଟ୍ରୋଡା ! ନିଯୁକ୍ତି ପରେ କଣ କରିଛନ୍ତି ହିସାବ ମାଗିଲା ବିଜେପି

32

କନକ ବ୍ୟୁରୋ : କୁଆଡେ ଗଲେ ସାମ୍ ପିଟ୍ରୋଡା? ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଏବେ କେଉଁଠି? ନିଯୁକ୍ତି ପାଇବା ପରେ ଓଡିଶାରେ ତାଙ୍କର ଦେଖା ନାହିଁ । ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍ ପିଟ୍ରୋଡାଙ୍କ ବିବାଦୀୟ ନ୍ୟାସନାଲ୍ ହେରାଲ୍ଡ ମାମଲା ସହ ସଂପୃକ୍ତିକୁ ଟାର୍ଗେଟ କରିଛି ବିଜେପି । ବହୁ ଚର୍ଚ୍ଚିତ ନ୍ୟାସନାଲ୍ ହେରାଲ୍ଡ ଜମି ଦୁର୍ନୀତିରେ ଜାତୀୟ କଂଗ୍ରେସ ଛନ୍ଦି ହୋଇଛି । ଯେଉଁଥି ପାଇଁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏବେ କୋର୍ଟର ଚକ୍କର କାଟୁଛନ୍ତି । ଏହି ଦୁର୍ନୀତିରେ ସାମଙ୍କ ବିରୋଧରେ ବି ରହିଛି ଅଭିଯୋଗ । ହେଲେ ରାଜ୍ୟ ସରକାର ତାଙ୍କୁ ବୈଷୟିକ ପରାମର୍ଶଦାତାର କ୍ୟାବିନେଟ୍ ପାହ୍ୟ ଦେବାରୁ, କଂଗ୍ରେସ ଓ ବିଜେଡିର ମଧ୍ୟସ୍ଥି ବୋଲି ଅଭିଯୋଗ କରିଛି ବିଜେପି ।

ଜାନୁଆରୀ ୨୦୧୬ରେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ ସାମ୍ ପିଟ୍ରୋଡା । ଲକ୍ଷ୍ୟ ଥିଲା, ବିଦେଶ ପରି ଓଡିଶାରେ ହେବ ବୈଷୟିକ ବିକାଶ । ହେଲେ ବର୍ଷେ ହେବ, ସାମ୍ ପିଟ୍ରୋଡା କଣ କରୁଛନ୍ତି, ତାହାର ସ୍ପଷ୍ଟ ଚିତ୍ର ମିଳିନି । ଏପରିକି ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ୍ ପାହ୍ୟା ଅଧିକାରୀ ଗଲେ କୁଆଡେ ବୋଲି ଉଠିଛି ପ୍ରଶ୍ନ । ସେପଟେ ବିବାଦୀୟ ନ୍ୟାସନାଲ୍ ହେରାଲ୍ଡ ଜମି ଦୁର୍ନୀତି ମାମଲାର ଅଭିଯୋଗ ଫର୍ଦ୍ଦରେ ରହିଛି ସାମଙ୍କ ନାଁ । ହେଲେ ଏହା ସତ୍ୱେ, ନବୀନ ବାବୁ ତାଙ୍କୁ ଏଡେ ବଡ ପଦବୀ ଦେଇଥିଲେ । ଯାହାକୁ ଟାର୍ଗେଟ କରିଛି ବିଜେପି ।

ସାମଙ୍କ ଦକ୍ଷତା ଅନୁସାରେ ପଦ ମିଳିଥିବା ଯୁକ୍ତି ବାଢିଛି ବିଜେଡି । ହେଲେ ଅନ୍ୟ ଦୃଷ୍ଟିକୋଣକୁ ସରକାର ବିଚାର କରିବେ ବୋଲି ଦଳ ସଫେଇ ଦେଇଛି । ଏହି ଘଟଣାରେ କଂଗ୍ରେସ ବି ରଖିଛି କଡା ଜବାବ୍ ।

ଓଡିଶାର ବଲାଙ୍ଗୀରରେ ଜନ୍ମିତ ସାମ୍ ପିଟ୍ରୋଡା ବହୁ ବର୍ଷ ତଳେ ବିଦେଶରେ ବୈଷୟିକ ବିପ୍ଳବ ଆଣିଛନ୍ତି । ଯାହାକୁ ଲକ୍ଷ୍ୟରେ ରଖି ନବୀନ ବାବୁ ଏତେ ବଡ ଦାୟିତ୍ୱ ଦେଇଥିଲେ । ତାଙ୍କ ଦକ୍ଷତା ଓ ବିବାଦ ଭିତରେ କେଉଁଠି ନା କେଉଁଠି ରାଜନୈତିକ ରଙ୍ଗ ଲାଗିଛି । ହେଲେ ଏହା ଭିତରେ ରାଜ୍ୟ ସରକାର ସାମଙ୍କ ଦେଢ ବର୍ଷର କାର୍ଯ୍ୟର ଚିଠା ଦେବାର ଜରୁରୀ ହୋଇ ପଡିଛି ।